ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଉଥିବା କିଛି ପଦକ୍ଷେପ ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ଏସବୁ ପଦକ୍ଷେପରୁ ମୋଦି ସରକାର ଖୁବ ଶୀଘ୍ର କାଶ୍ମୀରକୁ ନେଇ କିଛି ବଡ଼ ଧରଣର ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି । ନିକଟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟକୁ ୧୦,୦୦୦ ଅତିରିକ୍ତ ଯବାନ ପଠାଇବାକୁ ନିର୍ଦ୍ଦେଶ ଦେବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି । ଗଣମାଧ୍ୟମରେ ଚର୍ଚ୍ଚା ହେଉଛି କି ମୋଦି ସରକାର ଜମ୍ମୁ-କାଶ୍ମୀର ପାଇଁ ପ୍ରଣୀତ ଧାରା ୩୭୦ ଏବଂ ଧାରା ୩୫(କ)କୁ ହଟାଇବା ପାଇଁ ନିଷ୍ପତ୍ତି ନେଇପାରନ୍ତି । ଏହାକୁ ନେଇ କାଶ୍ମୀର ସ୍ଥିତ ରାଜନୈତିକ ଦଳଗୁଡିକ ତୀବ୍ର ପ୍ରତିକ୍ରିୟା ଦେଉଥିଲାବେଳେ ଏବେ ପୁଣି ରିପୋର୍ଟ ଆସିଛି କି ଚଳିତ ମାସ ୩୦ ତାରିଖରେ ଜମ୍ମୁ-କାଶ୍ମୀରକୁ ନେଇ ବିଜେପିର ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ରାଜ୍ୟର ବିଜେପି ନେତାମାନଙ୍କ ସହ କିଛି କେନ୍ଦ୍ରୀୟ ନେତା ବି ଯୋଗ ଦେବେ ।
ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକରେ ବିଜେପି ରାଜ୍ୟ ଶାଖାର ଅଧ୍ୟକ୍ଷ ରବୀନ୍ଦର ରୈନା, କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ, ଦଳର ମହାସଚିବ ରାମମାଧବଙ୍କ ସହ ଦଳର ଅଧ୍ୟକ୍ଷ ଅମିତ ଶାହ, କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ଏଥିରେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସହ ସେଠାରେ ବିଧାନସଭା ନିର୍ବାଚନ କରାଇବା ନେଇ ଚର୍ଚ୍ଚା ହୋଇପାରେ । ତେବେ ମୋଦି ଓ ଶାହ ଏହି ବୈଠକରେ ଯୋଗ ଦେଉଥିବାରୁ ଏହାର ଗୁରୁତ୍ୱ ଯଥେଷ୍ଟ ବଢ଼ିଯାଇଛି । ଏଥିରୁ ବିଜେପି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବାର ସଂକେତ ମିଳୁଛି । ଦଳର ମହାସଚିବ ରାମମାଧବ ପୂର୍ବରୁ ନିର୍ବାଚନ କମିଶନଙ୍କୁ ରାଜ୍ୟରେ ଚଳିତ ବର୍ଷ ହିଁ ବିଧାନସଭା ନିର୍ବାଚନ କରାଇବା ପାଇଁ ନିବେଦନ କରିସାରିଛନ୍ତି । ବିଜେପିର ରାଜ୍ୟ ଶାଖା ମଧ୍ୟ ବିଧାନସଭା ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାର ପ୍ରକାଶ କରିଛି । ଏଭଳି ସ୍ଥିତିରେ ରାଜ୍ୟରେ ବିଧାନସଭା ନିର୍ବାଚନ କରାଇବାକୁ ନେଇ କିଛି ନିଷ୍ପତ୍ତି ଉକ୍ତ ବୈଠକରେ ନିଆଯିବାର ସମ୍ଭାବନା ରହିଛି ।
ହେଲେ ଏହି ବୈଠକରେ ଧାରା ୩୫(କ)କୁ ହଟାଇବା ପାଇଁ ବି କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି ମିଡିଆରେ ଚର୍ଚ୍ଚା ହେଉଛି । କୁହାଯାଉଛି କି ଅମରନାଥ ଯାତ୍ରା ଶେଷ ହେବା ପରେ ସରକାର ଏନେଇ ଘୋଷଣା କରିପାରନ୍ତି । ବିଶେଷ କରି ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ ଏହି ଘୋଷଣା କରିପାରନ୍ତି । ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ଉପରୋକ୍ତ ଦୁଇଟି ଧାରାକୁ ହଟାଇବାକୁ ପ୍ରତିଶ୍ରୁତି ଦେଇଛି । ତେଣୁ ମୋଦି ସରକାର ଏବେ ଏହାକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇପାରନ୍ତି । ଏହାପରେ ରାଜ୍ୟରେ ଉତ୍ତେଜନା ଦେଖାଦେଲେ ତାକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତଦନୁଯାୟୀ, ଅମରନାଥ ଯାତ୍ରା ପାଇଁ ନିୟୋଜିତ ୪୦,୦୦୦ ଯବାନଙ୍କ ସହ ଏବେ ପଠାଯାଇଥିବା ୧୦,୦୦୦ ଯବାନଙ୍କୁ ଦଙ୍ଗା ନିୟନ୍ତ୍ରଣ ପାଇଁ ମୁତୟନ କରାଯିବ । ଏହା ମଧ୍ୟ କୁହାଯାଉଛି କି ଯେଉଁ ୧୦ ହଜାର ଯବାନଙ୍କୁ ଏବେ ସେଠାକୁ ପଠାଯାଉଛି, ସେମାନଙ୍କୁ ସ୍ୱତନ୍ତ୍ର ଭାବେ ବଛାଯାଇଛି ଏବଂ ଏକ ବଡ଼ ଘଟଣା ପାଇଁ ପ୍ରଶିକ୍ଷଣ ଦିଆଯାଇଛି । ତେବେ ଏହି ବଡ଼ ଘଟଣା କ’ଣ ତାହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି ।
Comments are closed, but trackbacks and pingbacks are open.