ନୂଆପଡ଼ା,(ବି.ବି.ନ୍ୟୁଜ୍): ସଦର ବ୍ଲକ ଆମସେନା ଗୁରୁକୁଲ ଆଶ୍ରମର ଜଣେ ବିଦ୍ୟାର୍ଥୀ ପୋଖରୀରେ ବୁଡ଼ି ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ମୃତ ଛାତ୍ର ଜଣକ ହେଲେ ଝାରଖଣ୍ଡ ଜାମସେଦପୁରର ସନ୍ତୋଷ ବର୍ମାଙ୍କ ପୁଅ ରୋନକ (୧୩) । ସେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିଲେ । ସନ୍ଧ୍ୟାରେ ଜୋଙ୍କ ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ରୋନକ ଗତ କିଛିବର୍ଷ ହେଲା ଗୁରୁକୁଲ ଆଶ୍ରମରେ ଅଧ୍ୟୟନ କରୁଥିଲେ । ରବିବାର ଛୁଟି ଥିବାରୁ ପୂର୍ବାହ୍ନ ୧୧ଟାରେ ସପ୍ତମ ଶ୍ରେଣୀର ୬ ଜଣ ପିଲା ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ବହୁ ସମୟ ଧରି ଗାଧୋଇବା ପରେ ୫ ଜଣ ବିଦ୍ୟାର୍ଥୀ ପୋଖରୀରୁ ବାହାରି ଆଶ୍ରମକୁ ଫେରିଥିଲେ । ରୋନକ ପୂର୍ବରୁ ପାଣିରୁ ବାହାରି ଚାଲି ଯାଇଥିବା ସେମାନେ ଅନୁମାନ କରିଥିଲେ । ହେଲେ ରୋନକ ଆଶ୍ରମକୁ ଫେରିନଥିଲେ । ଆଶ୍ରମ କର୍ତ୍ତୃପକ୍ଷ ବହୁ ଖୋଜା ଖୋଜି କରିଥିଲେ ବି କୌଣସି ପତ୍ତା ମିଳି ନଥିଲା । ଅପରାହ୍ନରେ ଜୋଙ୍କ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ପୋଖରୀ ପାଣିରେ ତଲାସି କରି ରୋନକଙ୍କ ଶବ ଉଦ୍ଧାର କରିଥିଲେ । ଏନେଇ ଜୋଙ୍କ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା । ଆସନ୍ତାକାଲି ରୋନକଙ୍କ ପରିବାର ଲୋକେ ନୂଆପଡ଼ା ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ହେବ ବୋଲି ପୁଲିସ କହିଛି ।
Comments are closed, but trackbacks and pingbacks are open.