ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଦକ୍ଷିଣ କୋରିଆଭିତ୍ତିକ କାର୍ ନିର୍ମାତା ‘କିଆ ମୋଟର୍ସ’ ଜୁନ୍ ୨୦ରେ ନିଜର ପ୍ରଥମ ମିଡ୍-ଏସ୍ୟୁଭି ‘ସେଲ୍ଟସ୍’ ଜରିଆରେ ଭାରତରେ ବଜାର ପ୍ରବେଶ କରିବ । କିଆ ମୋଟର୍ସ ଇଣ୍ଡିଆ ବିକ୍ରୟ ଓ ବିପଣନ ମୁଖ୍ୟ ମନୋହର ଭଟ୍ଟ ବୁଧବାର ଏହି ସୂଚନା ଦେଇଛନ୍ତି ।
ଶ୍ରୀ ଭଟ୍ଟ କହିଛନ୍ତି, ୨୦୧୮ ଅଟୋ ଏକ୍ସପୋ ଜରିଆରେ କିଆ ମୋଟର୍ସ ନିଜର ଭାରତ ପ୍ରବେଶ ସମ୍ପର୍କରେ ଘୋଷଣା କରିଥିଲା । ଆସନ୍ତା ୨୦ ତାରିଖରେ କମ୍ପାନି ନୂଆଦିଲ୍ଲୀଠାରେ ନିଜର ପ୍ରଥମ ମିଡ୍-ଏସ୍ୟୁଭି ‘ସେଲ୍ଟସ୍’ର ଗ୍ଲୋବାଲ ପ୍ରିମିୟମ କରିବ । ଏହାପରେ ଆସନ୍ତା ମାସ ଅର୍ଥାତ୍ ଜୁଲାଇରୁ ସେଲ୍ଟସ୍ ପାଇଁ ବୁକିଂ ଆରମ୍ଭ ହେବ । ଅଗଷ୍ଟ କିମ୍ବା ସେପ୍ଟେମ୍ବରରୁ ଏହି ନୂଆ କାର୍ର ଡେଲିଭରି ଆରମ୍ଭ ହେବ ।
ସେହିଭଳି ସେ କହିଛନ୍ତି, କିଆ ମୋଟର୍ସ ଇଣ୍ଡିଆ ପ୍ରତି ୬-୯ ମାସରେ ଭାରତକୁ ଗୋଟିଏ ଲେଖାଏଁ ନୂଆ କାର୍ ଛାଡ଼ିବ । ଏହା ଜରିଆରେ ୨୦୨୧ ସୁଦ୍ଧା ଭାରତୀୟ ବଜାରରେ କମ୍ପାନିର ୫ଟି ଗାଡ଼ି ଉପଲବ୍ଧ ହେବ ।
କିଆ ମୋଟର୍ସ ଆନ୍ଧ୍ରପ୍ରଦେଶର ଅନନ୍ତପୁରଠାରେ ୫୩୬ ଏକର ଜମି ଉପରେ ନିଜର ଭାରତ ମାନୁଫାକ୍ଚରିଂ ୟୁନିଟ୍ ନିର୍ମାଣ କରୁଛି । ଏହାର ଉତ୍ପାଦନ କ୍ଷମତା ବାର୍ଷିକ ୩ ଲକ୍ଷ ୟୁନିଟ୍ ରହିଛି । ଏହି ୟୁନିଟ୍ ସ୍ଥାପନ ପାଇଁ କମ୍ପାନି ମୋଟ୍ ୧୧୦ କୋଟି ଡଲାର ବା ପ୍ରାୟ ୭,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ କରୁଛି । ଏହି ମାନୁଫାକ୍ଚରିଂ ୟୁନିଟ୍ ମାଧ୍ୟମରେ କିଆ ମୋଟର୍ସ ଇଣ୍ଡିଆ ୧୦,୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ବୋଲି ଶ୍ରୀ ଭଟ୍ଟ ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.