ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବର୍ଷକର ବିଳମ୍ବ ପରେ ରାଜ୍ୟ ସରକାର ୮ଟି ଖଣିଜ ବ୍ଲକ୍ର ନିଲାମ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନିଲାମ ହେବାକୁ ଥିବା ଖଣି ତାଲିକାରେ ୬ଟି ସମ୍ପୂର୍ଣ୍ଣ ନୂଆ ବ୍ଲକ୍ ସମେତ ୨୦୨୦ ମାର୍ଚ୍ଚ ୩୧ରେ ଲିଜ୍ ସରିବାକୁ ଥିବା ୨ଟି ମର୍ଚ୍ଚାଣ୍ଟ ଖଣି ରହିଛି । ଅଗଷ୍ଟ ପ୍ରଥମ ସପ୍ତାହରେ ଏହି ଖଣିଗୁଡ଼ିକର ନିଲାମ ହେବ ।
୧୦ ବର୍ଗକିଲୋମିଟରର ଖଣି ଲିଜ୍ଧାରୀମାନଙ୍କ ପାଇଁ ନିଲାମରେ ଅଂଶଗ୍ରହଣ ନେଇ ରହିଥିବା ଯୋଗ୍ୟତା ନିୟମକୁ ନେଇ ବିବାଦ କାରଣରୁ ଗତ ଆର୍ଥିକ ବର୍ଷ ଓଡ଼ିଶା ସରକାର ଗୋଟିଏ ବି ନୂଆ ଖଣିଜ ବ୍ଲକ୍ର ନିଲାମ କରିବାରେ ସମର୍ଥ ହୋଇ ନ ଥିଲେ । ଯଦିଓ ୨୦୧୮-୧୯ରେ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ଚାନ୍ଦିପୋଷି ଓ ପୁରେହିବାହାଳ ଲୁହାପଥର ଖଣି ଦ୍ୱୟକୁ ନିଲାମ କରିବାକୁ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରିଥିଲେ, ୨୦୧୭ ମେ’ରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ ହୋଇଥିବା ଏକ ଜନସ୍ୱାର୍ଥ ମାମଲା କାରଣରୁ ଏହା ସମ୍ଭବପର ହୋଇପାରି ନ ଥିଲା । ନିଲାମଧାରୀଙ୍କ ଯୋଗ୍ୟତା ନିୟମରେ ସ୍ପଷ୍ଟତା ନ ଆସିବା ପର୍ଯ୍ୟନ୍ତ ନିଲାମ ସ୍ଥଗିତ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଏବେ ବି ସର୍ବାଧିକ ଲିଜ୍ ଅଞ୍ଚଳ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ଜାରି ରହିଥିବା ସତ୍ତେ୍ୱ ଅଗଷ୍ଟ ପ୍ରଥମ ସପ୍ତାହରେ ୮ଟି ଖଣିର ନିଲାମ ପାଇଁ ଓଡ଼ିଶା କାର୍ଯ୍ୟପନ୍ଥା ଆରମ୍ଭ କରିଛି । ଅତିରିକ୍ତ ଇସ୍ପାତ ଓ ଖଣି ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଏନେଇ ଖୁବ୍ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି ।
ଆସନ୍ତା ମାସରେ ନିଲାମ ହେବାକୁ ଥିବା ଖଣି ତାଲିକାରେ ଓଡ଼ିଶା ଲିଜ୍ ଅବଧି ଶେଷ ହେବାକୁ ଥିବା ୨ଟି କ୍ରୋମାଇଟ୍ ଖଣି ଯଥା- ବି ସି ମହାନ୍ତି (କର୍ମଦା କ୍ରୋମାଇଟ୍ ଖଣି) ଓ ମିଶ୍ରିଲାଲ୍ ଖଣି (ସରୁବାଲି କ୍ରୋମାଇଟ୍ ଖଣି)କୁ ସ୍ଥାନିତ କରିଛି । ଏହାଛଡ଼ା ଏହି ତାଲିକାରେ ୬ଟି ଫ୍ରିହୋଲ୍ଡ ମାଇନ୍ସ ଯଥା- ବେହେରା ଭଞ୍ଜିପାଲ୍ଲୀ (ଚୂନପଥର), ଗରମୁରା (ଚୁନପଥର), ଖଟକୁରବାହାଲ (ଚୂନପଥର/ଡୋଲୋମାଇଟ୍), ପିପଲ୍ମୁଣ୍ଡା (ଚୁନପଥର), ନାରିଙ୍ଗପଙ୍ଗା (ଗ୍ରାଫାଇଟ୍) ଓ ଜଗଦଲ୍ପୁର (ଗ୍ରାଫାଇଟ୍) ଖଣି ରହିଛି ।
ଏ ସମସ୍ତ ଖଣିଜ ବ୍ଲକ୍କୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ମର୍ଚ୍ଚାଣ୍ଟ ମାଇନର୍ଙ୍କୁ ପ୍ରଦାନ କରାଯିବ । ନିଲାମ ପ୍ରକ୍ରିୟାରେ ଥିବା ଏହି ୮ଟି ବ୍ଲକ୍ରେ ୧୪୪.୫୮ ନିୟୁତ ଟନ୍ ଖଣିଜ ମହଜୁଦ ରହିଥିବା ଆକଳନ କରାଯାଇଛି । ଏହି ଖଣିଜ ସମ୍ବଳର ମୂଲ୍ୟ ୨୧,୭୭୩ କୋଟି ୨୧ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ସୂଚନା ଥାଉକି, ଚଳିତ ଆର୍ଥିକ ବର୍ଷ ରାଜ୍ୟ ସରକାର ମୋଟ୍ ୪୦ଟି ଖଣିଜ ବ୍ଲକ୍କୁ ଅନ୍ଲାଇନ୍ରେ ନିଲାମ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏଥିରେ ୨୦୨୦ ମାର୍ଚ୍ଚ ୩୧ରେ ଲିଜ୍ ଶେଷ ହେବାକୁ ଥିବା ୧୬ଟି ମର୍ଚ୍ଚାଣ୍ଟ ଖଣି ରହିଛି, ଯେଉଁଗୁଡ଼ିକରୁ ବାର୍ଷିକ ୭୯ ନିୟୁତ ଟନ୍ ଲୁହାପଥର ଉତ୍ପାଦନ ପାଇଁ ଅନୁମତି ରହିଛି ।
Comments are closed, but trackbacks and pingbacks are open.