ନୂଆଦିଲ୍ଲୀ: ବିଶ୍ୱର ଅର୍ଥନୈତିକ ସ୍ଥିରତା ପାଇଁ ଆର୍ଥିକ ଅପରାଧୀମାନେ ବିପଦ । ସେମାନଙ୍କୁ କୌଣସି ରାଷ୍ଟ୍ରରେ ପ୍ରଶ୍ରୟ ଦିଆଯିବା ଉଚିତ ନୁହେଁ । ରାଷ୍ଟ୍ରଗୁଡ଼ିକ ପରସ୍ପରକୁ ସହଯୋଗ କରି ଏମାନଙ୍କୁ ସାବାଡ କରିବା ଉଚିତ । ବ୍ରିକ୍ସ (ବ୍ରାଜିଲ, ରୁଷିଆ, ଭାରତ, ଚୀନ୍ ଓ ଦକ୍ଷିଣ ଆଫ୍ରିକା) ରାଷ୍ଟ୍ର ସମୂହକୁ ଏଭଳି ଚେତାଇଛି ଭାରତ ।
ସଡ଼କ ପରିବହନ ତଥା ରାଜପଥ ରାଷ୍ଟ୍ରମନ୍ତ୍ରୀ ଭି କେ ସିଂହ କହିଛନ୍ତି, ଅର୍ଥନୈତିକ ଅପରାଧୀଙ୍କୁ କୌଣସି ରାଷ୍ଟ୍ର ପ୍ରଶ୍ରୟ ଦେବା ଉଚିତ ନୁହେଁ । ଅନ୍ୟ ରାଷ୍ଟ୍ରରୁ କୋଟି କୋଟି ଟଙ୍କାର ଟିକସ ଠକି ପଳାଇ ଆସୁଥିବା ଏଭଳି ଅପରାଧୀଙ୍କୁ ଗିରଫ କରାଯିବା ଉଚିତ । ଏମାନଙ୍କ ବିରୋଧରେ ବ୍ରିକ୍ସ ରାଷ୍ଟ୍ର ଏକ ମଜଭୁତ ଗୋଷ୍ଠୀ ଗଠନ କରି କାର୍ଯ୍ୟ କରିବା ଆବଶ୍ୟକ । ସେହିଭଳି ଆତଙ୍କବାଦକୁ ରୋକିବା ପାଇଁ ମଧ୍ୟ ସମାନ ଢାଞ୍ଚାରେ କାମ କରାଯିବା ଉଚିତ ।
ସିଂହ କହିଛନ୍ତି, ପଳାତକ ଠକମାନଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବିନିମୟ ହେବା ଆବଶ୍ୟକ । କାରଣ ବିଶ୍ୱର ଅର୍ଥନୈତିକ ସ୍ଥିରତାକୁ ଏମାନେ ବିଗାଡ଼ିବା ଆଶଙ୍କା ରହିଛି । ଜି-୨୦ ରାଷ୍ଟ୍ର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାନ ପରାମର୍ଶ ଦେଇଥିଲେ ବୋଲି କହିଛନ୍ତି ଜେନେରାଲ (ଅବସରପ୍ରାପ୍ତ) ସିଂହ । ଉଲ୍ଲେଖଯୋଗ୍ୟ, ହୀରା ଗହଣା ଡିଜାଇନର ନିରବ ମୋଦି ଏବଂ ମଦସମ୍ରାଟ ବିଜୟ ମାଲ୍ୟା ଭାରତରେ ହଜାର ହଜାର କୋଟି ଟଙ୍କାର ଋଣ ଠକିନେଇ ଲଣ୍ଡନ ପଳାଇଛନ୍ତି । ସେମାନଙ୍କୁ ଏ ପର୍ଯ୍ୟନ୍ତ ଭାରତ ଅଣାଯାଇ ପାରିନାହିଁ । ଏହାଦ୍ୱାରା ଭାରତୀୟ ବ୍ୟାଙ୍କଗୁଡ଼ିକ ତୀବ୍ର ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ଅନାଦାୟ ଋଣ ବା ଏନ୍ପିଏ ପରିମାଣ ବୃଦ୍ଧି ପାଉଛି ।
Comments are closed, but trackbacks and pingbacks are open.