ବନ୍ଦ ହେବ ଓଏସଆରଟିସି କଟକ ଜୋନ୍!

Get real time updates directly on you device, subscribe now.

କଟକ,(ବି.ବି.ଆ.ପ୍ର.): ଏକରକମ ବନ୍ଦ ହେବା ସ୍ଥିତିରେ ପହଞ୍ଚିଛି ଓଏସ୍ଆର୍ଟିସି (ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ)ର କଟକ ଜୋନ୍ । ୧୭ଟି ରୁଟ୍ର କ୍ଷମତା ରଖୁଥିବା ଏହି ଜୋନ୍ରେ ଏବେ ମାତ୍ର ୯ଟି ରୁଟ୍ରେ ବସ୍ ଚାଲୁଛି । ଗତ ୮ ମାସ ହେବ ଜୋନ୍ ପାଇଁ ଜିଲ୍ଲା ଟ୍ରାନ୍ସପୋର୍ଟ ମ୍ୟାନେଜର (ଡିଟିଏମ୍) ନିଯୁକ୍ତ ହୋଇନାହାନ୍ତି । କାମଚଳା ଡିଟିଏମ୍ରେ କାମ ଚାଲିଛି । ଏଣେ କୋଟି କୋଟି ଟଙ୍କା ଖର୍ଚ୍ଚରେ କିଣାଯାଇଥିବା ୬୩ଟି ଦାମୀ ବସ୍ରୁ ୩୯ଟି ବସ୍ ଏବେ କଟକ ଡିପୋ ଗ୍ୟାରେଜ୍ରେ ପଡ଼ିରହିଛି । ସବୁଠୁ ସାଂଘାତିକ କଥା ହେଉଛି, କଟକ ଜୋନ୍କୁ ଏଭଳି ଦୁର୍ବଳ କରାଯିବା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ଖୋଦ୍ ବିଭାଗରେ ଚର୍ଚ୍ଚା ହେଉଛି । କଟକ ଜୋନ୍କୁ ବନ୍ଦ କରିଦେଇ ଭୁବନେଶ୍ୱର ସହିତ ମିଶାଇଦେବା ପାଇଁ ଏଭଳି ଦୁଃସ୍ଥିତି ଜାଣିଶୁଣି ସୃଷ୍ଟି କରାଯାଉଥିବା ବି ଅଭିଯୋଗ ହେଉଛି ।
କଟକ ହେଉଛି ରାଜ୍ୟ ବସ୍ ପରିବହନର ପ୍ରମୁଖ କେନ୍ଦ୍ର । ବାଦାମବାଡ଼ି ବସଷ୍ଟାଣ୍ଡ୍ରୁ ରାଜ୍ୟର ପ୍ରାୟ ସବୁ ଜିଲ୍ଲାକୁ ବସ୍ ଯା’ଆସ କରୁଛି । ପ୍ରତିଦିନ କଟକକୁ ପ୍ରାୟ ୬ ଶହ ବେସରକାରୀ ବସ୍ ଚାଲୁଛି । ତେବେ ରାଜ୍ୟର କିଛି ପ୍ରମୁଖ ଅଞ୍ଚଳକୁ କଟକ ସହିତ ଯୋଡ଼ିବା ପାଇଁ ଦୀର୍ଘ ବର୍ଷ ହେବ ଓଏସ୍ଆର୍ଟିସିର କଟକ ଜୋନ୍ରୁ ବିଭିନ୍ନ ଇଲାକାକୁ ବସ୍ ଚାଲୁଛି । କରୋନା ପୂର୍ବରୁ କଟକରୁ ପ୍ରାୟ ୧୭ଟି ରୁଟ୍ରେ ଗାଡ଼ି ଚାଲୁଥିଲା । କରୋନା କଟକଣା ଯୋଗୁଁ ଗାଡ଼ି ସେବା ବନ୍ଦ କରିଦିଆଯାଇଥିଲା । ମାତ୍ର କରୋନା ସଂକ୍ରମଣ କମିବା ପରେ ସବୁ ଗାଡ଼ି ପୁଣି ଚାଲିଥିଲା । ହେଲେ ଇତିମଧ୍ୟରେ ଧୀରେ ଧୀରେ ୮ଟି ରୁଟ୍ରେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । କଟକ-ନବରଙ୍ଗପୁର, କଟକ-ମୁଖିଗୁଡ଼ା ଓ କଟକ-ବଲାଙ୍ଗୀର ଭଳି କିଛି ପ୍ରମୁଖ ରୁଟ୍ ସହିତ ଅନ୍ୟ ରୁଟ୍ଗୁଡ଼ିକ ମଧ୍ୟ ବନ୍ଦ କରିଦିଆଯାଇଛି । କିଛି ଦିନ ହେବ ଟୁଇନ୍ ସିଟି ଓ ମହିଳା ସ୍ପେସାଲ୍ ବସ୍ ବି ବନ୍ଦ ହୋଇଛି । ଏସବୁ ରୁଟ୍ ପାଇଁ ନୂଆ ବସ୍ କିଣାଗଲା, ମାତ୍ର ଏଗୁଡିକୁ ଗୋଟିଏ ଦିନ ବି ଚଲାଗଲାନି । ଫଳରେ କଟକ ଡିପୋର ଗ୍ୟାରେଜ୍ରେ ୩୯ଟି ଦାମୀ ନୂଆ ବସ୍ ଏବେ ପଡ଼ିରହିଛି । ଦୀର୍ଘ ଦିନ ହେବ ଏସବୁ ବସ୍ ରାସ୍ତାରେ ଇଞ୍ଚେ ବି ଗଡ଼ିନି ।
କଟକ ଜୋନ୍ ପାଇଁ ଆଗରୁ ୮୦ ଜଣ ଡ୍ରାଇଭର ଓ ୬୫ ଜଣ କଣ୍ଡକ୍ଟର ଥିଲେ । ମାତ୍ର ଏବେ ଡ୍ରାଇଭର ସଂଖ୍ୟା ୪୦ ତଳକୁ ଖସିଆସିଛି । ଭୁବନେଶ୍ୱର ଜୋନ୍ରୁ ଗାଡ଼ି ଚଳାଇବା ପାଇଁ ୪୦ରୁ ଅଧିକ ଅଭିଜ୍ଞ ଡ୍ରାଇଭରଙ୍କୁ ଟ୍ରାନ୍ସଫର କରି ନିଆଯାଇଛି । କଟକ ଜୋନ୍କୁ ଅଚଳ କରିବାର ଆଉ ଏକ ଉଦ୍ୟମ ହେଲା, ଗତ ୮ ମାସ ହେବ ଏଠାରେ ସ୍ଥାୟୀ ଡିଟିଏମ୍ କେହି ନାହାନ୍ତି । ପ୍ରମୋସନ୍ ପାଇ ଷ୍ଟେସନ୍ ମାଷ୍ଟର୍ ହୋଇଥିବା ଅଧିକାରୀଙ୍କୁ ଡିଟିଏମ୍ ଚାର୍ଜରେ କାମଚଳା ଭାବେ ରଖାଯାଇଛି । ବସ୍ ଷ୍ଟାଣ୍ଡ୍ର ସଫେଇ ପାଇଁ ଥିବା ସଂସ୍ଥାର ଟେଣ୍ଡର ଗଲା ୩ ମାସ ହେବ ସରିଲାଣି । ମାତ୍ର ନୂଆ ସଂସ୍ଥାକୁ କାମ ଦିଆଯାଉନି । ଦିନ ମଜୁରିଆ ଭାବେ ସଫେଇ କର୍ମଚାରୀଙ୍କୁ ଲଗାଇ କାମ କରାଯାଉଛି । ଫଳରେ ଷ୍ଟାଣ୍ଡ୍ ଭଲ ଭାବେ ସଫା ହେଉନି । ଦୀର୍ଘ ସମୟ ଅଳିଆ ଆବର୍ଜନା ପଡ଼ିରହୁଛି । ପୁରୁଣା ରୁଟ୍ ବନ୍ଦ ହେବା, ନୂଆ ବସ୍ ନ ଚାଲିବା, କର୍ମଚାରୀ କାଢ଼ି ନେବା, ସ୍ଥାୟୀ ଅଫିସରଙ୍କୁ କାହାକୁ ଦାୟିତ୍ୱ ଦିଆନଯିବା ଓ ନୂଆ ବସ୍କୁ ଡିପୋରେ ଥୋଇ ଦିଆଯିବା ଘଟଣା କଟକ ଜୋନ୍କୁ ଦୁର୍ବଳ କରିବା ପାଇଁ ଉଦ୍ଧିଷ୍ଟ ବୋଲି ଅନେକ ଅଭିଯୋଗ କରୁଛନ୍ତି । କଟକକୁ ଶ୍ରୀହୀନ କରି ଏଠାରୁ ବହୁ କାର୍ଯ୍ୟାଳୟ ସ୍ଥାନାନ୍ତର କରି ଭୁବନେଶ୍ୱର ଉଠାଇ ନିଆଯାଉଥିବା ପରିପ୍ରେକ୍ଷୀରେ କଟକ ଜୋନ୍କୁ ଭୁବନେଶ୍ୱର ସହିତ ମିଶାଇବା ପାଇଁ ଏଭଳି ଦୁଃସ୍ଥିତିର ଚକ୍ରାନ୍ତ କରାଯାଉଥିବା ଆଶଙ୍କା କରାଯାଉଛି । ଏ ନେଇ ଓଏସ୍ଆର୍ଟିସିର ପରିଚାଳନା ନିଦେ୍ର୍ଧଶକ ଦୀପ୍ତେଶ ପ;ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଏଭଳି ସ୍ଥିତି ନେଇ ମୁଁ ଅବଗତ ନାହିଁ । ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ମୁଁ ଯାହା କିଛି କହିପାରିବି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons