ପୁରୀ,(ବି.ବି.ନ୍ୟୁଜ୍):ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଏବଂ ୩୫(କ) ଉଚ୍ଛେଦ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏବେ ଜମ୍ମୁ-କାଶ୍ମୀର ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ହରାଇ ଦେଶର ମୁଖ୍ୟସ୍ରୋତରେ ସାମିଲ ହୋଇଛି । ଏବେ ସ୍ଥାନୀୟ ପ୍ରଶାସନ ଜଗିରଖି ଏବଂ ସମ୍ବେଦନଶୀଳ ହୋଇ ସଂଯମତାର ସହ ପରିବର୍ତ୍ତିତ ପରିସ୍ଥିତରେ ସଂସ୍କାର ଲାଗୁ କରୁ । ଭାବନା ସିଦ୍ଧ, ନୀତି ସିଦ୍ଧ ହୋଇ ନୂତନ ବ୍ୟବସ୍ଥାକୁ କ୍ରିୟାନ୍ୱିତ କରାଯାଉ । ପରିବର୍ତ୍ତିତ ପରିସ୍ଥିତିରେ ଆହୁରି ଅନେକ ପଦକ୍ଷେପ ଜରୁରି ବୋଲି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି ।
ସେ କହିଛନ୍ତି ୩୭୦ ଧାରା ଅସ୍ଥାୟୀ ଥିଲା । ଏହାକୁ ସମୟ କ୍ରମେ ସ୍ଥାୟୀ କରିବାକୁ ଉଦ୍ୟମ ହେଉଥିଲା । ଏହି କାରଣରୁ ହିନ୍ଦୁମାନେ ଅସୁରକ୍ଷିତ ମଣିଲେ । ଅତ୍ୟାଚାର ବି ବଢ଼ିଲା । ତେଣୁ ହିନ୍ଦୁମାନେ ଜମ୍ମୁ-କାଶ୍ମୀର ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ଏବେ ଏମାନଙ୍କ ମନରେ ଅ।।ସ୍ଥା ଜମାଇବାକୁ ହେବ । ଏମାନଙ୍କୁ ସେମାନଙ୍କ ଭିଟାମାଟିରେ ଥଇଥାନ କରିବାକୁ ହେବ । ଏବେ ଏହି ଧାରାକୁ ଉଚ୍ଛେଦ କରାଯିବା ସ୍ୱାଗତଯୋଗ୍ୟ ନିଷ୍ପତ୍ତି । ଜାମ୍ମୁ-କାଶ୍ମୀରରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି ।
ଜମ୍ମୁ-କାଶ୍ମୀରରୁ ବିତାଡିତ ତଥା ଭିଟାମଟି ଛାଡି ପଳାଇଥିବା ହିନ୍ଦୁଙ୍କୁ ଜନ୍ମ ମାଟିରେ ପୁନଃ ଥଇଥାନ କରାଯାଉ । ପୂର୍ବଭଳି ହିନ୍ଦୁମାନେ କାଶ୍ମୀରରୁ ଜାମ୍ମୁ, ଜାମ୍ମୁରୁ ପଞ୍ଜବ, ପଞ୍ଜାବରୁ ଦିଲ୍ଲୀ ବାରଦ୍ୱାର ନ ହୁଅନ୍ତୁ । ବ୍ରିଟିଶ ଶାସକମାନେ ଦେଶକୁ ଷଡ଼ଯନ୍ତ୍ର ପୂର୍ବକ ଧର୍ମ ଆଧାରରେ ବିଭାଜନ କରିଥିଲେ । ବ୍ରିଟିଶ ଶାସକମାନେ ହିନ୍ଦୁଙ୍କ ଧର୍ମାନ୍ତରୀକରଣ କରିବାରେ ବିଫଳ ହେବା ପରେ ହିନ୍ଦୁ-ମୁସଲମାନ ଧର୍ମ ଆଧାରରେ ଦେଶକୁ ବିଭାଜନ କରିଥିଲେ । ବ୍ରିଟିଶ ଶାସନର “ରୋଟି-ବେଟି” ଦେଶରେ ମୁସଲମାନ ଜନସଂଖ୍ୟ ବୃଦ୍ଧିରେ ସହାୟକ ହୋଇଥିଲା । ଏବେ ତାହାର ପରିଣାମ ଦେଶରେ ଭୋଗିବାକୁ ପଡୁଛି ।
ଦେଶ ବିଭାଜନ ପରେ ହିନ୍ଦୁ ଧର୍ମର ଆଦର୍ଶ ବି ନଷ୍ଟ ହୋଇଛି । ହିନ୍ଦୁଙ୍କ ସୁରକ୍ଷା ବ୍ୟବସ୍ଥା ନଥିବା ସମ୍ବିଧାନ ପ୍ରସ୍ତୁତ ହୋଇନଥିଲା । ସ୍ୱାଧୀନ ଭାରତର ପ୍ରଧାନ ମନ୍ତ୍ରୀମାନେ ଦେଶକୁ ୯ଥର ବିଭାଜନ କରିସାରିଛନ୍ତି । ଏବେ ବିଦେଶୀ ଷଡ଼ଯନ୍ତ୍ରର ଶିକାର ଭାରତରୁ ଜାମ୍ମୁ-କଶ୍ମୀରକୁ ଅଲଗା କରିବାକୁ ବିଶ୍ୱର ଖ୍ରୀଷ୍ଟିଆନ ଶକ୍ତି ଉଦ୍ୟମ ଜାରି ରଖିଥିଲା । ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିଲେ । ଏହାର ପରିଣାମ ଆମେରିକା, ବିଟ୍ରେନ ଭଳି ଅନ୍ୟ ରାଷ୍ଟ୍ରମାନେ ଭୋଗୁଛନ୍ତି । ଏହି ପରିପ୍ରେକ୍ଷୀରେ ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଏକ ଶୁଭ ସଙ୍କେତ ବୋଲି ମତ ଦେଇଛନ୍ତି ।
ଦେଶରେ ଆଇଏଏସ୍, ଆଇପିଏସ୍ ଅଫିସରଙ୍କୁ ତାଲିମ ଦେବା ବେଳେ ଭାରତୀୟ ସଂସ୍କୃତି, ପରମ୍ପରା, ଐତିହ୍ୟ ସହ ଜଡିତ ହିନ୍ଦୁ ଧର୍ମର ବିଭିନ୍ନ ଦିଗକୁ ଉପେକ୍ଷା କରାଯାଉଛି । ଏହା ଦେଶ ପାଇଁ ଶୁଭ ସଙ୍କେତ ନୁହେଁ ବୋଲି ସେ କହିଛନ୍ତି । ଲଦାଖ ଇଲାକାର ସୀମା ସୁରକ୍ଷା ନେଇ ସେ କହିଥିଲେ ସୀମାନ୍ତରେ ଅବସରପ୍ରାପ୍ତ ସେନାଧିକାରୀ, ସେନା ଏବଂ ହିନ୍ଦୁଙ୍କୁ ଥଇଥାନ କରାଯାଉ । ଏମାନେ ସୀମା ସୁରକ୍ଷାରେ ସବୁ ବେଳେ ସଚେତନ ହୋଇ ରହିବେ ।
ସେହିଭଳି ଦେଶର ବାଣିଜ୍ୟ, ମେଧା, ସୁରକ୍ଷା ନୀତି ବିଶ୍ୱରେ ଶ୍ରେଷ୍ଠ । ଦେଶର ମେଧା ଶକ୍ତି ବିଦେଶରେ ତାଙ୍କର ପାରଦର୍ଶିତା ପ୍ରଦର୍ଶନ କରିବାରେ ସଫଳ ହେଉଛନ୍ତି । ଦେଶରେ ସେମାନଙ୍କୁ ସମ୍ମାନ ମିଳୁନାହିଁ । ଏହି ମୋଧା ଶକ୍ତିକୁ ଦେଶ ନିର୍ମାଣରେ ଲଗାଇବାକୁ ହେବ । ସେହିଭଳି ଚୀନକୁ କାବୁ କରିବାକୁ ହେଲେ ଦେଶରୁ କଞ୍ଚାମାଲ ଚୀନକୁ ପଠା ନଯାଉ । ତଦ୍ୱ୍ୱାରା ଚୀନ ଉଚିତ ଶିକ୍ଷା ପାଇବ ଆଉ ବିଶୃଙ୍ଖଳିତ ହେବ ନାହିଁ ବୋଲି ଜଗତଗୁରୁ ଦେଶର ସୀମା ସୁରକ୍ଷା ନେଇ କହିଛନ୍ତି ।
Comments are closed, but trackbacks and pingbacks are open.