ନୂଆଦିଲ୍ଲୀ: ଏକ ବାଣିଜ୍ୟିକ ଜାହାଜ(ଟଗ୍ବୋଟ୍) ଯୋଗେ ବେଆଇନ ଭାବେ ଭାରତ ଆସିଥିବା ମାଳଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଅଦିବ ଅବଦୁଲ ଗଫୁରଙ୍କୁ ଭାରତ ସରକାର ଏଠାରେ ଆଶ୍ରୟ ଦେବାକୁ ମନା କରିଦେଇଛନ୍ତି । ତା’ ସହିତ ତାଙ୍କୁ ଭାରତ ସରକାର ନିଜ ଦେଶକୁ ପଠାଇ ଦେଇଛନ୍ତି ।
ରିପୋର୍ଟ ଅନୁଯାୟୀ, ଉକ୍ତ ଟଗ୍ବୋଟକୁ ଭାରତ ସରକାର ତୁତିକୋରିନ ବନ୍ଦରରେ ଲଙ୍ଗର ପକାଇବାକୁ ଅନୁମତି ଦେଇନଥିଲେ । ଏହା ବନ୍ଦର ଠାରୁ କିଛି ମାଇଲ ଦୂରରେ ଅଟକିଥିଲା । ଶନିବାର ସକାଳେ ଭାରତୀୟ ତଟରକ୍ଷୀ ବାହିନୀ ଉକ୍ତ ଟଗ୍ବୋଟ୍, ତାହାର ୯ ଜଣ କର୍ମଚାରୀ ଏବଂ ପୂର୍ବତନ ଉପରାଷ୍ଟ୍ରପତି ଅଦିବଙ୍କୁ ନେଇ ଆନ୍ତର୍ଜାତିକ ଜଳସୀମାରେ ମାଳଦ୍ୱୀପର ସୁରକ୍ଷା ଏଜେନ୍ସିଙ୍କୁ ହସ୍ତାନ୍ତର କରିଛି । ମାଳଦ୍ୱୀପରେ ଅଦିବଙ୍କ ବିରୋଧରେ କିଛି ସଙ୍ଗୀନ ଅପରାଧିକ ମାମଲା ଚାଲୁଥିଲାବେଳେ ସେ ସେଠାରୁ କିପରି ଏକ ବାଣିଜ୍ୟିକ ଜାହାଜ ଯୋଗେ ଭାରତ ଆସିଲେ, ସେଠାକାର ସରକାର ଏବେ ତାହାର ଯାଞ୍ଚ କରିବେ ।
ସୂଚନାଯୋଗ୍ୟ ଯେ, ୨୦୧୫ରେ ମାଳଦ୍ୱୀପର ତକ୍ରାଳୀନ ରାଷ୍ଟ୍ରପତି ଅବଦୁଲ୍ଲା ୟମିନଙ୍କ ବୋଟରେ ବିସ୍ଫୋରଣ କରି ତାଙ୍କୁ ହତ୍ୟା ପାଇଁ ଉଦ୍ୟମ କରିବା ଅଭିଯୋଗରେ ଅଦିବଙ୍କୁ ଗିରଫ କରାଯାଇଥିଲା । ୨୦୧୬ରେ ସେଠାକାର ଏକ ଅଦାଲତ ତାଙ୍କୁ ଏଥିପାଇଁ ୧୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲା । ହେଲେ ୨୦୧୬ରେ ତାଙ୍କୁ ଅଦାଲତ ଦୋଷମୁକ୍ତ କରିଥିଲା ।
Comments are closed, but trackbacks and pingbacks are open.