ମାଡ଼ି ଆସୁଛି ‘କେଜିଏଫ୍-୨’ ସୁନାମି

Get real time updates directly on you device, subscribe now.

ସାରା ଭାରତରେ ଏବେ ଝଡ଼ ନୁହେଁ, କେଜିଏଫ୍ ସୁନାମି ମାଡ଼ି ଆସୁଛି । ଆସନ୍ତା ୧୪ରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି କନ୍ନଡ଼ ସିନେମା ପ୍ରେମରେ ପାଗଳ ସିନେପ୍ରେମୀ । ଯୁଆଡେ଼ ଦେଖିବ ସେଠି ଏହି ବହୁ ପ୍ରତୀକ୍ଷିତ ‘କେଜିଏଫ୍-୨’ର ଚର୍ଚ୍ଚା । ରିଲିଜ୍ ପୂର୍ବରୁ ଆଡଭାନ୍ସ ବୁକିଂରେ ରେକର୍ଡ କରିଛି ଏହି ସିନେମା । ‘ଆର୍ଆର୍ଆର୍’ ଆଡଭାନ୍ସ ବୁକିଂରେ ୫କୋଟି ଟଙ୍କାର ବ୍ୟବସାୟ କରିଥିଲାବେଳେ ‘କେଜିଏଫ୍-୨’ ୨୫କୋଟି ଟପି ନୂଆ ଇତିହାସ ରଚିଛି । ସିନେମାରେ ଫିଲ୍ମ ଷ୍ଟାର୍ ୟଶଙ୍କ ସହ ସଞ୍ଜୟ ଦତ୍ତ, ଶ୍ରୀନିଧି ସେଟ୍ଟୀ, ରବିନା ଟଣ୍ଡନ ଏବଂ ପ୍ରକାଶ ରାଜ ଅଭିନୟ କରିଥିଲାବେଳେ ଏହା କନ୍ନଡ଼ ସମେତ ତେଲୁଗୁ, ହିନ୍ଦୀ, ତାମିଲ ଏବଂ ମାଲାୟଲମ୍ ଭାଷାରେ ରିଲିଜ୍ କରୁଛି । ଏହା ହେଉଛି ପ୍ରଥମ କନ୍ନଡ଼ ସିନେମା ଯାହା ଆଇମାକ୍ସରେ ମୁକ୍ତିଲାଭ କରୁଛି ।
୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ‘କେଜିଏଫ୍-୧’ର ଏହା ସିକ୍ୱେଲ୍ ହୋଇଥିଲାବେଳେ ଏହାକୁ ଦେଖିବାକୁ ବହୁ ବଡ଼ ବଡ଼ ମେଟ୍ରୋ ସିଟି ଛାଡ଼ନ୍ତୁ ଓଡ଼ିଶାରେ ବି ଟିକେଟ୍ ମିଳୁନି । ସବୁ ଟିକେଟ୍ ଦର୍ଶକ ଗୋଟିଏ ସପ୍ତାହ ଆଗରୁ ଅନ୍ଲାଇନ୍ରେ ବୁକ୍ କରି ନେଇଛନ୍ତି । ଯେଉଁଥିପାଇଁ ଓଡ଼ିଆ ସିନେମାକୁ ମୁକ୍ତିଲାଭ ପାଇଁ ହଲ୍ ମିଳୁନି ଆଉ ଏଣେ ବଲିଉଡରେ ‘ଜର୍ସି’ ଭଳି ଅନେକ ସିନେମା ତାଙ୍କର ରିଲିଜ୍ ତାରିଖ ଘୁଞ୍ଚାଇ ଚାଲିଛନ୍ତି । କରୋନା କଟକଣା କୋହଳ ପରେ ଅନେକ ଓଡ଼ିଆ ସିନେମା ବି ରିଲିଜ୍ ଲାଗି ଭଲ ଦିନକୁ ଅପେକ୍ଷା କରିଛନ୍ତି ।
ବଲିଉଡ ସିନେ ସମୀକ୍ଷକ ତରଣ ଆଦର୍ଶଙ୍କ ଭାଷାରେ କରୋନା କଟକଣା ପରେ ସିନେମା ଇଣ୍ଡଷ୍ଟ୍ରି ପାଇଁ ଗେମ୍ ଚେଞ୍ଜର ସାଜିଥିଲା ‘ଦି କାଶ୍ମୀର ଫାଇଲ୍ସ’ । ଆଉ ନୂଆ ସେନ୍ସେସନ୍ ସୃଷ୍ଟି କରିଥିଲା ‘ଆର୍ଆର୍ଆର୍’ । ସବୁଠି ଏହା ପୂରା ଛାଇ ଯାଇଥିଲା । ଏବେ ବି ଚାଲିଛି । କିନ୍ତୁ ଏସବୁକୁ ଧୋଇଦେବାକୁ ସୁନାମି ହୋଇ ଆସୁଛି ‘କେଜିଏଫ୍-୨’ ।
‘କେଜିଏଫ୍-୨’ର କ୍ରେଜ୍ କେବଳ ସର୍ବଭାରତୀୟ ନୁହେଁ ବିଶ୍ୱସ୍ତରରେ ବି ଏହାର ଲୋକପ୍ରିୟତା ଆଶାଠୁ ଅଧିକ ଦେଖିବାକୁ ମିଳିଛି । ଏହାର ପ୍ରଥମ ଭାଗ ଦେଖିଥିବା ଦର୍ଶକ ଏବେ ଉତ୍ସାହର ସହ ଦ୍ୱିତୀୟ ଭାଗକୁ ଅପେକ୍ଷା କରି ରହିଛନ୍ତି । ଦର୍ଶକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ସାରା ଓଡ଼ିଶାରେ ୭୦ଟି ସିଙ୍ଗିଲ୍ ଏବଂ ମଲ୍ଟି ସ୍କ୍ରିନ୍ରେ ଚାଲିବ । ବଡ଼ କଥା ହେଲା ଏହି ସିନେମା ରାତି ତମାମ ଚାଲିବ, ଯାହା ଓଡ଼ିଶା ସିନେ ଇତିହାସରେ ପ୍ରଥମ । କୌଣସି ଶୋ’ ବନ୍ଦ ହେବନି । ମାତ୍ର କିଛି ଘଣ୍ଟା ବା ମିନିଟ୍ର ଅନ୍ତରରେ ଗୋଟିଏ ପରେ ଗୋଟିଏ ଶୋ’ ଚାଲିବ । ପ୍ରଥମ ଥର ପାଇଁ ରାତି ୨ଟା ୫୦ରେ ଏହି ସିନେମାର ଶୋ’ ପଡ଼ିବ । ଏଥିପାଇଁ ବି ଟିକେଟ୍ ନାହିଁ । ସାରା ରାଜ୍ୟରେ ଭୁବନେଶ୍ୱରର ଏକମାତ୍ର ସିଙ୍ଗଲ୍ ସ୍କ୍ରିନ୍ ମହାରାଜା ହଲ୍ରେ ଏହି ଶୋ’ ଚାଲିବ । ଯେଉଁଥିପାଇଁ ସ୍ୱତନ୍ତ୍ର ଅନୁମତି ଆଣି ଏବେ ଇତିହାସ ରଚିବାକୁ ଯାଉଛି ମହାରାଜା ହଲ୍ ବୋଲି ଏହାର ମ୍ୟାନେଜର ଲିଙ୍ଗରାଜ ପଣ୍ଡା କହିଛନ୍ତି । ଏ ସମୟରେ ଅଲଗା ସିନେମା ମୁକ୍ତିଲାଭ କରୁଥିଲେ ବି ଆମେ ଆଉ କିଛି ରିଲିଜ୍ କରୁନାହୁଁ । ତା’ପରେ ଏହାର କ୍ରେଜ୍ ଆଗରେ ଆଉ କେହି ଛିଡ଼ା ହେବାକୁ ବି ସାହାସ କରିନାହାନ୍ତି । ବର୍ତ୍ତମାନ ଆଗାମୀ ସପ୍ତାହକ ପାଇଁ ସମ୍ପୂର୍ଣ୍ଣ ବୁକିଂ ସରିଛି । କରୋନା କଟକଣା ପରେ ଇଣ୍ଡଷ୍ଟ୍ରି ପାଇଁ ଏହା ବହୁତ ବଡ଼ ଖୁସି ଖବର ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons