ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଏକବିଂଶ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ଉଦ୍ଯାପିତ ହୋଇଯାଇଛି । ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ ଭୁବନେଶ୍ୱର କ୍ଷେତ୍ର ତତ୍ତ୍ୱାବଧାନରେ ଆୟୋଜିତ ଏହି ସପ୍ତାହର ଉଦ୍ଯାପନୀ ଉତ୍ସବରେ କେନ୍ଦ୍ର ଖଣି ମନ୍ତ୍ରାଳୟର ଅତିରିକ୍ତ ସଚିବ ତଥା ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସର କଣ୍ଟ୍ରୋଲର ଜେନେରାଲ ଡ. କେ ରାଜେଶ୍ୱର ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖଣି କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଖଣିରୁ ପ୍ରାୟ ୮୦୦ ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ଖଣି ପରିଚାଳନା ଓ ଖଣିଜ ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ ଅବଦାନ ରଖିଥିବା କର୍ମଚାରୀଙ୍କୁ ‘ପରିବେଶ ବନ୍ଧୁ’ ପୁରସ୍କାର, ‘ଖଣିଜ ସଂରକ୍ଷଣ ବନ୍ଧୁ’ ପୁରସ୍କାର ଓ ‘ଶ୍ରେଷ୍ଠ କର୍ମଚାରୀ’ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ଉଦ୍ଯାପନୀ ଉତ୍ସବ ଉପଲକ୍ଷେ ବିଭିନ୍ନ କମ୍ପାନି ପକ୍ଷରୁ ୧୧ଟି ଷ୍ଟଲ୍ ଖୋଲଯାଇ ଅଂଶଗ୍ରହଣକାରୀଙ୍କୁ ଖଣି ଖନନ, ଖଣି ପରିବେଶ ଓ ପରିଚାଳନା ସମ୍ପର୍କିତ ସୂଚନା ପ୍ରଦାନ କରାଯାଇଥିଲା । ଏହି ଷ୍ଟଲ୍ଗୁଡ଼ିକୁ କେନ୍ଦ୍ର ଅତିରିକ୍ତ ଖଣି ସଚିବ ଉଦ୍ଘାଟନ କରିଥିଲେ । ଏ ଅବସରରେ ଓଡ଼ିଶା ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ନିରନ୍ତର ଖଣିଜ ପ୍ରାକ୍ଟିସ୍ ଉପରେ ନିଜର ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ତଥା ଜଙ୍ଗଲ ଓ ପରିବେଶ ବିଭାଗର ସ୍ୱତନ୍ତ୍ର ସଚିବ ଦେବୀଦତ୍ତ ବିଶ୍ୱାଳ, ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସର ପୂର୍ବାଞ୍ଚଳ କଣ୍ଟ୍ରୋଲର ଅଫ୍ ମାଇନ୍ସ ପଙ୍କଜ କୁଳଶ୍ରେଷ୍ଠ, ଆଞ୍ଚଳିକ କଣ୍ଟ୍ରୋଲର ଅଫ୍ ମାଇନ୍ସ ହର୍କେଶ ମୀନାଙ୍କ ସମେତ ଏକବିଂଶ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହର ଅଧ୍ୟକ୍ଷ ଦୀପ୍ତି ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.