ଭିଜିଳାନ୍ସ ପଞ୍ଝାରେ କଳାରାହାଙ୍ଗର ଆଉ ଜଣେ କୁବେର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆୟ ବହିର୍ଭୂତ ସମ୍ପତ୍ତି ଜବତ କ୍ଷେତ୍ରରେ ପୁଣି ଚର୍ଚ୍ଚାକୁ ଆସିଛି ରାଜଧାନୀ ଉପକଣ୍ଠ କଳାରାହାଙ୍ଗ ଅଞ୍ଚଳ । କିଛି ଦିନ ତଳେ ଏଠାରୁ ଜଣେ ପଞ୍ଚାୟତ ଜିଆର୍ଏସ୍ଙ୍କ ଘରେ ଚଢ଼ଉ କରି ଭିଜିଲାନ୍ସ ୫୯ଟି ଦାମୀ ପ୍ଲଟ୍ ପାଇଥିଲା । ଆଜି ଚଢ଼ଉରେ ମିଳିଥିବା ପ୍ଲଟ୍ ସଂଖ୍ୟା ଉକ୍ତ ରେକର୍ଡକୁ ଭାଙ୍ଗି ଦେଇଛି । ଗୋଟିଏ ନୁହେଁ କି ୨ଟି ନୁହେଁ, ସ୍ଥାନୀୟ ଅଞ୍ଚଳର ପ୍ରାଣୀଧନ ନିରୀକ୍ଷକ (ଏଲ୍ଆଇ)ଙ୍କ ୯୧ଟି ପ୍ଲଟ୍ ଓ ୭ଟି ବଡ଼ କୋଠାର କାଗଜପତ୍ର ଜବତ ହୋଇଛି । ସବୁ ପ୍ଲଟ୍ କଟକ ଓ ଭୁବନେଶ୍ୱର ପ୍ରାଇମ୍ ଲୋକେସନ୍ (ପ୍ରତିÂିତ ଅଞ୍ଚଳ)ରେ । ଜଣେ ସରକାରୀ ବାବୁଙ୍କ ଠାରୁ ଏତେ ପରିମାଣରେ ଜମିବାଡ଼ି ଜବତ ହେବା ଘଟଣା ରାଜ୍ୟ ଭିଜିଲାନ୍ସ ଇତିହାସରେ ପ୍ରଥମ ।
ଏହି କୁବେର ପ୍ରାଣୀଧନ ନିରୀକ୍ଷକଙ୍କ ନାଁ ଜଗନ୍ନାଥ ରାଉତ । ସେ ସ୍ଥାନୀୟ ରଘୁନାଥପୁର-କଳାରାହାଙ୍ଗ ଏଲ୍ଆଇ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ଜମି କୋଠା ବ୍ୟତୀତ ଅଧକେଜି ସୁନା, ୧୦ ଗ୍ରାମ୍ ହୀରା ମଧ୍ୟ ମିଳିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ପୈତୃକ ଘର, କଳାରାହାଙ୍ଗ ଅଫିସ୍, ବାଙ୍କୀରେ ଥିବା ଫାର୍ମ ହାଉସ୍, ରଘୁନାଥପୁରରେ ଥିବା ଫ୍ଲାଟ୍ ସହ ମୋଟ୍ ୯ଟି ସ୍ଥାନରେ ଚଢ଼ଉ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ସାଢେ଼ ୭ କୋଟି ଟଙ୍କା ମୂଲ୍ୟର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ ହୋଇଛି ।
ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି, କଳାରାହାଙ୍ଗ ଓ ରଘୁନାଥପୁର ଅଞ୍ଚଳରେ ୮୧ ପ୍ଲଟ୍, ବାରଙ୍ଗ ଓ ବାଙ୍କୀରେ ୧୦ଟି ପ୍ଲଟ୍ । ଏହି ଜମି କିଣିବା ପାଇଁ ସବରେଜିଷ୍ଟ୍ରି ଅଫିସରେ କବଲା ବାବଦରେ ଖର୍ଚ୍ଚ ହୋଇଛି ୩ କୋଟି ୩୩ ଲକ୍ଷ ଟଙ୍କା । ସେହିଭଳି ରଘୁନାଥପୁର ଗାଁରେ ୬୦୦୦ ବର୍ଗଫୁଟର ଏକ ୩ ମହଲା ମାର୍କେଟ୍ କମ୍ପେ୍ଲକ୍ସ୍ (ଗୋବିନ୍ଦ ଭବନ) । ଯାହାର ମୂଲ୍ୟ ୧ କୋଟି ୪୬ ଲକ୍ଷ ଟଙ୍କା, ମାର୍କେଟ୍ କମ୍ପେ୍ଲକ୍ସ୍ ପଛରେ ୩ ମହଲା ଘର । ଯାହାର ସରକାରୀ ମୂଲ୍ୟ ୪୭ ଲକ୍ଷ ଟଙ୍କା, ରୟାଲ ଅର୍ଚିଡ୍ ଆପାର୍ଟମେଣ୍ଟରେ ୩ ବିଏଚ୍କେ ଫ୍ଲାଟ୍ (ନଂ-୪୦୧) । ଯାହାର ମୂଲ୍ୟ ୩୭ ଲକ୍ଷ ଟଙ୍କା । ରଘୁନାଥପୁର ଗ୍ରୀନ୍ ଗାର୍ଡେନ ଆପାର୍ଟମେଣ୍ଟରେ ୩୪ ଲକ୍ଷ ୨୭ ହଜାର ଟଙ୍କା ମୂଲ୍ୟର ୩ ବିଏଚ୍କେ ଫ୍ଲାଟ୍ (ନଂ-୩୦୧) । ରଘୁନାଥପୁର ଗାଁରେ ୨ଟି ଦୁଇ ମହଲା କୋଠା, ୧୫୦୦ ବର୍ଗଫୁଟ୍ର ୨୮ ଲକ୍ଷ ୨୮ ହଜାର ଟଙ୍କାର ୧ମହଲା ଘର । ଏଥିରୁ ସେ ମାସିକ ୬ଲକ୍ଷରୁ ଅଧିକ ଟଙ୍କା ଘର ଭଡ଼ା ପାଉଛନ୍ତି । କଟକ ଜିଲ୍ଳା ବାଙ୍କୀ ପ୍ଲଟ୍ ନଂ-୯୨୧ରେ ଫାର୍ମ ହାଉସ୍ । ଯାହାର ମୂଲ୍ୟ ଆକଳନ ହୋଇନାହିଁ । ତା’ଛଡା ୩୯ ଲକ୍ଷ ୪୮ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଓ ବୀମା ପଲିସି ମିଳିଛି । ୧୦ ଗ୍ରାମ୍ ହୀରା, ୫୦୦ ଗ୍ରାମ୍ ସୁନା ଓ ୨୫୦ ଗ୍ରାମ୍ ରୁପା ଜବତ ହୋଇଛି । ଯାହାର ମୂଲ୍ୟ ୨୦ ଲକ୍ଷ ୬୦ ହଜାର ଟଙ୍କା । ୧୦ ଲକ୍ଷ ଟଙ୍କା ମୂଲ୍ୟର ଦାମୀ ଗୃହ ଉପକରଣ, ୮ ଲକ୍ଷ ଟଙ୍କା ମୂଲ୍ୟର କାର୍, ବାଇକ୍ ଓ ୫ ଲକ୍ଷ ନଗଦ ଟଙ୍କା ଏହି ଚଢ଼ଉରେ ଭିଜିଲାନ୍ସ ଜବତ କରିଥିବା ସୂଚନା ଦେଇଛି ।
ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ଜଗନ୍ନାଥଙ୍କୁ ଅଟକ ରଖି ଏତେ ପରିମାଣରେ ସମ୍ପତ୍ତି ସେ କେମିତି ଅର୍ଜନ କଲେ ତାକୁ ନେଇ ଜେରା କରୁଛି । ଆସନ୍ତା କାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି । ୨୦୦୮ରେ ଜଗନ୍ନାଥ ଚାକିରି ଆରମ୍ଭ କରିଥିଲେ । ଏବେ ତାଙ୍କ ଦରମା ମାସିକ ୪୫ ହଜାର ଟଙ୍କା । ୧୪ ବର୍ଷ ଚାକିରିରେ କୋଟି କୋଟି ଟଙ୍କା ବେଆଇନ୍ ଭାବେ ରୋଜଗାର କରିଥିବା ସ୍ପଷ୍ଟ ହୋଇଛି । ଏନେଇ ଏସ୍ପି ଅନୁପମା ଜେମ୍ସ ସୂଚନା ଦେଇ କହିଛନ୍ତି, ଜବତ ପ୍ଲଟ୍ର ବର୍ତ୍ତମାନ ବଜାର ମୂଲ୍ୟ ୧୨ରୁ ୧୫ କୋଟି ହେବ । ସବୁ ପ୍ଲଟ୍ ପ୍ରାଇମ୍ ଲୋକେସନ୍ରେ ରହିଛି । ଯେଉଁଠି ବର୍ଗଫୁଟ୍ ସାଢେ଼ ୩ରୁ ୪ ହଜାର ଟଙ୍କାରେ ବିକ୍ରି ହେଉଛି । ସେ ଏତେ ପରିମାଣର ସମ୍ପତ୍ତି ସେ କେମିତି କଲେ ସେ ବିଷୟରେ ଜାଣିବା ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତ ଏପ୍ରିଲ୍ ମାସରେ ଭୁବନେଶ୍ୱର କଳାରାହାଙ୍ଗ ନିକଟ ଇଞ୍ଝଣା ଗ୍ରାମ ପଞ୍ଚାୟତର ଜିଆରଏସ୍ (ଗ୍ରାମ ରୋଜଗାର ସେବକ) ବାବୁଲି ଚରଣ ପଢ଼ିହାରୀଙ୍କୁ ଧରିଥିଲା ଭିଜିଲାନ୍ସ । ଏହି ସମୟରେ ତାଙ୍କ ଠାରୁ ୫୯ ପ୍ଲଟ୍ ଦାମୀ ଠାବ କରିଥିଲା । ଗୋଟିଏ ପ୍ଲଟ୍ କଟକ ବାରଙ୍ଗରେ । ବାକି ସବୁ ପ୍ଲଟ୍ କଳାରାହାଙ୍ଗ ଓ ରଘୁନାଥପୁର ଅଞ୍ଚଳରେ ଥିଲା । ବାବୁଲିଙ୍କ ଦରମା ମାସିକ ୮ ହଜାର ୫ ଶହ ଟଙ୍କା । ହେଲେ ୫୯ ପ୍ଲଟ୍ କିଣି ସେ କୋଟିପତି କେମିତି ହେଲେ ତାକୁ ନେଇ ଖୋଳତାଡ଼ ଚାଲିଛି । ଏହି ୨ ସରକାରୀ ବାବୁଙ୍କର କଳାରାହାଙ୍ଗ ଓ ରଘୁନାଥପୁରରେ ୧୩୯ଟି ପ୍ଲଟ ଜବତ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons