ଆଗୁଆ ସରିଲା ବଜେଟ୍ ଅଧିବେଶନ:ଅନିର୍ଦ୍ଦିଷ୍ଟ କାଳ ଯାଏଁ ଗୃହ ମୁଲତବି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ତଥା ବଜେଟ୍ ଅଧିବେଶନ ଆଜି ଶେଷ ହୋଇଛି । ୫ ଦିନ ଆଗରୁ ସର୍ବ ସମ୍ମତିକ୍ରମେ ଏହି ଅଧିବେଶନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଆଜି ସଂଧ୍ୟା ୮ଟା ୪୫ ମିନିଟରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅନିର୍ଦ୍ଦିଷ୍ଟକାଳ ଯାଏ ମୁଲତବି ଘୋଷଣା କରିଛନ୍ତି ।
ଜୁନ୍ ୨୫ରୁ ଆରମ୍ଭ ହୋଇଥିବା ଏହି ୨୫ ଦିନିଆ ଅଧିବେଶନ ବେଶ୍ ଘଟଣା ବହୁଳ ଥିଲା । ଏହି ଅଧିବେଶନରେ ପଞ୍ଚମ ପାଳିର ନବୀନ ସରକାର ତାଙ୍କର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ, ଯାହା ଗତ ୩୧ ତାରିଖ ଦିନ ପାରିତ ହୋଇଥିଲା । ପ୍ରଥମ ଥର ପାଇଁ ମୁଖ୍ୟ ବିରୋଧୀ ଦଳର ଆସନ ମିଳିଥିଲା ବିଜେପିକୁ । କଂଗ୍ରେସ ଦ୍ୱିତୀୟ ବିରୋଧୀ ଦଳର ମାନ୍ୟତା ପାଇଥିଲା । ଏହି ଅଧିବେଶନ କାଳରେ ମୋଟ ୫ଟି ବିଲ ପାରିତ ହୋଇଥିଲା । ଶେଷ ଦିନରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ ହୋଇଥିଲା । ଏଏସ୍ବିଏମ୍ ବିଶ୍ୱବିଦ୍ୟାଳୟ ବିଲ, ଓଡ଼ିଶା ଲୋକାୟୁକ୍ତ (ସଂଶୋଧନ) ବିଲ୍ ଏବଂ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍ ଶେଷାର୍ଦ୍ଧରେ ହିଁ ପାରିତ ହୋଇଥିଲା ।
ଚଳିତ ଅଧିବେଶନରେ ସର୍ବାଧିକ ସମୟ ପ୍ରଶ୍ନକାଳ ଚାଲିଥିଲା । ମୋଟ ୨,୦୦୪ଟି ତାରକାଚିହ୍ନିତ ପ୍ରଶ୍ନ ମଧ୍ୟରୁ ୧୦୧ଟି ପ୍ରଶ୍ନ ଉପରେ ଗୃହରେ ଆଲୋଚନା ହୋଇଥିଲା । ଗୃହରେ ୫ ଜଣ ପୂର୍ବତନ ମନ୍ତ୍ରୀ ଓ ବିଧାୟକ ଏବଂ ୩ ଜଣ ସାମରିକ ତଥା ପୁଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ମୋଟ ୧୨ଟି ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ୧୯ଟି ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇଥିଲା । ଏହି ଅବଧି ମଧ୍ୟରେ ୨,୯୯୪ଟି ଅଣତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଉପସ୍ଥାପନ କରାଯାଇଥିଲା । ୩ଟି ଦୃଷ୍ଟି ଆକର୍ଷଣକାରୀ ପ୍ରଶ୍ନ ଉପରେ ଆଲୋଚନା ହୋଇଥିଲା । ୬ଟି ପ୍ରସଙ୍ଗରେ ଗୃହରେ ବିବରଣୀ ପ୍ରଦାନ କରାଯାଇଥିଲା । ୧୯ଟି ବିଭାଗର ବାର୍ଷିକ ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଥିଲା । ୪୩ଟି କମିଟି ରିପୋର୍ଟ ଉପସ୍ଥାପନ କରାଯାଇଥିବା ବେଳେ ୬୭ଟି ନିବେଦନ ଉତ୍ଥାପନ କରାଯାଇଥିଲା । ଚଳିତ ଅଧିବେଶନରେ ୧୪୮ଟି ପେପର ଉପସ୍ଥାପନ ହୋଇଥିଲା ।
ଆଜି ସନ୍ଧ୍ୟା ଅଧିବେଶନରେ ସରକାରୀ ସଦସ୍ୟ ପ୍ରତାପ କେଶରୀ ଦେବ ଏକ ପଏଣ୍ଟ ଅଫ୍ ଅର୍ଡର ଜରିଆରେ ବିଧାନସଭା କାର୍ଯ୍ୟ ଅବଧି ଆଗୁଆ ସାରିଦେବାକୁ ନିବେଦନ କରିଥିଲେ । ଶ୍ରୀ ଦେବ କହିଥିଲେ, ଏହି ଲମ୍ବା ଅବଧି ମଧ୍ୟରେ ଯେତେସବୁ ବୈଧାନିକ କାର୍ଯ୍ୟ ହେବାର ଥିଲା, ତାହା ଶେଷ ହୋଇଛି । ସରକାରଙ୍କ ପାଖରେ ଆଉ କୌଣସି କାର୍ଯ୍ୟ ନାହିଁ । ତେଣୁ ୮ ତାରିଖ ଯାଏଁ ଗୃହ କାର୍ଯ୍ୟ ଚଳାଇବାର କୌଣସି ଆବଶ୍ୟକତା ନାହିଁ । ଶ୍ରୀ ଦେବଙ୍କ ପ୍ରସ୍ତାବକୁ ବିଧାୟକ ପ୍ରଫୁଲ୍ଲ ସାମଲ, ଅଶ୍ୱିନୀ କୁମାର ପାତ୍ର ପ୍ରମୁଖ ସମର୍ଥନ କରିଥିଲେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏ ସମ୍ପର୍କରେ ଗୃହର ମତ ଲୋଡ଼ିଥିଲେ । ଗୃହକୁ ମୁଲତବି କରିବା ପାଇଁ ସର୍ବସମ୍ମତ ମତପ୍ରକାଶ ପାଇଥିଲା । ତା’ପରେ ବାଚସ୍ପତି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଗତ କରିବାକୁ ଡାକିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ପ୍ରସ୍ତାବ ଆଗତ କରିବା ପରେ ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବନ୍ଦେ ଉକ୍ରଳ ଜନନୀ ଗାନ କରାଯାଇଥିଲା । ୮ଟା ୪୫ ମିନିଟରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବି ଘୋଷଣା କରିଥିଲେ । ଗୃହ ମୁଲତବି ହେବାପରେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତା, ସବୁଦଳର ମୁଖ୍ୟ ସଚେତକ ଗୃହର ମଧ୍ୟଭାଗକୁ ଆସି ପରସ୍ପର କରମର୍ଦ୍ଦନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons