କୁନ୍ଦୁଲି ଗଣବଳାକ୍ରାର ଓ ଆତ୍ମହତ୍ୟା ମାମଲା:ମାସକ ଭିତରେ ତଦନ୍ତ ରିପୋର୍ଟ ଦିଅ

Get real time updates directly on you device, subscribe now.

କଟକ,(ବି.ବି.ବ୍ୟୁରୋ): ଉତ୍ତରପ୍ରଦେଶର ଉନ୍ନାଓ ଗଣବଳାକ୍ରାର ଘଟଣାରେ ସୁପ୍ରିମ୍କୋର୍ଟଙ୍କ କଡ଼ା ଆଭିମୁଖ୍ୟ ଓ ରାୟ ପରିପ୍ରେକ୍ଷୀରେ ଆଜି ଓଡ଼ିଶା ହାଇକୋର୍ଟ ମଧ୍ୟ କୁନ୍ଦୁଲି ଗଣବଳାକ୍ରାର ଓ ଆତ୍ମହତ୍ୟା ମାମଲାର ତଦନ୍ତ ନେଇ ନିଜର କଠୋର ଆଭିମୁଖ୍ୟ ଜାହିର କରିଛନ୍ତି । ହାଇକୋର୍ଟ ଆଜି ମାମଲାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ମାସକ ଭିତରେ ତଦନ୍ତ ଶେଷ କରି ରିପୋର୍ଟ ଦାଖଲ କରିବାକୁ ଆଦେଶ ଦେଇଛନ୍ତି । କୁନ୍ଦୁଲି ପୀଡ଼ିତାଙ୍କ ମା’ ଡମାଇ ଛାଟି ଓ ବିଜେପି ନେତା ମହାମେଘବାହନ ଐର ଖାରବେଳ ସ୍ୱାଇଁଙ୍କ ପକ୍ଷରୁ ଆଗତ ମାମଲାର ଏକତ୍ର ଶୁଣାଣି କରି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଏବଂ ବିଚାରପତି ଜଷ୍ଟିସ୍ କେ.ଆର୍. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ମାମଲାର ଶୁଣାଣି ଅବସରରେ ଆଜି ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜା କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ ଶେଷ କରିବାକୁ ଅଦାଲତଙ୍କଠାରୁ ଆଉ ୩ ମାସ ସମୟ ଲୋଡ଼ିଥିଲେ । କିନ୍ତୁ ଅଦାଲତ ଏହି ଆବେଦନକୁ ଗ୍ରହଣ ନକରି ଆସନ୍ତା ଗୋଟିଏ ମାସ ମଧ୍ୟରେ ତଦନ୍ତ ଶେଷ କରି ରିପୋର୍ଟ ଦାଖଲ ପାଇଁ ଆଦେଶ ଦେଇଛନ୍ତି । ଅପରପକ୍ଷରେ ଓଡିଶା କ୍ରାଇମ୍ବ୍ରାଞ୍ଚ୍ର ତଦନ୍ତରେ ଅଦାଲତ ଅସନ୍ତୋଷ ବ୍ୟକ୍ତ କରିବା ସହ, ମାସକ ମଧ୍ୟରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ ଲାଗି ୬ଜଣଙ୍କ ନାମ ପ୍ରସ୍ତାବ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏସ୍ଆଇଟି ସଦସ୍ୟ ଭାବେ ଦୁଇଟି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ୪ଜଣ ଉଚ୍ଚପଦସ୍ଥ ଅଧିକାରୀ ଏବଂ ରାଜ୍ୟ ସରକାରଙ୍କ ଦୁଇଟି ତଦନ୍ତକାରୀ ସଂସ୍ଥାର ଦୁଇ ଜଣ ଉଚ୍ଚପଦସ୍ଥ ଅଧିକାରୀଙ୍କ ନାମ ସୁପାରିସ ପାଇଁ ହାଇକୋର୍ଟ କହିଛନ୍ତି । ଯଦି ହାଇକୋର୍ଟ କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ ରିପୋର୍ଟରେ ଅସନ୍ତୋଷ ପ୍ରକାଶ କରନ୍ତି ତାହେଲେ ଏସ୍ଆଇଟି ଦ୍ୱାରା ମାମଲାର ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି ।
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ଥାନା କୁନ୍ଦୁଲି ଗ୍ରାମପଞ୍ଚାୟତ ନିକଟସ୍ଥ ସୋରିଷପଦର ଜଙ୍ଗଲରେ ଜଣେ ନାବାଳିକାଙ୍କୁ ୨୦୧୭ ଅକ୍ଟୋବର ୧୦ ରେ ଗଣବଳାକ୍ରାର କରାଯାଇଥିଲା । ଯବାନଙ୍କ ୟୁନିଫର୍ମ୍ରେ କେହି ତାଙ୍କୁ ବଳାକ୍ରାର କରିଥିବା ଅଭିଯୋଗ ହୋଇଥିଲା । ନବମ ଶ୍ରେଣୀରେ ପଢୁଥିବା ୧୪ ବର୍ଷର ଏହି ନାବାଳିକା ଜଣକ ନ୍ୟାୟ ନପାଇ ୨୦୧୮ ଜାନୁଆରୀ ୨୨ରେ ଆତ୍ମହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଏହି ଘଟଣାରେ ରାଜ୍ୟ ସରକାର ଗୋଟିଏ ପଟେ କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲାବେଳେ ଅନ୍ୟପଟେ ବିଚାର ବିଭାଗୀୟ ତଦନ୍ତ କମିସନ ବସାଇଥିଲେ । ଅନ୍ୟପକ୍ଷରେ ଏହି ଘଟଣାରେ ହାଇକୋର୍ଟରେ ପ୍ରାୟ ୭ଟି ମାମଲା ରୁଜୁ ହୋଇଥିଲା । ସେଥିମଧ୍ୟରୁ ୪ଟି ମାମଲା ପ୍ରତ୍ୟାହୃତ ହୋଇଯାଇଥିଲାବେଳେ ଗୋଟିଏ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଥିଲେ । ଏବେ ଆଉ ଦୁଇଟି ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଛି । ଏହି ଦୁଇଟି ମାମଲାର ଶୁଣାଣି କ୍ରମରେ ହାଇକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ମହାମେଘବାହନ ଐର ଖାରବେଳ ସ୍ୱାଇଁଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଏହି ମାମଲା ପରିଚାଳନା କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons