ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜଧାନୀରେ ଟ୍ରିପଲ ଏନ୍କାଉଣ୍ଟର । ଅପରାଧ ଦମନ ପାଇଁ ଆକ୍ସନ୍ ମୋଡ୍ରେ ଥିବା କମିଶନରେଟ୍ ପୁଲିସ ଆଜି ଭୋର ସମୟରେ ଡବଲ ଏନ୍କାଉଣ୍ଟର କରିଥିବା ବେଳେ ସନ୍ଧ୍ୟାରେ ଆଉ ଗୋଟିଏ ଏନ୍କାଉଣ୍ଟର କରିଛି । ଗତ ୩୬ ଘଣ୍ଟା ଭିତରେ କମିଶନରେଟ୍ ପୁଲିସ ଏନ୍କାଉଣ୍ଟରରେ ୫ ଦୁର୍ଦ୍ଦାନ୍ତ ଅପରାଧୀ ଘାଇଲା ହୋଇଛନ୍ତି । ରବିବାର ଭୋର ସମୟରେ ବଡ଼ଗଡ଼ ଚିଲିପୋଖରୀ କେନାଲ ରୋଡ୍ରେ ପୁଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଥିଲେ । ସେମାନେ ହେଲେ ନିଆଳିର ହରେକୃଷ୍ଣ ସ୍ୱାଇଁ(୨୪) ଓ ଆଠଗଡ଼ ରାଧାବଲ୍ଲଭପୁର ଉପରସାହିର ସିଲୁ ଓରଫ ସିପୁନ କବି(୨୯) । ଉଭୟଙ୍କ ଗୋଡ଼ରେ ଗୁଳି ବାଜିଛି । ସେପେଟେ ରବିବାର ବିଳମ୍ବିତ ସନ୍ଧ୍ୟାରେ ଏହି ଲୁଟେରା ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ୍ କୁହା ଯାଉଥିବା ଖାରବେଳନଗର ଶାନ୍ତିନଗରର ରବି ରାଓ(୩୪)କୁ କମିଶନରେଟ୍ ପୁଲିସ ଏନ୍କାଉଣ୍ଟର କରିଛି । ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ଜିଏ ପ୍ଲଟ୍ରେ ରାତି ୯ଟାବେଳେ ରବିକୁ ଗୁଳିମାଡ଼ ହୋଇଛି । ରବିର ଗୋଡ଼ରେ ଦୁଇଟି ଗୁଳି ବାଜିଛି । ତାକୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାକୁ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି । ଶୁକ୍ରବାର ରାତିରେ ଡବଲ ଏନ୍କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଥିବା ବେଳେ ୩୬ ଘଣ୍ଟା ଭିତରେ ଟ୍ରିପଲ ଏନ୍କାଉଣ୍ଟର ରାଜଧାନୀରେ ଥିବା ଅପରାଧୀଙ୍କ ମହଲରେ କୋକୁଆ ଭୟ ସୃଷ୍ଟି କରିଛି । ଅନେକ ଅପରାଧୀ ରାଜଧାନୀ ଛାଡ଼ି ପଳାଉଥିବା ଜଣା ପଡ଼ିଛି । ତେବେ ୩୬ ଘଣ୍ଟା ଭିତରେ ୫ଟି ଏନ୍କାଉଣ୍ଟର କମିଶନରେଟ୍ ପୁଲିସ ଇତିହାସରେ ପ୍ରଥମ ବୋଲି ଜଣାପଡ଼ିଛି ।
ଭୁବନେଶ୍ୱର ଡିସିପି ଅନୁପ ସାହୁଙ୍କ ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତି ୩ଟାରେ କିଛି ଅପରାଧୀ ଧଉଳି ଥାନା ଅନ୍ତର୍ଗତ ସରଦେଇପୁର ଠାରେ ଥିବା ବାପୁଜୀ ହାଇଟ୍ସ ଆପାର୍ଟମେଣ୍ଟ୍ ନିକଟରେ ବଡ଼ଧରଣର ଅପରାଧ ଘଟାଇବା ପାଇଁ ଯୋଜନା କରୁଥିଲେ । ଏହି ଖବର ସ୍ପେଶାଲ ସ୍କ୍ୱାଡ ପାଇଥିଲା । ସ୍ପେଶାଲ ସ୍କ୍ୱାଡ୍ ଏସିପି ସଞ୍ଜୀବ ଶତପଥି ଓ ଧଉଳି ଥାନା ଅଧିକାରୀ ଜୟଦେବ ବିଶ୍ୱଜିତ ସଦଳବଳେ ସେଠାରେ ଚଢ଼ଉ କରିଥିଲେ । ପୁଲିସକୁ ଦେଖି ଅପରାଧୀମାନେ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ହରେକୃଷ୍ଣ ଓ ସିପୁନ ଏକ ବାଇକ୍ରେ ବଡ଼ଗଡ଼ କେନାଲ ରୋଡ୍ ଦେଇ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଟିମ୍ ଉଭୟଙ୍କୁ ପିଛା କରିଥିଲା । ସେପଟେ ଖବରପାଇ ବଡ଼ଗଡ଼ ଥାନା ପୁଲିସ ମଧ୍ୟ ସଜାଗ ହୋଇ ଯାଇଥିଲା । ତେବେ ଚିଲିପୋଖରୀ ନିକଟରେ ସେମାନଙ୍କ ବାଇକ୍ ଦୁର୍ଘଟଣା ହେବାରୁ ସେମାନେ ତଳେ ପଡ଼ି ଯାଇଥିଲେ । ଜୀବନ ବିକଳରେ ସେମାନେ ପ୍ରଥମେ ପୁଲିସ ଟିମ୍ ଉପରକୁ ଗୁଳି ଚଳାଇଥିଲେ । ପୁଲିସ ପାଲଟା ଗୁଳି ଚଳାଇଥିଲା । ଉଭୟ ପକ୍ଷରୁ ୧୦ ରାଉଣ୍ଡ୍ ଗୁଳିଚାଳନା ହୋଇଥିଲା । ପୁଲିସ ଗୁଳିରେ ହରେକୃଷ୍ଣ ଓ ସିପୁନ୍ ଆହତ ହୋଇ ତଳେ ପଡ଼ି ଯାଇଥିଲେ । ଉଭୟଙ୍କ ଗୋଡ଼ରେ ଗୁଳି ବାଜିଥିଲା । ପୁଲିସ ଟିମ୍ ଉଭୟଙ୍କୁ କାବୁ କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏନେଇ ବଡ଼ଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଛି । ବଡ଼ଗଡ଼ ଥାନା ପୁଲିସ ଅପରାଧୀଙ୍କ ବାଇକ୍, ମାଉଜର, ଗୁଳି,୫୦ ହଜାର ଟଙ୍କା, ଖେଳନା ବନ୍ଧୁକଓ ୩ଟି ମୋବାଇଲ ଜବତ କରିଛି ।
ସେହିପରି ଏହି ଅପରାଧୀ ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ୍ ରବି ରାଓ କମିଶନରେଟ୍ ପୁଲିସର ଏନ୍କାଉଣ୍ଟର ଭୟରେ ରାଜଧାନୀ ଛାଡ଼ି ପଳାଇବା ପାଇଁ ଯୋଜନା ଚଳାଇଥିଲା । ଆଜି ବିଳମ୍ବିତ ସନ୍ଧ୍ୟାରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ଜିଏ ପ୍ଲଟ୍ ନିକଟରେ ସହଯୋଗୀ ମାନଙ୍କୁ ଅପେକ୍ଷା କରିଥିବା ବେଳେ ସ୍ପେଶାଲ ସ୍କ୍ୱାଡ୍ ଏସିପି ସଞ୍ଜୀବ ଶତପଥି ଓ ଖଣ୍ଡଗିରି ଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର ପୁରା ଟିମ୍ ସହ ସେଠାରେ ଚଢ଼ଉ କରିଥିଲେ । ପୁଲିସକୁ ଦେଖି ଖସି ଯିବା ପାଇଁ ରବି ପ୍ରଥମେ ପୁଲିସ ଟିମ୍ ଉପରକୁ ଗୁଳି ଚଳାଇଥିଲା । ପୁଲିସ ପାଲଟା ଗୁଳିମାଡ଼ କରିଥିଲା । ଉଭୟ ପଟରୁ ପ୍ରାୟ ୧୨ ରାଉଣ୍ଡ ଗୁଳି ଚାଳନା ହୋଇଥିଲା । ପୁଲିସ ଗୁଳିରେ ରବି ଘାଇଲା ହୋଇ ପଡ଼ିଥିଲା । ତା’ ଗୋଡ଼ରେ ଦୁଇଟି ଗୁଳି ବାଜିଥିଲା । ରବି ଠାରୁ ମାଉଜର ଜବତ ହେବା ସହ ସେ ବ୍ୟବହାର କରୁଥିବା ଚୋରା ଇନୋଭା କାର୍ରେ ବିପୁଳ ପରିମାଣର ବୋମା ଓ ବିଭିନ୍ନ ମାରଣାସ୍ତ୍ର ମଧ୍ୟ ଜବତ କରିଛି ପୁଲିସ ।
ଆହତ ହୋଇଥିବା ଏହି ୩ ଅପରାଧୀଙ୍କ ଦୁଇ ସହଯୋଗୀ ପୋଡ଼ା ଓ ବିବେକଙ୍କୁ ଗତ ଶୁକ୍ରବାର ବିଳମ୍ବିତ ରାତିରେ କମିଶନରେଟ୍ ପୁଲିସ ଏନ୍କାଉଣ୍ଟର କରିଥିଲା । ଏହି ଗ୍ୟାଙ୍ଗ୍ ରସୁଲଗଡ଼ ତୃପ୍ତି ହୋଟେଲ ମାଲିକ ବୁଲୁ ସାମନ୍ତରାୟଙ୍କୁ ହାଣି ଲୁଟ୍ପାଟ ଓ ପୁରୀ ବାଇପାସ ରାସ୍ତାରେ ଥିବା ପୁରୁଣା କାର୍ ସୋ’ରୁମ୍ରେ ବ୍ୟବସାୟୀଙ୍କୁ ହାଣି ଡକାୟତି ମାମଲାରେ ସଂପୃକ୍ତ ଥିଲେ । ସେମାନଙ୍କ ଠାରୁ ଜବତ ୫୦ ହଜାର ଟଙ୍କା କାର୍ ସୋ’ରୁମ୍ରୁ ଡକାୟତି ହୋଇଥିବା ଟଙ୍କା ବୋଲି ଜଣାପଡ଼ିଛି । ତେବେ ଏହି ଗ୍ୟାଙ୍ଗ୍ର ଅନ୍ୟଜଣେ ଅଭିଯୁକ୍ତ ବାଲେଶ୍ୱରର ଦେବାଶିଷ ଦାସ ଫେରାର୍ ହୋଇ ଯାଇଛି । ତାକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।
ସୂଚନା ଥାଉକି, ରାଜଧାନୀରେ ଗତ ୪ ମାସ ଭିତରେ ଅପରାଧୀମାନେ ଲୁଟ୍ ଓ ଡକାୟତି କରି ଆତଙ୍କ ଖେଳାଇଥିଲେ । ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ଥାନା ଅଞ୍ଚଳରେ ସିରିଜ ଲୁଟ୍ ଠାରୁ ଆରମ୍ଭ କରି ବାଲିଅନ୍ତା ଥାନା ଅନ୍ତର୍ଗତ ନଖରାଠାରେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା । ରାଜଧାନୀରେ ଅଣାୟତ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ । ତେଣୁ ଲୁଟେରାଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ୍ ପୁଲିସ ପୁରା ଆକ୍ସନ୍ ମୋଡ୍କୁ ଚାଲି ଆସିଥିଲା । କମିଶନରେଟ୍ ପୁଲିସ ଶୁକ୍ରବାର ରାତିରେ ବାଲିଅନ୍ତା ଥାନା ଅନ୍ତର୍ଗତ ଟଙ୍କପାଣୀ ରୋଡ୍ରେ ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ପଥରପେଣ୍ଠର ପୋଡ଼ା ଓରଫ ଅରୁଣ କୁମାର ମଲ୍ଲିକ(୪୨) ଓ କଟକ ଜିଲ୍ଲା ଆଠଗଡ଼ ଅରଣପାଟଣାର ବିକି ଓରଫ ବିବେକାନନ୍ଦ ନାୟକ(୨୨)କୁ ଏନ୍କାଉଣ୍ଟର କରିଥିଲା । ଆଜି ଭୋରରୁ ଡବଲ ଏନ୍କାଉଣ୍ଟର କରି ହରେକୃଷ୍ଣ ଓ ସିପୁନଙ୍କୁ ଆହତ କରିଥିବା ବେଳେ ସନ୍ଧ୍ୟାରେ ମାଷ୍ଟର ମାଇଣ୍ଡ ରବିକୁ ଏନ୍କାଉଣ୍ଟର କରିଛି । ଘାଇଲା ବାଘ ପରି ଆଜି ରାତିରେ ମଧ୍ୟ କମିଶନରେଟ୍ ପୁଲିସ ଅପରାଧୀଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।
ତେବେ ସବୁଠାରୁ ବଡ଼ କଥା ହେଲା ଏହି ଏନକାଉଣ୍ଟରରୁ କମିଶନରେଟ୍ ପୁଲିସକୁ ଆଉ ଏକ ସଫଳତା ମିଳିଛି । ଧରା ପଡ଼ିଥିବା ଅପରାଧୀ ଗ୍ୟାଙ୍ଗ୍ ଧଉଳି ସରଦେଇ ପୁରରେ ଭଡ଼ାରେ ରହୁଥିବା ବାପୁଜୀ ହାଇଟ୍ସ ଆପାର୍ଟମେଣ୍ଟ୍ର ଫ୍ଲାଟ୍ରେ ନକଲି ବିଦେଶୀ ମଦ କାରଖାନା ଚଳାଇଥିଲେ । ଧଉଳି ଥାନା ପୁଲିସ ଉକ୍ତ ଫ୍ଲାଟ୍ରୁ ବିପୁଳ ପରିମାଣର ବିଦେଶୀ ମଦ ଓ ମଦ ତିଆରି ସାମଗ୍ରୀ ଜବତ କରିଛି । ଏହି ଗ୍ୟାଙ୍ଗ୍ ଲୁଟ୍ ଓ ଡକାୟତି ସାଙ୍ଗକୁ ନକଲି ମଦ କାରଖାନା ଚଳାଇଥିଲେ । ଯାହାର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୁଲିସ ।
Comments are closed, but trackbacks and pingbacks are open.