ବୈପାରିଗୁଡା,(ବି.ବି.ନ୍ୟୁଜ୍): କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ମାଠପଡ଼ା ପଞ୍ଚାୟତରେ ଆନ୍ଥ୍ରାକ୍ସ ଆତଙ୍କ । ରୁପୁଗୁଡା ଗାଁରେ ଏହି ରୋଗରେ ୨୨ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ହାତଗୋଡ଼ରେ ବଡ଼ ବଡ଼ ଘା’ ହୋଇଯାଇଛି । ସେଥିରୁ ପୂଜପାଣି ବାହାରୁଛି । ଉଦ୍ବେଗର ବିଷୟ, ଏପର୍ଯ୍ୟନ୍ତ ଗାଁରେ କୌଣସି ମେଡିକାଲ୍ ଟିମ୍ ପହଞ୍ଚି ନାହିଁ । ରୋଗରୁ ମୁକ୍ତି ପାଇବା ଲାଗି ଆଦିବାସୀମାନେ ଦେଶୀ ଚିକିତ୍ସା ପଦ୍ଧତିକୁ ଆପଣାଇଛନ୍ତିି । ଏବେବି ସେମାନେ ଗାଁରେ ରହି ଜଡ଼ିବୁଟି ଔଷଧ ଖାଉଛନ୍ତି । ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । କେଉଁ କାରଣରୁ ଆନ୍ଥ୍ରାକ୍ସ ବ୍ୟାପିଛି, ତାହା ସ୍ପଷ୍ଟ ହୋଇନାହିଁ ।
ଆନ୍ଥ୍ରାକ୍ସ ଆକ୍ରାନ୍ତମାନଙ୍କ ମଧ୍ୟର ଅଛନ୍ତି ଗ୍ରାମର ଭଗବତୀ ଗୋଲରୀ (୩୦), ମଙ୍ଗୁଳୁ ଖିଲ (୪୦), ଲକ୍ଷ୍ମୀ ଖରା (୨୨), ଧନିବ ଗୋଲରୀ (୧୪), ବୀଣା ଗୋଲରୀ (୨୪), ରାଜୀବ ଗୋଲରୀ (୩୫), ଭିକାରି ଗୋଲରୀ (୪୫), ବାସୁ ସାନ୍ତା (୨୮), ଜୟରାମ ଗୋଲରୀ (୧୨), ସାଧବ ଗୋଲରୀ (୫୫), ଜାମ୍ବ ଖିଲ (୨୫), ଦୀପାଇ ଖରା (୧୨) ଓ ସନେ ଗୋଲରୀ (୫୦) । ସାଧାରଣତଃ ବର୍ଷା ଦିନେ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ଏହି ରୋଗ ବ୍ୟାପିଥାଏ । ସଚେତନତା ଅଭାବରୁ ଲୋକେ ମଲା ଗୋରୁ ମାଂସ ଖାଇବା ପରେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । କିନ୍ତୁ ଏଠାକାର ଆକ୍ରାନ୍ତମାନେ କିିଛି କହିବାକୁ ରାଜି ହୋଇନାହାନ୍ତି ।
ବୈପାରିଗୁଡାରୁ ୧୬ କିମି ଦୂରରେ ରହିଛି ରୁପୁଗୁଡ଼ା । ରୋଗ ବ୍ୟାପିବା ପରେ କେହି ଜଣେ ହେଲେ ଆକ୍ରାନ୍ତ ଡାକ୍ତରଖାନା ଯାଇ ନାହାନ୍ତି । ଏମିତିକି ସ୍ୱାସ୍ଥ୍ୟକେନ୍ଦ୍ରର କୌଣସି କର୍ମଚାରୀ ଏପର୍ଯ୍ୟନ୍ତ ସେମାନଙ୍କ ପାଖରେ ପହଞ୍ଚି ନାହାନ୍ତି । ଫଳରେ ଆକ୍ରାନ୍ତଙ୍କ ହାତଗୋଡ଼ରେ ହୋଇଥିବା ବଡ଼ ବଡ଼ ଘା’ ବଢିବାରେ ଲାଗିଛି । ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ ତୁରନ୍ତ ଦୃଷ୍ଟିଦେଇ ଗାଁକୁ ମେଡିକାଲ୍ ଟିମ୍ ପଠାଇବାକୁ ଦାବି ହୋଇଛି । ନହେଲେ ଆଗାମୀ ଦିନରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି ।
Comments are closed, but trackbacks and pingbacks are open.