ବର୍ମିଂହାମ: ପ୍ରଥମ ଇନିଂସରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ଷ୍ଟିଭେନ ସ୍ମିଥ୍ଙ୍କ ପ୍ରତ୍ୟାବର୍ତ୍ତନ ଶତକୀୟ ଇନିଂସ ଯୋଗୁ ଦଳ (୨୮୪) ଏକ ସମ୍ମାନଜନକ ସ୍କୋର କରି ପାରିଥିଲା । ପ୍ରଥମ ଦିବସ ଶେଷ ହେବା ବେଳକୁ ଇଂଲଣ୍ଡ କୌଣସି ୱିକେଟ ନହରାଇ ୧୦ ରନ୍ ସଂଗ୍ରହ କରିଥିଲା । ଦ୍ୱିତୀୟ ଦିବସରେ ଘରୋଇ ବ୍ୟାଟ୍ସମ୍ୟାନ ଲଢ଼ୁଆ ପ୍ରଦର୍ଶନ କରିଛନ୍ତି । ୭୩ ଓଭର ଶେଷ ସୁଦ୍ଧା ଇଂଲଣ୍ଡ ୪ ୱିକେଟ୍ ୨୧୬ ରନ୍ ସଂଗ୍ରହ କରିଛି ।
ଇଂଲଣ୍ଡ ଓପନର ରୋରି ବୋର୍ଣ୍ଣସ ଓ ଜାସନ ରୟ ଯୋଡ଼ି ଦ୍ୱିତୀୟ ଦିବସରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ରୟ (୧୦ ରନ୍) ସହଳ ପାଭିଲିୟନ ଫେରି ଯାଇଥିଲେ । ତେବେ ଏହାପରେ ବର୍ଣ୍ଣସ ଓ ଅଧିନାୟକ ଜୋ ରୁଟ୍ଙ୍କ ମଧ୍ୟରେ ଏକ ବଡ଼ ଭାଗିଦାରୀ ଗଢ଼ି ଉଠିଥିଲା । ଦୁଇ ବ୍ୟାଟ୍ସମ୍ୟାନ ଧୈର୍ଯ୍ୟପୂର୍ଣ୍ଣ ପ୍ରଦର୍ଶନ ସହ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ପ୍ରଥମେ ବର୍ଣ୍ଣସ ଓ ପରେ ରୁଟ୍ ଅର୍ଦ୍ଧଶତକ ହାସଲ କରିଥିଲେ । ଦଳୀୟ ସ୍କୋର ୧୫୪ ରନ୍ରେ ପହଞ୍ଚିବା ପରେ ରୁଟ୍ ଆଉଟ୍ ହୋଇଥିଲେ । ସେ ୫୭ ରନ୍ କରିଥିଲେ । ତାଙ୍କ ସ୍ଥାନ ନେଇଥିଲେ ଜୋ ଡେନଲି । ସେ ମଧ୍ୟ ଅଧିକ ସମୟ ତିଷ୍ଠି ପାରି ନଥିଲେ । ସେ ୧୮ ଏବଂ ତାଙ୍କ ପରେ ଆସିଥିବା ଜୋସ ବଟଲର ୫ ରନ୍ କରି ଆଉଟ୍ ହୋଇଥିଲେ । ବର୍ଣ୍ଣସ ୯୨ ରନ୍ କରି ଅପରାଜିତ ରହିଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ଜେମ୍ସ ପାଟିନସନ୍ ୨ ଓ ପିଟର ସିଡଲ ଗୋଟିଏ ୱିକେଟ୍ ହାସଲ କରିଛନ୍ତି ।
Comments are closed, but trackbacks and pingbacks are open.