ଭୋଗରାଇ,(ବି.ବି.ନ୍ୟୁଜ୍): ଏଯାଏଁ ମୌସୁମୀ ବର୍ଷା ସ୍ୱାଭାବିକ ହୋଇନାହିଁ । ଆଷାଢ଼ ସରି ଶ୍ରାବଣ ମାସ ଅଧା ହେଲାଣି । ହେଲେ ଭୋଗରାଇ ଓ ପାଖ ପଶ୍ଚିମବଙ୍ଗ ଇଲାକାରେ ବର୍ଷାର ଦେଖାନାହିଁ । ବିଲ ଫାଟି ଆଁ କଲାଣି । ଯେଉଁଠି ଯେମିତି ତଳି ପଡ଼ିଥିଲା, ସେ ସବୁ ଶୁଖିଗଲାଣି । ପାଣି ଅଭାବରୁ ଚାଷୀ ଚାଷ କାମ ଆରମ୍ଭ କରିପାରୁ ନାହାନ୍ତି । ଧାନଚାଷ ଉପରେ ନିର୍ଭର କରୁଥିବା ୮୦ ପ୍ରତିଶତ ଲୋକ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି । ବର୍ଷା ଦେବତା ଇନ୍ଦ୍ରଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ସ୍ଥାନରେ ବେଙ୍ଗ ବେଙ୍ଗୁଲିଙ୍କ ବାହାଘର କରାଯାଉଛି । ଏ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲ୍ଲାର ପ୍ରତି ଗାଁରେ ।
ଓଡ଼ିଶା ପରି ପଶ୍ଚିମବଙ୍ଗ ହେଉଛି କୃଷି ପ୍ରଧାନ ରାଜ୍ୟ । ପଶ୍ଚିମବଙ୍ଗ ବାଙ୍କୁଡ଼ା ଜିଲ୍ଲାର ପ୍ରାୟ ୮୦ ପ୍ରତିଶତ ଲୋକ ଧାନଚାଷ ଉପରେ ନିର୍ଭର କରନ୍ତି । ଚଳିତ ବର୍ଷ ଆବଶ୍ୟକ ପରିମାଣର ବର୍ଷା ହୋଇ ନଥିବାରୁ ଚାଷୀକୁଳ ହତାଶ ହୋଇ ପଡ଼ିଛନ୍ତି । ଚାଷ କାର୍ଯ୍ୟ ଆରମ୍ଭ କରିପାରୁ ନଥିବାରୁ ବିଜ୍ଞାନ ଯୁଗରେ ମଧ୍ୟ ପୁରାତନ ଅନ୍ଧବିଶ୍ୱାସ ଉପରେ ଚାଷୀକୁଳ ଭରସା କରିଛନ୍ତି । ବେଙ୍ଗ-ବେଙ୍ଗୁଲି ବାହାଘର କଲେ ଇନ୍ଦ୍ର ଦେବତା ସନ୍ତୁଷ୍ଟ ହୋଇ ବର୍ଷା କରନ୍ତି । ଗଁ-ଗାଁରେ ପ୍ରଚଳିତ ଏ ବିଶ୍ୱାସ ଆଧାରରେ ଲୋକେ ବେଙ୍ଗ ବାହାଘରରେ ମାତିଛନ୍ତି । ବାଙ୍କୁଡ଼ା ଜିଲ୍ଲା ଭଗବାନବାଦୀ ଗାଁରେ ଏହି ବାହାଘର ବଡ଼ ଜାକଜମକରେ କରାଯାଇଛି । ଏତେ ଆଡ଼ମ୍ବର ଦେଖି ଲୋକେ ତଟସ୍ଥ ହୋଇଛନ୍ତି । ବେଙ୍ଗ ବାହାଘରରେ ଆକର୍ଷଣୀୟ ଶୋଭାଯାତ୍ରା ହୋଇଛି । ବର ବେଶରେ ବେଙ୍ଗ ପାଲିଙ୍କିରେ ବସି କନ୍ୟା ବେଙ୍ଗୁଲି ଘରକୁ ଯାଇଛି । ହିନ୍ଦୁ ପରମ୍ପରା ଅନୁଯାୟୀ ବାଟବରଣିଠାରୁ ଆରମ୍ଭ କରି ହଳଦୀ ପାଣିରେ ପାଦଧୂଆ ପର୍ଯ୍ୟନ୍ତ ସବୁକିଛି ହୋଇଛି । ଶତାଧିକ ବରଯାତ୍ରୀ ଓ କନ୍ୟାପକ୍ଷ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ବରଯାତ୍ରୀଙ୍କୁ ଭବ୍ୟ ସ୍ୱାଗତ କରା ଯାଇଥିଲା । ସୁନ୍ଦର ସଜା ହୋଇଥିଲା ବିବାହ ବେଦୀ । ବୈଦିକ ରୀତିନୀତିରେ, ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ହୋଇଥିଲା ବିବାହ । ଯାନିଯୌତୁକ ସହ କନ୍ୟା ମା’ ବାସନ୍ତୀ ଘୋଷାଲ କନ୍ୟାଦାନ କରିଥିଲେ । ପାଣିଗ୍ରହଣ, ହାତଗଣ୍ଠି, ମାଳା ବଦଳି, ସିନ୍ଦୁର ପ୍ରଦାନ, ଖଇପୋଡ଼ା ଆଦି ମଧ୍ୟ ହୋଇଥିଲା । ବାଜା ବାଜିଥିଲା, ରୋଶଣୀ ହୋଇଥିଲା । ବରଯାତ୍ରୀଙ୍କ ସହ ୨ ହଜାରରୁ ଅଧିକ ଲୋକଙ୍କୁ ସ୍ୱାଦିଷ୍ଟ ଭୋଜନରେ ଆପ୍ୟାୟିତ କରିଥିଲେ କନ୍ୟାପକ୍ଷ । ଶେଷରେ ପାଲିଙ୍କିରେ ବସି ବେଙ୍ଗ ସହ ବିଦା ହୋଇଥିଲା ବେଙ୍ଗୁଲୀ । ବାଣ, ରୋଷଣି ଓ ଆଧୁନିକ ବାଦ୍ୟର ତାଳେ ତାଳେ ବରଯାତ୍ରୀମାନେ ନାଚି ନାଚି ଗାଁଦାଣ୍ଡ ଦୁଲୁକାଇଥିଲେ । ବର୍ଷା ପାଇଁ ବେଙ୍ଗ ବେଙ୍ଗୁଲିଙ୍କ ଏହି ବାହାଘରକୁ ଅନ୍ଧବିଶ୍ୱାସ କୁହା ଯାଉଥିଲେ ମଧ୍ୟ କେଉଁ କାଳରୁ ଏ ପ୍ରଥା ଚାଲି ଆସିଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ।
Comments are closed, but trackbacks and pingbacks are open.