୨୩ ଦିନ ପରେ ଅଟକ ଜେସିବି, ଟ୍ରକ୍ ଉଦ୍ଧାର

Get real time updates directly on you device, subscribe now.

ନନ୍ଦପୁର,(ବି.ବି.ଆପ୍ର): କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କ ହସ୍ତକ୍ଷେପ ଓ ମଧ୍ୟସ୍ଥି ପରେ ନନ୍ଦପୁର ଥାନା ହାଟସୁକୁ ଚୁନମାଟି ଖଣି ବିବାଦ ଶାନ୍ତ ପଡ଼ିଛି । ପୁଲିସ, ପ୍ରଶାସନ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଲାଗିରହିଥିବା ବିବାଦର ମଧ୍ୟ ଆଜି ଅନ୍ତ ଘଟିଛି । ଗାଁରେ ଅଟକ ଥିବା ଖଣି କମ୍ପାନିର ଟ୍ରକ ଓ ଜେସିବିକୁ ଗ୍ରାମବାସୀ ଛାଡି ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ୧ତାରିଖରେ ବିନା ପଲ୍ଲୀସଭା ଓ ଗ୍ରାମସଭାରେ ହାଟସୁକୁ ଅଞ୍ଚଳରେ ଚୁନମାଟି ଖଣି ଖନନକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ନନ୍ଦପୁର ଆଇଆଇସିଙ୍କୁ ଠେଲାପେଲା ଓ ମାଡ଼ ମରାଯାଇଥିଲା । ଏହି ମାମଲାରେ ଗାଁର ୬୮ଜଣଙ୍କ ନାଁରେ କେସ ରୁଜୁ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୭ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ଗାଁର ୬ଜଣଙ୍କୁ ଛାଡିବା ପାଇଁ ଗ୍ରାମବାସୀ ଖଣି କାମରେ ବ୍ୟବହୃତ ଗୋଟିଏ ଟ୍ରକ ଓ ଗୋଟିଏ ଜେସିବିକୁ ଅଟକ ରଖିଥିଲେ । ରବିବାର ନନ୍ଦପୁର ପୁଲିସ ଗାଁର ୩ଜଣଙ୍କୁ ଗିରଫ କରିବା ପରେ ପୁଣିଥରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପୁଲିସ ଓ ପ୍ରଶାସନ ଗ୍ରାମବାସୀଙ୍କ ସହ ସମସ୍ୟାର ସମାଧାନ ନେଇ ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ଆରମ୍ଭ କରିଥିବା ବେଳେ ଆଜି ବିଧାୟକ ଶ୍ରୀ ପଡାଲ ଗାଁରେ ପହଞ୍ଚିଥିଲେ । ପୁଲିସ, ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ସେ ମଧ୍ୟସ୍ଥି ହୋଇ ଆପୋଷ ବୁଝାମଣା କରିବା ପରେ ସମାଧାନର ବାଟ ଫିଟିଥିଲା । ଏହି ବୈଠକରେ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ରହି ଲୋକଙ୍କୁ ବୁଝାଶୁଝା କରିଥିଲେ । ସାମୁହିକ ବୁଝାମଣା ପରେ ଗ୍ରାମବାସୀ ଟ୍ରକ ଓ ଜେସିବିକୁ ଛାଡି ଦେଇଥିଲେ । ଏହି ଆଲୋଚନା ବେଳେ ଏସଡିପିଓ ସଞ୍ଜୟ ମହାପାତ୍ର, ନନ୍ଦପୁର ତହସିଲଦାର ନରସିଂହ ଗଦବା, ଲମତାପୁଟ ତହସିଲଦାର ମାନସରଞ୍ଜନ ପଟ୍ଟନାୟକ, ଆଇଆଇସି ପ୍ରଫୁଲ୍ଲ ଲାକ୍ରା, ସାମାଜିକକର୍ମୀ ମୁନା ଦଳପତି, ବିଧାୟକଙ୍କ ପ୍ରତିନିଧି ସୁନିଲକୁମାର ସାହୁ, ହାଟସୁକୁ, ପରଜାଖୁଡୁବି ଓ ମାଲିଖୁଡୁବି ଗ୍ରାମବାସୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons