ଆସୁଛି କି ଚତୁର୍ଥ ଲହର?

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆସୁଛି କି କରୋନା ମହାମାରୀର ଚତୁର୍ଥ ଲହର? ରାଜଧାନୀ ଦିଲ୍ଲୀର ସ୍ଥିତି ଦେଖିବା ପରେ ଏବେ ଏହି ଭାଳେଣି ପଡ଼ିଲାଣି । ଦିଲ୍ଲୀରେ ଦୁଇ ସପ୍ତାହ ମଧ୍ୟରେ ସଂକ୍ରମଣ ୫ ଗୁଣା ବଢ଼ିଛି । କୋଭିଡ ପଜିଟିଭିଟି ହାର ୦.୫%ରୁ ଏକାଥରେ ୫.୩୩%କୁ ଲମ୍ଫ ମାରିଛି । ଏହାକୁ ଦୃଷ୍ଟିରେ ରଖି ଡାକ୍ତରମାନେ ଲୋକଙ୍କୁ ପୁଣି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । କରୋନା ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇନେବାକୁ କହିଛନ୍ତି ।
ଖବର ମୁତାବକ, ରାଜଧାନୀ ଦିଲ୍ଲୀରେ ରବିବାର ୫୧୭ ନୂଆ ମାମଲା ସାମ୍ନାକୁ ଆସିଛି । ଶନିବାର ୪୬୧ ରୋଗୀ ଚିହ୍ନଟ ହୋଇଥିଲା ବେଳେ ୨ ଜଣ ପ୍ରାଣ ହରାଇଥିଲେ । ଶୁକ୍ରବାର ୩୬୬ ଲୋକ ଆକ୍ରାନ୍ତ ହୋଇଥିଲେ । ଅର୍ଥାତ୍ ପ୍ରତ୍ୟେକ ଦିନ ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି । ପଜିଟିଭିଟି ହାର ପୁଣି ୫% ପାର୍ କରିଥିବାରୁ ଚିନ୍ତା ଘାରିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳରେ ସ୍କୁଲଗୁଡ଼ିକ ସତର୍କତା ଅବଲମ୍ବନ କରିଛନ୍ତି । ସଂକ୍ରମଣକୁ ଏଡ଼ାଇବା ପାଇଁ ଶ୍ରେଣୀଗୃହକୁ ବାରମ୍ବାର ସାନିଟାଇଜ୍ କରାଯିବା ସହ କୋଭିଡ୍ ପ୍ରୋଟୋକଲ୍ କଡ଼ାକଡ଼ି ଭାବେ ପାଳନ କରାଯାଉଛି ।
‘ଲୋକାଲସର୍କଲ୍ସ’ ନାମକ ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ଗତ ୧୫ ଦିନରେ ଦିଲ୍ଲୀରେ କୋଭିଡ ସଂକ୍ରମଣ ୫୦୦%ରୁ ଅଧିକ ବୃଦ୍ଧି ପାଇଛି । ସର୍ଭେରେ ଭାଗନେଇଥିବା ଦିଲ୍ଲୀ-ଏନ୍ସିଆର୍ର ପାଖାପାଖି ୧୯% ଲୋକଙ୍କ ମୁତାବକ ସେମାନଙ୍କ ନିକଟ ସମ୍ପର୍କରେ ଜଣେ କିମ୍ବା ଅଧିକ ଲୋକ ଗତ ୧୫ ଦିନ ମଧ୍ୟରେ କରୋନା ସଂକ୍ରମିତ ହୋଇଛନ୍ତି । ୧୧,୭୪୩ ଲୋକଙ୍କ ମତାମତ ନେଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି ।
ସର୍ଭେରେ ଭାଗନେଇଥିବା ଲୋକଙ୍କୁ (ପିଲାଙ୍କ ସମେତ) ପଚରାଯାଇଥିଲା ଯେ ଗତ ୧୫ ଦିନରେ ସେମାନେ ନିକଟ ସମ୍ପର୍କ (ପରିବାର, ବନ୍ଧୁ, ପଡେ଼ାଶୀ ଓ ସହଯୋଗୀ)ରେ କେତେ କରୋନା ଆକ୍ରାନ୍ତଙ୍କୁ ଦେଖିଛନ୍ତି । ୭୦% ଲୋକ କୌଣସି ଆକ୍ରାନ୍ତଙ୍କୁ ଦେଖି ନ ଥିବା କହିଥିଲା ବେଳେ ୧୧% ଲୋକ ୧ କିମ୍ବା ୨ ସଂକ୍ରମିତଙ୍କୁ ଦେଖିଥିବା କହିଥିଲେ । ୮% ଲୋକ ୩ରୁ ୫ ଜଣ ଆକ୍ରାନ୍ତଙ୍କୁ ଦେଖିଥିବା କହିଥିଲେ । ୧୧% ଲୋକ କିଛି କହିପାରି ନ ଥିଲେ । ତେବେ ଏହା ପୂର୍ବରୁ ଏପ୍ରିଲ ୨ରେ ପଚରାଯାଇଥିବା ସମାନ ପ୍ରଶ୍ନରେ ମାତ୍ର ୩ଧ ଲୋକ ସେମାନଙ୍କ ନିକଟ ସମ୍ପର୍କରେ କରୋନା ଆକ୍ରାନ୍ତଙ୍କୁ ଦେଖିଥିବା ବତାଇଥିଲେ । ଅର୍ଥାତ୍ ସଦ୍ୟ ଘଟଣାରେ ସଂକ୍ରମଣ ୫୦୦% ବଢ଼ିଥିବା ଜଣାପଡ଼ିଛି ।
ସେପଟେ ଦେଶରେ ସଂକ୍ରମଣ ସାମାନ୍ୟ ବଢ଼ିଛି । ଗତ ୨୪ ଘଣ୍ଟାରେ ୧,୧୫୦ ନୂଆ ମାମଲା ଚିହ୍ନଟ ହୋଇଛି । ପୂର୍ବଦିନ ଏହି ସଂଖ୍ୟା ୯୭୫ ରହିଥିଲା । ସେହିଭଳି ଗତ ୨୪ ଘଣ୍ଟାରେ ସକି୍ରୟ ମାମଲା ୧୯୨ ବଢ଼ି ୧୧,୫୫୮ ହୋଇଛି । ଦିନକରେ ୯୫୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ୪ ଜଣ ପ୍ରାଣ ହରାଇବା ପରେ ମୋଟ କୋଭିଡ ମୃତୁ୍ୟ ସଂଖ୍ୟା ୫,୨୧,୭୫୧ରେ ପହଞ୍ଚିଛି । ଉତ୍ତର ପ୍ରଦେଶରେ ୧୦୨ ରୋଗୀ ବାହାରିଛନ୍ତି । ହରିଆଣାରେ ୨୦୨, ମହାରାଷ୍ଟ୍ରରେ ୯୮ ନୂଆ ମାମଲା ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରୁ ଜଣାପଡ଼ିଛି ।
ରାଜଧାନୀରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍ଏ) ଏପି୍ରଲ ୨୦ରେ ସ୍ଥିତି ଉପରେ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବ । ସେହିଭଳି କୋଭିଡ ଟେଷ୍ଟିଙ୍ଗ୍ ମାତ୍ରା ବଢ଼ାଇବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଏଲ୍ଏନ୍ଜେପି ହସ୍ପିଟାଲର ଜଣେ ବରିÂ ଡାକ୍ତର କହିଛନ୍ତି, କରୋନା ଭଳି ଲକ୍ଷଣ ଦେଖାଦେବା କ୍ଷଣି ତୁରନ୍ତ କୋଭିଡ ଟେଷ୍ଟ କରାଇନେବା ଉଚିତ । ଗୃହ ସଙ୍ଗରୋଧରେ ରହୁଥିବା ଲୋକେ ମଧ୍ୟ ପରୀକ୍ଷା କରାଇବା ଆବଶ୍ୟକ । ସେହିଭଳି ଦିଲ୍ଲୀରେ ଏବେ ଅଧିକ ଲୋକଙ୍କ ଗହଳିକୁ ଏଡ଼ାଇବା ଜରୁରି । ଲୋକମାନେ ପୁଣି କୋଭିଡ ନିୟମ ପାଳନ କରିବା ଉଚିତ ବୋଲି ହସ୍ପିଟାଲ୍ର ଡା. ଋତୁ ସାକ୍ସେନା କହିଛନ୍ତି । ଉଲ୍ଲେଖଯୋଗ୍ୟ, ଏପି୍ରଲ ୨ରେ ଦିଲ୍ଲୀ ସରକାର ମାସ୍କ ପରିଧାନ ନିୟମ କୋହଳ କରିଥିଲେ । ଏହା ପରଠାରୁ ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ କରାଯାଉ ନ ଥିଲା ।
ସେପଟେ ଚୀନ୍ର ଆର୍ଥିକ ରାଜଧାନୀ ସାଙ୍ଘାଇରେ ସଂକ୍ରମଣ ହୁ ହୁ ମାଡ଼ିବାରେ ଲାଗିଛି । ଏଠାରେ ରେକର୍ଡ ସଂଖ୍ୟକ ଲକ୍ଷଣଯୁକ୍ତ କରୋନା ମାମଲା ସାମ୍ନାକୁ ଆସିଛି । ମାର୍ଚ୍ଚ ପରଠାରୁ ଲଗାତର ଭାବେ ସଂକ୍ରମଣ ବଢ଼ିବାରେ ଲାଗିଛି । ଏପି୍ରଲ ୧୫ରେ ସାଙ୍ଘାଇରେ ରେକର୍ଡ ୩,୫୯୦ ଲକ୍ଷଣଯୁକ୍ତ ମାମଲା ସାମ୍ନାକୁ ଆସିଥିଲା । ୧୯,୯୨୩ ମାମଲାରେ ଲକ୍ଷଣ ନ ଥିଲା । ପୂର୍ବଦିନ ଲକ୍ଷଣ ନ ଥିବା ମାମଲା ସଂଖ୍ୟା ୧୯,୮୭୨ ରହିଥିଲା ।
ଚୀନ୍ରେ ଦୁଇବର୍ଷ ତଳେ ପ୍ରଥମେ କରୋନା ସଂକ୍ରମଣ ସୃଷ୍ଟି ହୋଇଥିଲା । ଏହାର ମାସକ ପରେ ଅର୍ଥାତ୍ ୨୦୨୦ ଜାନୁଆରୀରେ ଭାରତରେ ପ୍ରଥମ ମାମଲା ଚିହ୍ନଟ ହୋଇଥିଲା । ଚାହୁଁ ଚାହୁଁ ସଂକ୍ରମଣ ବୃଦ୍ଧି ପାଇବାକୁ ଲାଗିଥିଲା । ବର୍ତ୍ତମାନ ଆମେରିକା ପଛକୁ ଭାରତ ବିଶ୍ୱ କରୋନା ଗ୍ରାଫ୍ରେ ଦ୍ୱିତୀୟ ସ୍ଥାନରେ ରହିଛି । ସାଙ୍ଘାଇରେ ପୁଣି ସଂକ୍ରମଣ ମାଡ଼ୁଥିବା ଦୃଷ୍ଟିରୁ ଭାରତ ପାଇଁ ମଧ୍ୟ ସମସ୍ୟା ଟଳିନାହିଁ ବୋଲି କୁହାଯାଉଛି । ଆସନ୍ତା ୨-୩ ମାସ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ ।
ଭାରତର କରୋନା ମୃତୁ୍ୟ ସଂଖ୍ୟାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁ୍ୟଏଚ୍ଓ)ର ରିପୋର୍ଟକୁ ଖଣ୍ଡନ କରିଛନ୍ତି ସରକାର । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କୋଭିଡ ମୃତୁ୍ୟକୁ ନେଇ ଡବ୍ଲୁ୍ୟଏଚ୍ଓ ଯେଉଁ ଫଳାଫଳ ପ୍ରଦାନ କରିଛି, ସେଥିରେ ଦେଶର କିଛି କହିବାର ନାହିଁ । କିନ୍ତୁ ଏଥିପାଇଁ ବ୍ୟବହାର କରାଯାଇଥିବା ପଦ୍ଧତି ଉପରେ ଆପତ୍ତି ରହିଛି । ତା’ଛଡ଼ା ଭାରତ ନିୟମିତ ଭାବେ ବୈଷୟିକ ଉପାୟରେ କୋଭିଡ ମୃତୁ୍ୟ ତଥ୍ୟ ପ୍ରସ୍ତୁତ କରୁଛି । ଏ ବାବଦରେ ଡବ୍ଲୁ୍ୟଏଚ୍ଓ ସହ ମଧ୍ୟ ନିୟମିତ ଯୋଗାଯୋଗ କରାଯାଉଛି ।
ଡବ୍ଲୁ୍ୟଏଚ୍ଓ ରିପୋର୍ଟକୁ ଆଧାର କରି ନୁ୍ୟୟର୍କ ଟାଇମ୍ସ କହିଛି ଯେ କୋଭିଡ ମହାମାରୀ ଯୋଗୁ ଭାରତରେ ପ୍ରକୃତରେ ୫.୨୦ ଲକ୍ଷ ଲୋକ ପ୍ରାଣ ହରାଇ ନାହାନ୍ତି । ବରଂ ପାଖାପାଖି ୪୦ ଲକ୍ଷ ଲୋକଙ୍କର ଜୀବନ ଯାଇଛି । କୋଭିଡ ମହାମାରୀ ବେଳେ ହୋଇଥିବା ପ୍ରକୃତ ମୃତୁ୍ୟ ସଂଖ୍ୟା ଆକଳନ ପାଇଁ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ଚେଷ୍ଟା କରୁଛି, ଭାରତ ସେଥିରେ ପ୍ରତିବନ୍ଧକ ସାଜୁଛି । ସଂଗଠନ ବାହାର କରିଥିବା ଗାଣିତିକ ସୂତ୍ର ଭାରତ ଭଳି ଜନବହୁଳ ଦେଶ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବା ଉଚିତ । କିନ୍ତୁ ଭାରତ ତଥ୍ୟ ଲୁଚାଇବା ପାଇଁ ଏହି ପଦ୍ଧତି ଅନୁସରଣ କରୁନାହିଁ । ସେପଟେ ବିଶ୍ୱରେ ଦେଢ଼କୋଟି ଲୋକ କରୋନା ଯୋଗୁ ପ୍ରାଣ ହରାଇଥିବା ଡବ୍ଲୁ୍ୟଏଚ୍ଓ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons