ନୂଆଦିଲ୍ଲୀ:ନୂଆ ପେଟ୍ରୋଲ ତଥା ଡିଜେଲ କାର ପଞ୍ଜୀକରଣ ପାଇଁ ଆଗକୁ ଆପଣଙ୍କୁ ୫୦୦୦ ଟଙ୍କା ଦେବାକୁ ପଡ଼ିପାରେ । ପଞ୍ଜୀକରଣର ରିନ୍ୟୁଆଲ୍ ପାଇଁ ୧୦,୦୦୦ ଟଙ୍କା ପୈଠ କରିବାକୁ ପଡ଼ିପାରେ । ଏଭଳି ଏକ ପ୍ରସ୍ତାବ ଉପରେ ସରକାର କାର୍ଯ୍ୟ କରୁଛନ୍ତି । ସମ୍ପ୍ରତି ଉଭୟ ପାଇଁ ଦେୟ ମାତ୍ର ୬୦୦ ଟଙ୍କା ରହିଥିବାବେଳେ ଏଥିରେ ବଡ଼ ଧରଣ ବୃଦ୍ଧି ଘଟିପାରେ ।
ଯାନଗୁଡିକର ପଞ୍ଜୀକରଣ ଏବଂ ନବୀକରଣ ଦେୟକୁ ୨୦ଗୁଣରୁ ଅଧିକ ବଢ଼ାଇବା ପାଇଁ ସଡ଼କ ପରିବହନ ମନ୍ତ୍ରାଳୟ ପ୍ରସ୍ତାବ ଦେଇଛି । ଅନ୍ୟପକ୍ଷରେ, ଇଲେକ୍ଟ୍ରିକ ଯାନରେ ଆଦୌ ପଞ୍ଜୀକରଣ ଦେୟ ରହିବନି ବୋଲି ମନ୍ତ୍ରାଳୟ ଏକ ଚିଠା ପ୍ରସ୍ତାବ ଜାରି କରିସାରିଛି । ପାରମ୍ପରିକ ଯାନ ବଦଳରେ ଲୋକେ କିପରି ଇ-ଯାନ ପ୍ରତି ମନ ବଳାଇବେ ଉକ୍ତ ଲକ୍ଷ୍ୟରେ ଏହି ପ୍ରସ୍ତାବ ଦିଆଯାଇଛି । ବାଣିଜ୍ୟିକ ପେଟ୍ରୋଲ ଏବଂ ଡିଜେଲ ଯାନଗୁଡିକର ଏକାଧିକ ଫିଟ୍ନେସ୍ ଟେଷ୍ଟ ଏବଂ ୧୫ ବର୍ଷରୁ ପୁରୁଣା ବାଣିଜ୍ୟିକ ଯାନର ବର୍ଷକରେ ଦୁଇ ଥର ଫିଟ୍ନେସ୍ ଟେଷ୍ଟ କରାଯିବା ଉପରେ ପ୍ରସ୍ତାବ ଦିଆଯାଇଛି । ସୂଚନାଯୋଗ୍ୟ, ନୂଆ ଗାଡ଼ି ତୁଳନାରେ ପୁରୁଣା ଗାଡ଼ିଗୁଡିକ ୨୫ ଗୁଣ ଅଧିକ ପ୍ରଦୂଷଣ ସୃଷ୍ଟି କରିଥାନ୍ତି । ଦିଲ୍ଲୀ ବ୍ୟତୀତ ଦେଶର ପ୍ରାୟ ସମସ୍ତ ସ୍ଥାନରେ ସମ୍ପ୍ରତି ଗାଡ଼ି ପଞ୍ଜୀକରଣର ବୈଧତା ୧୫ ବର୍ଷ ରହିଛି ।
Comments are closed, but trackbacks and pingbacks are open.