ମାଲକାନଗିରିରେ ପୁଣି ବନ୍ୟା

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନ୍ୟୁଜ୍): ସ୍ଥିତିରେ ଟିକିଏ ସୁଧାର ଆସୁଥିବା ବେଳେ ପୁଣି ହୋଇଛି ପ୍ରବଳ ବର୍ଷା । ଦ୍ୱିତୀୟ ଥର ପାଇଁ ଜିଲ୍ଲାରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି । ଜାତୀୟ ରାଜପଥ, ରାଜ୍ୟ ରାଜପଥ ଏବଂ ଗାଁଗହଳିରେ ଥିବା ବିଭିନ୍ନ ନଦୀର ପୋଲ ଉପରେ ପ୍ରାୟ ୫ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ଫଳରେ ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଗାଡ଼ି ଚଳାଚଳ ବନ୍ଦ ରହିଛି । ବିଭିନ୍ନ ପୋଲ ନିକଟରେ ପୁଲିସ୍ ଜଗି ରହିଛିି । ପାଣି ଭିତରେ ନପଶିବାକୁ ବାରଣ କରୁଛନ୍ତି । ବନ୍ୟା ପରିସ୍ଥିତି ଏବଂ ଲଘୁଚାପଜନିତ ବର୍ଷାକୁ ଆଖିରେ ରଖି ପ୍ରଶାସନ ପକ୍ଷରୁ ଜିଲ୍ଲାର ସବୁ ସ୍କୁଲ ୨ଦିନ ଶୁକ୍ରବାର ଓ ଶନିବାର ଛୁଟି ଘୋଷଣା କରାଯାଇଛି ।
ଗୁରୁବାର ରାତିରେ ଲଗାଣ ବର୍ଷା ଯୋଗୁ ପୁଣିଥରେ ପାଣିରେ ଉବୁଟୁବୁ ହେଉଛନ୍ତି ଜିଲ୍ଲାବାସୀ । ବିଶେଷକରି ମାଲକାନଗିରି-ଜୟପୁର ମୁଖ୍ୟ ରାଜପଥରେ ଥିବା ପାଙ୍ଗାମ ପୋଲ ଉପରେ ୪ ଫୁଟ ଉଚ୍ଚରେ ପାଣି ଚାଲୁଛି । ଫଳରେ ମାଲକାନଗିରିରୁ ଜୟପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଜୟପୁର, କୋରାପୁଟ, ନବରଙ୍ଗପୁର, ରାୟଗଡା, ଭବାନୀପାଟଣା, ବ୍ରହ୍ମପୁର, ନୟାଗଡ, ଭୁବନେଶ୍ୱର, କଟକ, ବିଜୟନମଗରମ ଏବଂ ବିଶାଖାପାଟଣାକୁ ଚଳାଚଳ କରୁଥିବା ସମସ୍ତ ବସ୍ ମାଲକାନଗିରି ବସଷ୍ଟାଣ୍ଡରେ ଅଟକି ରହିଛି । ସେହିପରି କାଲିମେଳା-ମୋଟୁ ମୁଖ୍ୟ ରାସ୍ତାର ପୋଟେରୁ, କାଙ୍ଗୁରକୋଣ୍ଡା, ଏମ୍ଭି୯୦, ଏମ୍ଭି୭୯, ଏମ୍ଭି୯୬ ଏବଂ ମହାରାଜପାଲ୍ଲି ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ମାଲକାନଗିରିରୁ କାଲିମେଳା, ଏମ୍ଭି୭୯ ଏବଂ ମୋଟୁ ଅଞ୍ଚଳକୁ ଯୋଗାଯୋଗ ଠପ୍ ହୋଇଯାଇଛି । ପୋଟେରୁ ଏବଂ କାଙ୍ଗୁରକୋଣ୍ଡା ପୋଲ ନିକଟ ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଗାଡ଼ି ଅଟକି ରହିଛି । ସେହିପରି କାଲିମେଳା-ପଡ଼ିିଆ ରାସ୍ତାର ଉଣ୍ଡୁରକୋଣ୍ଡା କନ୍ୟାଶ୍ରମ ପୋଲ ଉପରେ ୩ ଫୁଟ ଉଚ୍ଚରେ ପାଣି ଚାଲୁଥିବାରୁ ପଡ଼ିିଆ ବ୍ଲକକୁ ଯୋଗାଯୋଗ ବିଚ୍ଛିିନ୍ନ ହୋଇଯାଇଛି । ମାଲକାନଗିରି-ସୁକ୍ମା ରାସ୍ତାର ଚାଲାଣଗୁଡ଼ା ପୋଲ ଏବଂ ସାବେରୀ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇ ଝାପରା ପୋଲ ଉପରେ ପାଣି ଚାଲୁଥିବାରୁ ସୀମାନ୍ତ ଛତିଶଗଡ଼ର ସୁକ୍ମା, ଜଗଦଲପୁର ଏବଂ ରାୟପୁରକୁ ଗାଡ଼ି ଚଳାଚଳ ବନ୍ଦ ରହିଛି ।
ଖଇରାପାଲି-ପାଖନାଗୁଡା, ନାୟକଗୁଡା-ଖଇରାପାଲି,ପୋଡାଘାଟ-ଆମ୍ବାଗୁଡା ଏବଂ ସଲପପଦର ପୋଲ ଉପରେ ବି ୩ରୁ ୪ ଫୁଟ ଉଚ୍ଚରେ ପାଣି ଚାଲୁଛି । ଖଇରପୁଟ ବ୍ଲକର ପୋଡାଘାଟରେ ତିଆରି ହୋଇଥିବା ନୂଆପୋଲ ଧୋଇଯାଇଛି । ଫଳରେ ପୂଜାରୀଗୁଡା, ଜାମୁଗୁଡା ଏବଂ ପୋଡାଘାଟ ଗାଁକୁ ଯୋଗାଯୋଗ ବନ୍ଦ ହୋଇଯାଇଛି । ବର୍ଷା ଲାଗିରହିବା ଫଳରେ ସାବେରୀ, ସିଲେରୁ, ସପ୍ତଧାରା ଏବଂ ତମସା ନଦୀଗୁଡିକରେ ବନ୍ୟାଜଳ ପ୍ରବାହିତ ହୋଇ ତଳିଆ ଅଞ୍ଚଳରେ ପ୍ରବେଶ କରିଛି । ଏଥିଯୋଗୁ ବହୁ ରାସ୍ତା ଓ କଚ୍ଚା ଘର ନଷ୍ଟ ହୋଇଛି । ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ପିଡି ଡିଆରଡିଏ ଲିଙ୍ଗରାଜ ପଣ୍ଡା, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ପିଏ ଆଇଟିଡିଏ ରାମକ୍ରିଷ୍ଣା ଗଣ୍ଡ,ମାଲକାନଗିରି ବିଡିଓ ଗୁଣନିଧି ନାୟକଙ୍କ ସହିତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ୫ ଦିନ ମଧ୍ୟରେ ଜିଲ୍ଲାରେ ଦୁଇ ଥର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବହୁ ଗ୍ରାମବାସୀଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି । ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଡିଇଓ ରମେଶ ଚନ୍ଦ୍ର ସେଠୀ ଜିଲ୍ଲାରେ ଥିବା ଶିକ୍ଷା ବିଭାଗ ଏବଂ ମଙ୍ଗଳ ବିଭାଗର ବିଦ୍ୟାଳୟଗୁଡିକୁ ଶୁକ୍ରବାର ଏବଂ ଶନିବାର ଛୁଟି ଘୋଷଣା କରିଛନ୍ତି ।
ସୂଚନାଥାଉକି, ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ସକାଳ ୮ଟା, ୨୪ ଘଣ୍ଟା ମଧ୍ୟରେ ସମଗ୍ର ମାଲକାନଗିରି ଜିଲ୍ଲାରେ ହାରାହାରି ୧୧୫.୮୬ ମିମି ବର୍ଷା ରେକର୍ଡ କରାଯାଇଛି । କେବଳ କାଲିମେଳା ବ୍ଲକରେ ସର୍ବାଧିକ ୧୪୫ ମିଲିମିଟର ବର୍ଷା ହୋଇଛି । ସେହିପରି ମାଲକାନଗିରି ବ୍ଲକରେ ୧୧୭ ମିମି, ପଡିଆରେ ୧୧୭ ମିମି, କୁଡୁମୁଲୁଗୁମ୍ମାରେ ୧୨୦ ମିମି, ମାଥିଲି ବ୍ଲକରେ ୧୧୭ମିମି, ଖଇରପୁଟରେ ୧୦୦ମିମି ଏବଂ କୋରୁକୋଣ୍ଡା ବ୍ଲକରେ ୯୫ ମିମି ବର୍ଷା ହୋଇଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ସୂତ୍ରରୁ ଜଣାପଡିଛି ।
ଲଗାଣ ବର୍ଷାରେ ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଡ୍ରେନେଜ ବ୍ୟବସ୍ଥା ଭଲ ନଥିବାରୁ ଅନେକ ସ୍ଥାନରେ ପାଣି ଜମି ରହିଛି । କେତେକ ବସ୍ତିରେ ଡ୍ରେନ ପାଣି ଘରେ ଘରେ ପଶିଯାଇଛି । ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ସାହି ବସ୍ତିରେ ରାସ୍ତା ଓ ଡ୍ରେନ ନିର୍ମାଣ କରାଯାଇଛି । ସେଗୁଡିକ ଅତ୍ୟନ୍ତ ନିମ୍ନମାନର ହୋଇଛି । ଡ୍ରେନଗୁଡ଼ିକ ସଫା ହେଉନଥିବାରୁ ମଇଳା ଜମି ପାଣି ନିଷ୍କାସିତ ହୋଇପାରୁନି । ସହରର କୁମୁଟିଗୁଡାରେ ସୁମିତ୍ରା ମହାନ୍ତିଙ୍କ ଘରେ ପାଣି ପଶିଯାଇଛି । ପାଣିରେ ଉବୁଟୁବୁ ହୋଇଛି ୪ ବଖରା । ବିଛଣା, ଆସବାବପତ୍ର ଏବଂ ଧାନ ଚାଉଳ ନଷ୍ଟ ହୋଇଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons