ସିନାପାଲି,(ବି.ବି.ନ୍ୟୁଜ୍): ନୂଆପଡ଼ା ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ବିଭିନ୍ନ ସମୟରେ ଦେଖିବାକୁ ମିଳିଥାଏ । ତେବେ ଜିଲ୍ଲାର ସ୍ୱାସ୍ଥ୍ୟସେବାର ଆଉ ଏକ ସାଂଘାତିକ ଚିତ୍ର ଏବେ ସାମ୍ନାକୁ ଆସିଛି । ଆଜି ଜଣେ ଆସନ୍ନ ପ୍ରସବାଙ୍କୁ ଡାକ୍ତରଖାନା ନେବା ପାଇଁ ଉଛୁଳା ଉଦନ୍ତୀ ନଦୀର ଛାତିଏ ପାଣିରେ ଅତି ବିପଜ୍ଜନକ ଅବସ୍ଥାରେ ପାରି କରିବା ଚିତ୍ର ଜନମାନସରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି ।
ସିନାପାଲି ବ୍ଲକ ଘାଟମାଲ ପଞ୍ଚାୟତ ଚିତାରମା ଗାଁର ଦିଲେଶ୍ୱର ଚିନ୍ଦାଙ୍କ ସ୍ତ୍ରୀ ନିରୁ ଚିନ୍ଦାଙ୍କ ଗୁରୁବାର ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା । ଚିତାରମା ଏକ ଜଳବନ୍ଦୀ ଗାଁ ହୋଇଥିବା ବେଳେ ସ୍ୱାସ୍ଥ୍ୟସେବା ପାଇବା ଲୋକଙ୍କ ପାଇଁ କାଠିକାର ପାଠ । ଫଳରେ ବର୍ଷା ବେଳେ ନିରୁଙ୍କ ଗର୍ଭଯନ୍ତ୍ରଣାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ । କେବଳ ସେତିକି ନୁହେଁ, ଦୁର୍ଗମ ଉପାନ୍ତ ବଣପାହାଡ଼ ଘେରା ଏହି ଅଞ୍ଚଳ ପାଇଁ ବିଭିନ୍ନ ସମୟରେ ଉଦନ୍ତୀ ଦୁଃଖ ପାଲଟିଥାଏ । ବର୍ଷାଦିନେ ସ୍ୱଳ୍ପବର୍ଷାରେ ବି ଉଦନ୍ତୀ ଫୁଲି ଉଠିବା ଯୋଗୁ ଅଞ୍ଚଳବାସୀ ଜଳବନ୍ଦୀ ହୋଇଯାଆନ୍ତି । ଆଜି ବି ବର୍ଷାରେ ଉଦନ୍ତୀ ଫୁଲି ଉଠିଥିଲା । ଏଭଳି ସ୍ଥିତିରେ ନିରୁଙ୍କ ଗର୍ଭଯନ୍ତ୍ରଣା ସମସ୍ତଙ୍କୁ ନାନା ଆଶା ଆଶଙ୍କାରେ ପକାଇ ଦେଇଥିଲା । ଝଡ଼ିବର୍ଷା ସାଙ୍ଗକୁ ଉଦନ୍ତୀର ବନ୍ୟାରେ ଏମାନେ ଉପାୟ ଶୂନ୍ୟ ହୋଇ ପଡ଼ିଥିଲେ । ହେଲେ ଠିକ୍ ସେହିଦିନ ନଦୀ ଆରପାରି ସିନ୍ଦରୁଶିଲରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଚାଲିଥିଲା । ଏହି ଖବର ପାଇ ନିରୁଙ୍କୁ ସ୍ୱାସ୍ଥ୍ୟ ଶିବିରକୁ ନେବା ପାଇଁ ପରିବାର ଲୋକେ ଚେଷ୍ଟା କରିଥିଲେ । ତଥାପି ସେମାନଙ୍କୁ ଘାରିଥିଲା ଉଛୁଳା ଉଦନ୍ତୀ ନଦୀର ଭୟ । ସମ୍ପର୍କୀୟଙ୍କ ସହ ଉଛୁଳା ନଦୀର ଛାତିଏ ପାଣିରେ ଏକ ଷ୍ଟ୍ରେଚର୍ ସାହାଯ୍ୟରେ ଗର୍ଭବତୀଙ୍କୁ ପାର୍ କରି ସ୍ୱାସ୍ଥ୍ୟ ଶିବିରରେ ପହଞ୍ଚାଇଥିଲେ । ଶିବିରରେ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ସିନାପାଲି ଜନନୀ ଗୃହକୁ ଅଣାଯାଇଥିଲା । ବର୍ତ୍ତମାନ ସେ ଜନନୀ ଗୃହରେ ଚିକିତ୍ସାଧୀନ ଅଛନ୍ତି ।
ପ୍ରକାଶ ଯେ, ଉପାନ୍ତ ଦୁର୍ଗମ ଅଞ୍ଚଳକୁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସ୍ୱାଧୀନତାର ୭୦ ବର୍ଷ ପରେ ବି ଚିତାରମା ଭଳି ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗ ସମ୍ଭବ ହୋଇପାରି ନଥିବା ଅଧିକ ଉଦ୍ବେଗର କାରଣ ହୋଇଛି ।
Comments are closed, but trackbacks and pingbacks are open.