ଘରେ ଘରେ ପ୍ରଶଂସା

Get real time updates directly on you device, subscribe now.

ଅଭିନେତ୍ରୀ ନିକିତା ମିଶ୍ର । ଓଡ଼ିଶାର ଘରେ ଘରେ ପରିଚିତ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଟି ବେଳୁ ଅଭିନୟ ପ୍ରତିଭା ମହ ମହ ହୋଇ ବାସୁଥିଲା । ଝିଅକୁ ଶିଶୁ କଳାକାର ଭାବେ ଦେଖିବା ପାଇଁ ବାପା, ମା’ଙ୍କର ସ୍ୱପ୍ନ ରହିଥିଲା । ତାଙ୍କ ସ୍ୱପ୍ନକୁ ବାସ୍ତବ ରୂପ ଦେଇଥିଲେ ନିଦେ୍ର୍ଧଶକ ମୁକେଶ ଜେନା । ୫ ବର୍ଷ ବୟସରେ ୨୦୦୫ ମସିହାରେ ଡିଡି ଓଡ଼ିଆରେ ‘ଧର୍ମାତ୍ମା’ ମେଗା ଧାରାବାହିକରେ ନିକିତା ଶିଶୁ କଳାକାର ଭାବେ ସୁଯୋଗ ପାଇଲେ । ସେଥିରେ ଦମଦାର ଅଭିନୟ କରି ସଫଳତା ହାସଲ ସହ ପ୍ରଶଂସା ସାଉଁଟି ଚାଲିଲେ । ତା’ ପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ୨୦୦୭ରେ ଚଳଚ୍ଚିତ୍ର ‘ସମୟ ହାତରେ ଡୋରି’ରେ ଶିଶୁ କଳାକାର ଭାବେ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ । ପରେ ପରେ ଡିଡି ଓଡ଼ିଆରେ ମେଗା ଧାରାବାହିକ ‘ବସୁନ୍ଧରା’, ତରଙ୍ଗରେ ‘ଦେବୀ’ ଏବଂ ‘ଜୟ ଜଗନ୍ନାଥ’ରେ ସୁନ୍ଦର ଅଭିନୟରେ ଦର୍ଶକଙ୍କ ମନ ମୋହି ଚାଲିଲେ । ୨୦୦୮ରେ ‘ନେଇଯାରେ ମେଘ ମୋତେ’ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ତାଙ୍କର ଚମକ୍ରାର ଅଭିନୟ ଆଜି ପର୍ଯ୍ୟନ୍ତ ଦର୍ଶକଙ୍କ ହୃଦୟରେ ସ୍ମୃତି ହୋଇ ରହିଛି । ଏହି ଚଳଚ୍ଚିତ୍ରରେ ଦର୍ଶକ ହଲ୍ରେ କାନ୍ଦି ପକାଇଥିଲେ । ଯାହା ନିକିତାଙ୍କ ପାଇଁ ମଧ୍ୟ ଏକ ଅଭୁଲା ସ୍ମୃତି ହୋଇ ରହିଛି । କିନ୍ତୁ ଏତିକିରେ ସୀମିତ ନଥିଲା ତାଙ୍କ ଅଭିନୟର ଯାତ୍ରା । ସଫଳତାର ସହ ସେ ଆଗେଇ ଚାଲିଲେ । ପରେ ପରେ ‘ତୁ ଥିଲେ ମୋ ଡର କାହାକୁ’, ‘ପ୍ରେମ୍ ୱେଡ୍ସ ପ୍ରିୟା’, ‘ମୁଁ ଆଶିକ୍ ମୁଁ ଆୱାରା’, ‘ଟାର୍ଗେଟ୍’ ଚଳଚ୍ଚିତ୍ରରେ ବି ଶିଶୁ କଳାକାର ଭାବେ ନିଖୁଣ ଅଭିନୟ କରିଛନ୍ତି ନିକିତା । ଏହାର କିଛି ବର୍ଷ ଅନ୍ତର ପରେ ୨୦୧୮ରେ ମୁକ୍ତିପ୍ରାପ୍ତ ଚଳଚ୍ଚିତ୍ର ‘ଯୋଗୀ’ରେ ଲିଡ୍ ନାୟିକା ଭାବେ ନଜର ଆସି ଇଣ୍ଡଷ୍ଟ୍ରିକୁ ରି-ଏଣ୍ଟ୍ରି ମାରିଲେ ନିକିତା । ଏଥିସହିତ ମଞ୍ଜରୀରେ ପ୍ରସାରିତ ଧାରାବାହିକ ‘ସିଂହଦ୍ୱାର’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଲେ । ଏବେ ଏବେ ଜୀସାର୍ଥକରେ ପ୍ରସାରିତ ‘ଝିଲି’ ଧାରାବାହିକର ମୁଖ୍ୟ ଚରିତ୍ରରେ ହୃଦୟଛୁଅାଁ ଅଭିନୟ କରୁଛନ୍ତି । ଏଥିରେ ଜଣେ ଗାଉଁଲି ସରଳ ଝିଅ ଭାବରେ ନିକିତାଙ୍କୁ ଦେଖିବାକୁ ମିଳୁଛି । ତାଙ୍କର ସ୍ୱପ୍ନ ରହିଛି, ଯଦି କେବେ ସୁଯୋଗ ମିଳେ ମହିଳା ସଶକ୍ତକରଣ, ଆକ୍ସନ, ଜୀବନୀ କିମ୍ବା ଐତିହାସିକ ଚଳଚ୍ଚିତ୍ରରେ ଅଭିନୟ କରିବେ । ତାଙ୍କୁ ପଜିଟିଭ୍ ଚରିତ୍ର ଅଧିକ ପସନ୍ଦ । ବର୍ତ୍ତମାନ ୨ଟି ଚଳଚ୍ଚିତ୍ର ପାଇଁ ତାଙ୍କୁ ଅଫର୍ ଆସିଛି । କଥାବାର୍ତ୍ତା ପ୍ରାଥମିକ ପର୍ଯ୍ୟାୟରେ ରହିଛି । ନିକିତା ବାପାଙ୍କୁ ଆଦର୍ଶ ମାନନ୍ତି । ଆଜି ସେ ଯେଉଁଠି ବି ପହଞ୍ଚିଛନ୍ତି ତାଙ୍କ ପଛରେ ବାପାଙ୍କ ହାତ ଥିବା ସେ କହିଛନ୍ତି । ଦର୍ଶକଙ୍କ ଭଲ ପାଇବା ରହିଥିବାରୁ ଆଗାମୀ ଦିନରେ ସେ ଏହି ଧାରା ବଜାଏ ରଖିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons