ହାଇଦ୍ରାବାଦ: ଥାଇଲାଣ୍ଡ ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଦିନକ ପୂର୍ବରୁ ଭାରତର ମହିଳା ତାରକା ପିଭି ସିନ୍ଧୁ ଓହରିଯାଇଛନ୍ତି । ଆଗାମୀ ବିଶ୍ୱ ଚାମ୍ପିଅନସିପ୍କୁ ଦୃଷ୍ଟିରେ ରଖି ସେ ଏହି ପ୍ରତିଯୋଗିତାରୁ ଓହରି ଯାଇଥିବା ଜଣାପଡ଼ିଛି । ଅନ୍ୟ ପଟରେ ଭେଟେରାନ ଖେଳାଳି ସାଇନା ନେହ୍ୱାଲ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆହତ ସମସ୍ୟା ପାଇଁ ସେ ଗତ ଇଣ୍ଡୋନେସିଆ ଓ ଜାପାନ ଓପନରୁ ଓହରି ଯାଇଥିଲେ ।
ଜାପାନ ଖେଳାଳି ନୋଜୋମି ଓକୁହାରା, ଆକାନେ ୟାମାଗୁଚି ଓ ତାଇପେର ତାଇ ଜୁ’ ୟିଙ୍ଗ୍ ଏହି ପ୍ରତିଯୋଗିତାରୁ ଓହରି ଯାଇଥିବାରୁ ସାଇନାଙ୍କ ପାଇଁ ଟାଇଟଲ ଜିତିବାର ସୁଯୋଗ ରହିଛି । ସେ କ୍ୱାଲିଫାୟର ଖେଳାଳିଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ । ଯଦି ସେମିରେ ପ୍ରବେଶ କରନ୍ତି ତା’ହେଲେ ଚୀନର ଚେନ୍ ୟୁଫେଇ କିମ୍ବା ହି ବିଙ୍ଗ୍ଜିଆଓଙ୍କୁ ଭେଟିବାର ସମ୍ଭାବନା ରହିଛି । ସେହିପରି ଭାରତର ପୁରୁଷ ଖେଳାଳି କାଦମ୍ବି ଶ୍ରୀକାନ୍ତ, ସାଇ ପ୍ରଣୀଥ୍, ଶୁଭଙ୍କର ଦେ, ସମୀର ବର୍ମା, ପାରୁପଲ୍ଲୀ କଶ୍ୟପ ଓ ଏଚ୍ଏସ୍ ପ୍ରଣୟ ସିଙ୍ଗଲ୍ସ ଲଢ଼େଇରେ ଆକ୍ସନକୁ ଓହ୍ଲାଇବେ । ମହିଳା ଡବଲ୍ସରେ ଅଶ୍ୱିନୀ ପୋନାପ୍ପା ଓ ଏନ୍ ସିକି ରେଡ୍ଡୀ, ପୁରୁଷ ଡବଲ୍ସରେ ମନୁ ଅତ୍ରୀ ଓ ସୁମିଥ ରେଡ୍ଡୀ ଏବଂ ସାତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ, ମିକ୍ସଡ ଡବଲ୍ସରେ ଅଶ୍ୱିନୀ-ସାତ୍ୱିକ୍ ଏବଂ ପ୍ରଣବ ଚୋପ୍ରା ଓ ସିକି ଯୋଡ଼ି ମଇଦାନକୁ ଓହ୍ଲାଇବେ ।


Comments are closed, but trackbacks and pingbacks are open.