ଫ୍ଲୋରିଡା: ୱେଷ୍ଟ ଇଣ୍ଡିଜ୍ ଓ ଭାରତ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲାରେ ଭାରତ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରିଛି । ରୋହିତ ଶର୍ମାଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ବଳରେ ଭାରତ ୫ ୱିକେଟ୍ ବିନିମୟରେ ୧୬୭ ରନ୍ ସଂଗ୍ରହ କରିଛି ।
ଲାଉଡର ହିଲ୍ ସ୍ଥିତ ରିଜିଓନାଲ୍ ପାର୍କ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧାୱନ ଧୈର୍ଯ୍ୟର ସହ ବ୍ୟାଟିଂ କରି ଅର୍ଦ୍ଧଶତକୀୟ ଭାଗିଦାରୀ ଗଠନ କରିଥିଲେ । ଦଳର ମୂଳଦୁଆ ଦୃଢ ହୋଇଥିଲା । କ୍ରିଜ୍ରେ ଜମିବା ପରେ ଧାୱନ ଆକ୍ରମଣାତ୍ମକ ସଟ୍ ଖେଳିଥିଲେ । ଅଷ୍ଟମ ଓଭରରେ କିମୋ ପଲ୍ ଓପନିଂ ଯୋଡି ଭାଙ୍ଗିଥିଲେ । ତାଙ୍କ ବଲ୍କୁ ଲଙ୍ଗ ଅନ୍ ଅଞ୍ଚଳକୁ ଛକା ମାରିବାକୁ ଯାଇ ଧାୱନ ବୋଲ୍ଡ ହୋଇଥିଲେ । ସେ ୧୬ଟି ବଲ୍ରୁ ୨୩(୩ଚୌକା) ରନ୍ କରିଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ କୋହଲି ଅପରାଜିତ ରୋହିତଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଦ୍ୱିତୀୟ ୱିକେଟ୍ରେ ଉଭୟ ୪୮ ରନ୍ ଯୋଗ କରିଥିଲେ । ରୋହିତ ଅର୍ଦ୍ଧଶତକ ପୂରଣ କରିବା ସହ ଟି-ଟ୍ୱେଣ୍ଟି(୧୦୭ଛକା)ରେ ସର୍ବାଧିକ ଛକା ଅର୍ଜନ କରିବାରେ ରେକର୍ଡ କରିଥିଲେ । ପୂର୍ବରୁ ଏହି ରେକର୍ଡ କ୍ରିସ୍ ଗେଲ୍(୧୦୫ଛକା)ଙ୍କ ନାମରେ ରହିଥିଲା । ଦଳୀୟ ସ୍କୋର ୧୧୫ ବେଳେ ରୋହିତ ୬୭(୬ଚୌକା, ୩ଛକା) ରନ୍ କରି ଆଉଟ୍ ହୋଇଥିଲେ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ରିଶବ ପନ୍ତ ୪ ଓ ମନୀଷ ପାଣ୍ଡେ ୬ ରନ୍ କରିଥିଲେ । କୋହଲି ୨୮(୧ଚୌକା, ୧ଛକା) ରନ୍ କରି ଆଉଟ୍ ହୋଇଥିଲେ । ଅନ୍ତିମ ଭାଗରେ କୃନାଲ୍ ପାଣ୍ଡ୍ୟା ୧୩ଟି ବଲ୍ରୁ ଅପରାଜିତ ୨୦(୨ଛକା) ଓ ରବିନ୍ଦ୍ର ଜାଡେଜା ୯(୧ଛକା) ରନ୍ ସଂଗ୍ରହ କରିଥିଲେ । ଫଳରେ ଭାରତର ସ୍କୋର ୧୬୭ରେ ପହଞ୍ଚିଥିଲା । ୱେଷ୍ଟ ଇଣ୍ଡିଜ୍ ପକ୍ଷରୁ ଓସେନ ଥୋମାସ ଓ ସେଲଡନ କଟରେଲ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।
Comments are closed, but trackbacks and pingbacks are open.