ଜୟପୁର,(ବି.ବି.ନ୍ୟୁଜ୍): ଅବସରର ଦୁଇଦିନ ପରେ କେସିସି ବ୍ୟାଙ୍କର ପୂର୍ବତନ ଏଜିଏମ୍ ବିନୋଦ କୁମାର ଷଡଙ୍ଗୀଙ୍କ ବିରୁଦ୍ଧରେ ଅର୍ଥ ଆତ୍ମସାତ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ସେ ୨୮.୮୪ କୋଟି ଟଙ୍କା ଆତ୍ମସାତ କରିଥିବା ସମ୍ପର୍କରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଉମାକାନ୍ତ ରଥ ଅଭିଯୋଗ କରିବା ପରେ ଏହାର ତଦନ୍ତ କରିଛନ୍ତି ସମବାୟ ସମିତି ସମୂହର ଉପନିବନ୍ଧକ ଭବାନୀ ପ୍ରସାଦ । ଅଭିଯୋଗକାରୀଙ୍କୁ ଏ ସମ୍ପର୍କରେ ତଥ୍ୟ ମାଗିଛନ୍ତି । ଏଥିସହ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ(କେସିସି)ର ସମ୍ପାଦକ ଅନନ୍ତ କୁମାର ସାମଲଙ୍କ ସହ ଅଭିଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି ଡିଆରସିଏସ୍ ଶ୍ରୀ ପ୍ରସାଦ । ଏ ସମ୍ପର୍କରେ ଯାହା ବି କାଗଜପତ୍ର ରହିଛି, ସେସବୁ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଶ୍ରୀ ଷଡ଼ଙ୍ଗୀଙ୍କ ବିରୁଦ୍ଧରେ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ, ମୁଖ୍ୟ ସଚିବ, କମିଶନର ତଥା ସଚିବ, ସମବାୟ ସମିତି ସମୂହ ନିବନ୍ଧକ,ରାଜ୍ୟ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକଙ୍କ ନିକଟରେ ଏଭଳି ଅଭିଯୋଗ ଆଣିଥିଲେ ଶ୍ରୀ ରଥ । ଅଭିଯୋଗ ପାଇବା ପରେ ଏହାର ତଦନ୍ତ କରିବାକୁ ଏକ ଟିମ୍ ଆସିବାର ଥିଲା । କିନ୍ତୁ କୌଣସି କାରଣରୁ ଆସିନଥିଲା । ପରେ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବାକୁ ଡିଆରସିସଏସ୍ଙ୍କୁ ନିର୍ଦ୍ଦେଶ ଦେଇଥିଲା ସମବାୟ ବିଭାଗ । ଆଜି ତଦନ୍ତ ସମୟରେ ଅଭିଯୋଗକାରୀ ଉମାକାନ୍ତ ରଥ, ପୂର୍ବତନ ଏଜିଏମ୍ ବିନୋଦ ଷଡ଼ଙ୍ଗୀ ଓ ସମ୍ପାଦକ ଅନନ୍ତ କୁମାର ସାମଲ ଉପସ୍ଥିତ ଥିଲେ । ଶ୍ରୀ ରଥ ଦେଇଥିବା ଅଭିଯୋଗ ଅନୁସାରେ, ପୂର୍ବତନ ଏଜିଏମ୍ ଶ୍ରୀ ଷଢଙ୍ଗୀ ନିଜ ପଦବୀର ଅପବ୍ୟବହାର କରିଥିଲେ । କାଲିମେଲା ଲ୍ୟାମ୍ପସ୍ର ଏମ୍ଭି ୭୯ ଶାଖା ବ୍ୟାଙ୍କରେ ହୋଇଥିବା ଦୁର୍ନୀତିରେ ସମ୍ପୃକ୍ତ ଅଛନ୍ତି । ବେନାମୀ ଚାଷୀଙ୍କ ନାଁରେ ଋଣପ୍ରଦାନ କରାଯାଇଥିବା ଦର୍ଶାଇ ୫.୨୫ କୋଟି ଟଙ୍କା ଆତ୍ମସାତ କରିଛନ୍ତି । ସେହିପରି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ରାଞ୍ଚର ମଇଦଲପୁର, ପାପଡାହାଣ୍ଡି, କୋଡିଙ୍ଗା ଲ୍ୟାମ୍ପସରେ ୧୧. ୧୦ କୋଟି ଓ ଉମରକୋଟ ବ୍ରାଞ୍ଚର ଝରିଗାଁ ଓ ଚନ୍ଦାହାଣ୍ଡି ଲ୍ୟାମ୍ପସରେ କାର୍ଯ୍ୟ କରୁଥିବା ସମୟରେ ୧୧.୧୦ କୋଟି ଟଙ୍କା ଦୁର୍ନୀତି କରିଛନ୍ତି । ମଣ୍ଡି ହ୍ୟାଣ୍ଡଲିଂ ବାବଦରେ ୪.୧୦ କୋଟି ଟଙ୍କା ହଡପ କରିଛନ୍ତି । ସରକାରଙ୍କ ଧାର୍ଯ୍ୟଦରରୁ ଅଧିକ ମଣ୍ଡି ହ୍ୟାଣ୍ଡଲିଂ ଖର୍ଚ୍ଚ ଦର୍ଶାଇ ଟଙ୍କା ଲୁଟ କରିଛନ୍ତି । ଏହି ମାମଲା ଭିଜିଲାନ୍ସ କୋର୍ଟରେ ବିଚାରାଧୀନ ରହିଛି । ସେହିପରି ପାପଡାହାଣ୍ଡି ଲ୍ୟାମ୍ପସର ଚାଷୀମାନଙ୍କୁ ଦୁଇଥର ଲେଖାଏଁ ଧାନ ଟଙ୍କା ଦିଆଯାଇଛି । ଚାଷୀଙ୍କ ନାଁରେ ଦୁଇଥର ଲେଖାଏଁ ଟଙ୍କା ଜମା କରି ପରେ ସେ ସବୁ ଉଠାଇ ହଡପ କରିଛନ୍ତି । ଏଥିରେ ପୂର୍ବତନ ଏଜିଏମ୍ ଶ୍ରୀ ଷଢଙ୍ଗୀଙ୍କ ସମ୍ପୃକ୍ତି ରହିଛି । ଅବିଭକ୍ତ କୋରାପୁଟ ଜିଲ୍ଲାର ୫୫ଟି ଲ୍ୟାମ୍ପସ୍ର ବିଭିନ୍ନ ପଦବୀରେ କର୍ମଚାରୀ ନିଯୁକ୍ତି କରାଯାଇଥିଲା । ବିନା ବିଜ୍ଞାପନରେ ୨୫୫ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେମାନଙ୍କଠାରୁ ଶ୍ରୀ ଷଡଙ୍ଗୀ ୧ କୋଟି ୮୦ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି । ଏଥିସହ ନିଜ ପଦବୀର ଅପବ୍ୟବହାର କରି କେସିସି ବ୍ୟାଙ୍କ ପାଇଁ ଫର୍ଣ୍ଣିଚର, ବ୍ୟାଙ୍କ ଶାଖା ମରାମତି ଓ ଆସବାସପତ୍ର କିଣାରେ ୭୮ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି । ଏସବୁ ଅଭିଯୋଗ ସହ ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ଥିବା ବେଳେ ଦୁଇ ଦୁଇ ଥର କିପରି ତାଙ୍କୁ ପଦୋନ୍ନତି ଦିଆଯାଇଛି ବୋଲି ପ୍ରଶ୍ନ କରିଥିଲେ । ଏହାର ତଦନ୍ତ କରିବାକୁ ଅନୁରୋଧ କରିଥିଲେ ଶ୍ରୀ ରଥ ।


Comments are closed, but trackbacks and pingbacks are open.