ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ରିପୋର୍ଟ : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ପୁଲିସ୍ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ ୟୁନିଟ୍ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଚଢ଼ାଉ କରି ୫ଟି ଦେଶୀ ବନ୍ଧୁକ ସମେତ ବନ୍ଧୁକ ନିର୍ମାଣରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ଜବତ କରିଛି। ଏହି ଘଟଣାର ପୁଲିସ ବଦାଙ୍ଗି ବିଲେଇସାହି ଗ୍ରାମର ପାଗଳା ମୁଳି ,ଟୁକୁନା ମୁଳି ଏବଂ ପ୍ରସନ୍ନ କୁମାର ମୁଳିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ୧୧ ତାରିଖ ରାତି ପ୍ରାୟ ୨ଟା ସମୟରେ ତାରସିଂ ଥାନା ଅନ୍ତର୍ଗତ ବଦାଙ୍ଗି-ଗୋପନାଗର ଛକ ଅଞ୍ଚଳରେ ବେଆଇନ ଭାବେ ଦେଶୀ ବନ୍ଧୁକ ତିଆରି ହେଉଥିବା ନେଇ ବିଶେଷ ସୂତ୍ରରୁ ପୁଲିସକୁ ସୂଚନା ମିଳିଥିଲା। ଏହାପରେ ତାରସିଂ ଥାନା ଓ ଗାଲେରୀ ଫାଣ୍ଡି ପୁଲିସ୍ ର ମିଳିତ ଟିମ୍ ଉକ୍ତ ସ୍ଥାନରେ ଚଢାଉ କରିଥିଲା। ଚଢ଼ାଉ ବେଳେ ପୁଲିସ୍ ବିଲେଇଶାହି ଗ୍ରାମର ୩ ଜଣଙ୍କୁ ଗିରଫ କରିଥିଲା। ତଲାସି ବେଳେ ସେମାନଙ୍କ ନିକଟରୁ ୫ଟି ଦେଶୀ ଏସ୍ବିଏମ୍ଏଲ୍ ବନ୍ଧୁକ ଜବତ ହୋଇଥିଲା। ଏଥିସହ ଗୋପନଗର ଛକ ହାଟରେ ଥିବା ସନ୍ଦିଗ୍ଧ ବନ୍ଧୁକ ନିର୍ମାଣସ୍ଥଳରୁ ଗୋଟିଏ ସ୍ନାଇଡର୍ ,୨ଟି ଡ୍ରିଲ୍ ମେସିନ୍,୨ଟି ବ୍ଲୋଅର୍,୨ଟି ଇଲେକ୍ଟ୍ରିକ୍ ପାଲୁ ମେସିନ୍,ଗୋଟିଏ ଇଲେକ୍ଟ୍ରିକ୍ କଟର୍,ଗୋଟିଏ ଟ୍ରିଗର୍ ମେକାନିଜିମ୍,୪ଟି ହାତୁଡ଼ି,୨ଟି ଭାଇସ୍ ପ୍ରେସ୍ ମେସିନ୍,୨ଟି ହାତ-ଚାଳିତ ପାଲୁ ମେସିନ୍,୩ଟି ଚିମୁଟା,୨ଟି ରଡ୍,୪ଟି ଫାଇଲ୍,ଗୋଟିଏ ମଜଲ୍ ବ୍ୟାରେଲ୍,ଗୋଟିଏ ମୋଟର୍,ଗୋଟିଏ କଟର୍,ଗୋଟିଏ ଧାର ଦେବା ପଥର ଜବତ କରାଯାଇଛି। ବନ୍ଧୁକ ଏବଂ ବିପୁଳ ସରଞ୍ଜାମ ଜବତ ପରେ ଉକ୍ତ ସ୍ଥାନରେ ଦିର୍ଘଦିନ ଧରି ଅବୈଧ ବନ୍ଧୁକ ନିର୍ମାଣ କେନ୍ଦ୍ର କାର୍ଯ୍ୟ କରୁଥିବା ଅନୁମାନ କରାଯାଉଛି। ଏନେଇ ତାରାସିଂ ଥାନାରେ ଆର୍ମସ୍ ଆକ୍ଟରେ ୩୩୭/୨୬ରେ ଏକ ମାମଲା ରୁଜୁ କରାଯାଇଛି। କାରଖାନାରେ ବ୍ୟବହୃତ କଞ୍ଚାମାଲର ଉତ୍ସ, ବନ୍ଧୁକର ଅବୈଧ ନିର୍ମାଣ ଓ ଯୋଗାଣରେ ଜଡ଼ିତ ନେଟୱାର୍କ ଏବଂ ଅବୈଧ ବନ୍ଧୁକର କ୍ରେତା ମାନଙ୍କ ବିଷୟରେ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀଣି ଶୁଭଲଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି।


Comments are closed, but trackbacks and pingbacks are open.