ମୁମ୍ବାଇ: ମୁମ୍ବାଇରେ ଗତକାଲି ରାତିରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ସହରର ବିଭିନ୍ନ ସ୍ଥାନରେ ରାସ୍ତା ଓ ରେଳଲାଇନରେ ବର୍ଷାପାଣି ଜମି ରହିଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କେତେକ ସ୍ଥାନରେ ବର୍ଷାପାଣି ଜମି ରହିଥିବାରୁ ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ଉପନଗରୀ ଟ୍ରେନ ସେବା ମଧ୍ୟ ପ୍ରଭାବିତ ହୋଇଛି । ବିମାନ ସେବା କିଛି ମାତ୍ରାରେ ପ୍ରଭାବିତ ହୋଇଛି ।
ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଆସନ୍ତାକାଲି ପର୍ଯ୍ୟନ୍ତ ସହରରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି । ମୁମ୍ବାଇ ସହର ସମେତ ଗୋରେଗାଓଁ, କାଣ୍ଡିଭାଲି, ମଲାଡ, ଆନେ୍ଧରୀ ଓ ଦହିସାର ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି । ସମୁଦ୍ରରେ ଉଚ୍ଚ ଜୁଆର ମଧ୍ୟ ଦେଖିବାକୁ ମିଳିଛି । ପ୍ରାୟ ୪.୯୦ ମିଟର ଉଚ୍ଚର ଜୁଆର ଆସିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ମୁମ୍ବାଇ ଶାଖାର ଉପମହାନିର୍ଦ୍ଦେଶକ କେ.ଏସ୍.ହେସାଲିକର କହିଛନ୍ତି । ତେଣୁ ସମୁଦ୍ର କୂଳକୁ ନଯିବା ଲାଗି ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିଭଳି ଥାନେ, ପାଲଘର, ରତ୍ନଗିରି, କୋହ୍ଲାପୁର, ନନ୍ଦୁରବାର, ଗଡଚିରୋଲି ଓ ରାଇଗଡରେ ଲଗାଣ ବର୍ଷା ଜାରି ରହିଥିଲା ବେଳେ ଆଗାମୀ ୨୪ ଘଣ୍ଟା ଧରି ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି ।
ବିରାର ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ରାସ୍ତାଘାଟ ପାଣିରେ ବୁଡିରହିଛି । ଗାଡି ଚଳାଚଳ ବନ୍ଦ ରହିଛି । ନାସିକରେ ଗୋଦାବଦୀ ନଦୀର ବନ୍ୟାଜଳ ତଳିଆ ଅଞ୍ଚଳରେ ପ୍ରବେଶ କରିଛି । କୁର୍ଲା, ସିଅନ ଓ ଚୁନଭାଟି ଅଞ୍ଚଳରେ ଟ୍ରେନ ଲାଇନରେ ବର୍ଷାଜଳ ଜମି ରହିଛି । ଫଳରେ ହାର୍ବର ଲାଇନରେ ୱାଡଲା-ବସି ଏବଂ ମେନ୍ ଲାଇନରେ ଦାଦର-କୁର୍ଲା ମଧ୍ୟରେ ଟ୍ରେନ ଚଳାଚଳ ସାମୟିକ ଭାବେ ବନ୍ଦ କରିଦିଆଯାଇଛି । ତେବେ ହାର୍ବର ଲାଇନରେ ବସି-ପାନଭେଲ ଏବଂ ସିଏସ୍ଏମ୍ଟି-ବାନ୍ଦ୍ରା-ଗୋରେଗାଓଁ ମଧ୍ୟରେ ଟ୍ରେନ ଚଳାଚଳ ସ୍ୱାଭାବିକ ରହିଛି । ଆନେ୍ଧରି ମାର୍କେଟ, କୁର୍ଲା ରେଳଷ୍ଟେସନ, କାଜୁପଡା କମାନି ଜଙ୍କସନ ଓ ଲୋକମାନ୍ୟ ତିଲକ ଟର୍ମିନସ୍ ବର୍ଷାଜଳରେ ବୁଡିରହିଛି । କଲ୍ୟାଣ-ମୁରବାଦ ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ଫଳରେ ଗାଡିଗୁଡିକ ଆମ୍ବିଭାଲି-ତିତୱାଲା ରୋଡ୍ ଦେଇ ଛଡାଯାଉଛି । ସେହିଭଳି ମୁମ୍ବାଇ-ଖରେଗାଓଁ ଏବଂ ଥାନେ-ନାସିକ ୩ ନମ୍ବର ଜାତୀୟ ରାଜପଥରେ ପାଣି ଜମି ରହିଥିବାରୁ ବିଭିନ୍ନ ସ୍ଥାନରେ ଗାଡିଗୁଡିକ ଅଟକି ରହିଛନ୍ତି ।
ପାଲଘର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ସୂର୍ଯ୍ୟ ଡ୍ୟାମ୍ରୁ ଜଳ ଛଡାଯାଇଛି । ଫଳରେ ଅନେକ ଅଞ୍ଚଳ ପାଣିରେ ବୁଡି ରହିଛି । ସ୍କୁଲ ଓ କଲେଜକୁ ବନ୍ଦ କରିଦିଆଯାଇଛି । ଜିଲ୍ଲା ମୁଖ୍ୟାଳୟରେ ବିପର୍ଯ୍ୟୟ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଲୋକଙ୍କୁ ଅତି ଜରୁରୀ କାମ ନଥିଲେ ଘରୁ ନ ବାହାରିବା ଲାଗି ପରାମର୍ଶ ଦିଆଯାଇଛି । ଥାନେରେ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କେତେକ ଅଞ୍ଚଳରେ ବର୍ଷାଜଳରେ ଗାଡିମୋଟର ଭାସିଯାଇଛି । ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ଛୁଟି କରିଦିଆଯାଇଛି । ଧର୍ମବୀର ନଗର ଅଞ୍ଚଳରେ ସନ୍ତୋଷ ଗୋଲେ ନାମକ ଜଣେ ଯୁବକଙ୍କର ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିଲା ବେଳେ ମୁମ୍ବ୍ରାରେ ଏକ ବେକରି କାରଖାନାର ଛାତ ଭୁଶୁଡି ପଡିବାରୁ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ସେଦହିଭଳି ଘୋଡବନ୍ଦର ରୋଡ୍ରେ ଥିବା ବସନ୍ତ ଲୀଳା ସଙ୍କୁଳ ପାଚେରି ଭୁଶୁଡି ପଡିଥିବାର ସୂଚନା ମିଳିଛି । ନାଲସପୋରାରେ ବହୁ ଅଞ୍ଚଳ ବର୍ଷା ପାଣିରେ ବୁଡି ରହିଛି । ଆଜି ଭୋରରୁ ମୁମ୍ବାଇ-ଗୋଆ ଜାତୀୟ ରାଜପଥରେ ମାଟି ଅତଡା ଧସିବାରୁ ରାସ୍ତାରେ ଶହ ଶହ ଗାଡି ଅଟକି ରହିଛି । ରାସ୍ତା ସଫା କରି ଗାଡି ଚଳାଚଳ ସ୍ୱଭାବିକ କରିବାକୁ ପ୍ରୟାସ ଜାରି ରହିଛି ।
Comments are closed, but trackbacks and pingbacks are open.