ବିଶ୍ୱବ୍ୟାଙ୍କ-ଏଡିବି ରିପୋର୍ଟ :‘ଫୋନି’ କ୍ଷତି ୨୪,୧୭୬ କୋଟି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ପ୍ରଳୟଙ୍କରୀ ‘ଫୋନି’ରେ ଓଡ଼ିଶାରେ ମୋଟ ୨୪ ହଜାର ୧୭୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ବାତ୍ୟାଞ୍ଚଳରେ ପୁନରୁଦ୍ଧାର ପାଇଁ ୨୯ ହଜାର ୩୧୫ କୋଟି ଟଙ୍କାର ଆବଶ୍ୟକତା ଅଛି । କିନ୍ତୁ ଏକ ବାତ୍ୟା ପ୍ରତିରୋଧୀ ଭିତ୍ତିଭୂମି ପାଇଁ ଓଡ଼ିଶାକୁ ଦରକାର ୪୫,୧୩୮ କୋଟି ଟଙ୍କା ।
ଏ ବାତ୍ୟାରେ ରାଜ୍ୟର ଭିତ୍ତିଭୂମି ବହୁଳ କ୍ଷତିଗ୍ରସ୍ତ ହୋଇଛି । ଏହାର ପୁନଃନିର୍ମାଣ ପାଇଁ ଆବଶ୍ୟକ ଅର୍ଥର ୪୨ ଭାଗ ଏବଂ ଗୃହ ନିର୍ମାଣ ଭଳି ସାମାଜିକ କ୍ଷେତ୍ର ପାଇଁ ୩୬ ଭାଗ ଅର୍ଥର ଆବଶ୍ୟକତା ଅଛି । ୧୫ଟି କ୍ଷେତ୍ରରେ ପୁନରୁଦ୍ଧାରର ଆବଶ୍ୟକତା ରହିଛି । ‘ଫୋନି’ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ଉନ୍ମୋଚନ କରିଥିବା ରିପୋର୍ଟ ଏହା ଦର୍ଶାଉଛି ।
ବାତ୍ୟା ‘ଫୋନି’ ଉପକୂଳ ଓଡ଼ିଶାକୁ ଛାରଖାର କରିଥିଲା ବେଳେ ଜନସାଧାରଣ ନାହିଁ ନଥିବା ଦହଗଞ୍ଜ ହୋଇଥିଲେ । ଏ ବାତ୍ୟାର ପ୍ରକୋପ ଏତେ ଭୟାବହ ଥିଲା ଯେ କ୍ଷୟକ୍ଷତି ଆକଳନ କରିବା କଷ୍ଟକର ହୋଇପଡ଼ିଥିଲା । ବାସ୍ତବରେ କେତେ ଟଙ୍କାର କ୍ଷୟକ୍ଷତି ହୋଇଛି ଏହା ଆକଳନ କରିବାକୁ ସ୍ୱତନ୍ତ୍ର ଭାବେ ଉଦ୍ୟମ ହୋଇଥିଲା । କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ନେଇ ଆବଶ୍ୟକ ପାଣ୍ଠି ନେଇ ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇଛି ।
ଏ ରିପୋର୍ଟ ଦର୍ଶାଉଛି, ସର୍ବାଧିକ କ୍ଷତି ସହିଛି ଶକ୍ତି ବିଭାଗ । ଶକ୍ତି ବିଭାଗ ୮ ହଜାର ୧୩୯ କୋଟି ଟଙ୍କାର କ୍ଷତି ସହିଛି । ବିଜୁଳି ବଣ୍ଟନ ସଂସ୍ଥାର ୨୫୦ କୋଟି କ୍ଷତି ହୋଇଥିଲା ବେଳେ ୩୯୬୮ କୋଟିର ୧୧ କେଭି ଲାଇନ କ୍ଷତି ହୋଇଛି । ୩୦୭୫ କୋଟି ଟଙ୍କାର ଘରଦ୍ୱାର ମାଟିରେ ମିଶିଛି । କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷତିର ପରିମାଣ ୧୫୮୫ କୋଟି ବୋଲି ଆକଳନ କରାଯାଇଛି । ଫୋନି ମାଡ଼ରେ ଜୀବିକା ଉଜୁଡ଼ିଯିବାରୁ ୪୯୮ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ସେହିଭଳି ଶିକ୍ଷା ଓ ଶିଶୁ କଲ୍ୟାଣ ବିଭାଗ ୮୧୪ କୋଟି, ଜଳଯୋଗାଣ ଓ ପରିମଳର ୨୬୭ କୋଟି, ଟେଲିକମ୍ର ୪୪୭ କୋଟି, ସାଂସ୍କୃତିକ ଓ ଐତିହ୍ୟସ୍ଥଳୀ ୫୬୦ କୋଟି ଟଙ୍କାର କ୍ଷତି କରିଛନ୍ତି ।
ରିପୋର୍ଟ କହୁଛି, ଫୋନିରେ ୨ ଲକ୍ଷ ୫୨ ହଜାର ୩୮୫ କଚାଘର ଏବଂ ୨୦ ହଜାର ୯୩୨ ପକ୍କାଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ୮୮ ହଜାର ୪୨୬ ଅଧା ପକ୍କାଘର ଆଂଶିକ କ୍ଷତି ସହିଛି । ମୋଟ ୩ ହଜାର ୭୫ କୋଟିର ଘର ନଷ୍ଟ ହୋଇଥିଲା ବୋଳ ଏହାର ପୁନରୁଦ୍ଧାର ପାଇଁ ଖର୍ଚ୍ଚ ହେବ ୮,୯୯୬ କୋଟି । ୧୪ ଜିଲ୍ଲାରେ ୪୧୦୫ କୋଟିର ରୋଜଗାର ଫୋନି ଉଡ଼ାଇ ନେଇଥିଲା । ଅଧିକ କାମଧନ୍ଦା ସହ ହସ୍ତତନ୍ତ, ହସ୍ତଶିଳ୍ପ ଓ ଏମଏସ୍ଏମ୍ଇରେ କାମ ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି ।
ଏ କ୍ଷୟକ୍ଷତି ରିପୋର୍ଟକୁ ଉନ୍ମୋଚନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର ‘ଫୋନି’କୁ ଦକ୍ଷତାର ସହ ମୁକାବିଲା ଓ ପରିଚାଳନା କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ୧୫ ଲକ୍ଷ ଲୋକଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରି ଆମେ ନୂଆ ରେକର୍ଡ ସୃଷ୍ଟି କଲୁ । ବିଶ୍ୱବ୍ୟାଙ୍କ, ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ସହ ମିଳିତ ଜାତିସଂଘର ସହଯୋଗରେ ଏ କ୍ଷୟକ୍ଷତି ଓ ପୁନରୁଦ୍ଧାର ରିପୋର୍ଟ ପ୍ରସ୍ତୁତ ହୋଇଛି । ଏ ରିପୋର୍ଟ ଭବିଷ୍ୟତରେ ଦୁର୍ବିପାକକୁ ଆହୁରି ସଫଳତାର ସହ ମୁକାବିଲା କରିବାରେ ନିଶ୍ଚୟ ସହାୟକ ହେବ । ଆନ୍ତର୍ଜାତିକ ସଂଗଠନ, ଜାତୀୟସ୍ତରର ସ୍ୱେଛାସେବୀ ସଂଗଠନ, ଘରୋଇ ସଂସ୍ଥା ଓ ବ୍ୟକ୍ତିବିଶେଷ ଓଡ଼ିଶା ପୁନଃନିର୍ମାଣ ଓ ପୁନରୁଦ୍ଧାରରେ ସହଯୋଗ କରିବାକୁ ନବୀନ ଆହ୍ୱାନ ଦେଇଥିଲେ ।
ଉଲ୍ଲେଖଯୋଗ୍ୟ, ମେ ୩ ରେ ‘ଫୋନି’ ପ୍ରଭାବରେ ରାଜ୍ୟର ୧୪ ଜିଲ୍ଲାରେ ଧନଜୀବନ କ୍ଷୟକ୍ଷତି ହୋଇଥିଲା । ପ୍ରାୟ ୧ କୋଟି ୬୫ ଲକ୍ଷ ଲୋକ ଏ ବାତ୍ୟାରେ ବହୁଳ ଭାବେ ପ୍ରଭାବିତ ହୋଇଥିଲେ । ଏହି ବାତ୍ୟାରେ କ୍ଷୟକ୍ଷତି ଆକଳନ କରିବାକୁ ବିଶ୍ୱବ୍ୟାଙ୍କ, ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ଓ ମିଳିତ ଜାତିସଂଘର ୧୦୦ରୁ ଅଧିକ ବିଶେଷଜ୍ଞଙ୍କ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ, ଖ୍ୟାତିସଂପନ୍ନ ବିଶେଷଜ୍ଞ ସାମିଲ ହୋଇଥିଲେ । ଏହି ସ୍ୱତନ୍ତ୍ର ଟିମ୍ ବିଭିନ୍ନ ବିଭାଗର କ୍ଷୟକ୍ଷତି ସଂପର୍କିତ ତଥ୍ୟକୁ ବିଶ୍ଳେଷଣ କରିବା ସହ କ୍ଷତିର ଶିକାର ହୋଇଥିବା ପ୍ରମୁଖ ଜିଲ୍ଲାଗୁଡ଼ିକର ପ୍ରଭାବିତ ଅଞ୍ଚଳ ପରିଦର୍ଶନ ମଧ୍ୟ କରିଥିଲେ ।
ଏହି ରିପୋର୍ଟରେ ପ୍ରକୃତ କ୍ଷୟକ୍ଷତି ସହ କିଭଳି ତ୍ୱରିତ ପୁନଃନିର୍ମାଣ କରିହେବ ସେ ସଂପର୍କରେ ତଥ୍ୟ ସନ୍ନିବେସିତ ହୋଇଛି । ବିପର୍ଯ୍ୟୟ ପ୍ରତିରୋଧୀ ଓଡ଼ିଶା ଗଠନ ପାଇଁ ବିପର୍ଯ୍ୟୟ ପ୍ରତିରୋଧୀ ଗୃହ ଓ ଭିତ୍ତିଭୂମି ନିର୍ମାଣକୁ ଏଥିରେ ଅଗ୍ରାଧିକାର ଦିଆଯାଇଛି । ଜୀବନ ଜୀବିକାକୁ ମଧ୍ୟ ଏ ରିପୋର୍ଟରେ ଫୋକସ୍ କରାଯାଇଛି ।
ରିପୋର୍ଟରେ କୁହାଯାଇଛି, ଶକ୍ତି କ୍ଷେତ୍ରର ପୁନରୁଦ୍ଧାର ପାଇଁ ୩ ପ୍ରକାର ବିକଳ୍ପ ରହିଛି । ଉନ୍ନତମାନର ବୈଶିଷ୍ଟ୍ୟଯୁକ୍ତ ପୁରୁଣା ବିଜୁଳି ବଣ୍ଟନ ବ୍ୟବସ୍ଥା ପାଇଁ ୯,୭୪୮ କୋଟି ଟଙ୍କା ଆବଶ୍ୟକ । ସ୍ପନ ପୋଲ୍ ଓ ଏଚ୍-ପୋଲ୍ ବ୍ୟବହାର କରି ପୁରୁଣା ବିଜୁଳି ଭିତ୍ତିଭୂମି ସୃଷ୍ଟି ପାଇଁ ୧୧,୩୫୬ କୋଟି ଦରକାର । କିନ୍ତୁ ଏ ସବୁ ଅଞ୍ଚଳରେ ବାତ୍ୟା ପ୍ରତିରୋଧୀ ଅଣ୍ଡରଗ୍ରାଉଣ୍ଡ (ଭୂତଳ) କେବୁଲକୁ ବ୍ୟବହାର କରି ବିଜୁଳି ବିତରଣ ବ୍ୟବସ୍ଥା ସୃଷ୍ଟି ପାଇଁ ୨୫,୯୨୦ କୋଟି ଟଙ୍କା ଦରକାର ହେବ ।
ସଡ଼କ ପରିବହନ କ୍ଷେତ୍ରର କ୍ଷତି ଭରଣା ପାଇଁ ୪୨୫ କୋଟି ଟଙ୍କା ଆବଶ୍ୟକ ଥିବା ବେଳେ ଟେଲିଯୋଗାଯୋଗ କ୍ଷେତ୍ର ପୁନରୁଦ୍ଧାର ପାଇଁ ୪୮୨ କୋଟି ଟଙ୍କା ଆବଶ୍ୟକ । ପ୍ରାକୃତିକ ବିପର୍ଯ୍ୟୟରେ ୬,୪୪୧ଟି ସରକାରୀ କୋଠା ୫୯୩ କୋଟି ଟଙ୍କାର କ୍ଷତିଗ୍ରସ୍ତ ହୋଇଥିଲା । ଏଗୁଡ଼ିକର ପୁନରୁଦ୍ଧାର ପାଇଁ ୬୪୭ କୋଟି ଆବଶ୍ୟକ ବୋଲି ରିପୋର୍ଟରେ ଆକଳନ କରାଯାଇଛି । ଫୋନି ପୁନରୁଦ୍ଧାର ପାଇଁ ଜଳ ସମ୍ପଦ ବିଭାଗ ୮୬ କୋଟି ୨୯ ଲକ୍ଷ ଟଙ୍କା ଏବଂ ଜଳ ପରିମଳ କ୍ଷେତ୍ର ୮୧୯ କୋଟି ଟଙ୍କା ଦରକାର କରୁଛି ।
ବନ୍ୟା ଯୋଗୁ କ୍ଷତି ସହିଥିବା ବାସଗୃହ ପୁନରୁଦ୍ଧାର ନିମନ୍ତେ ୮,୯୯୬ କୋଟି ଟଙ୍କା ଲୋଡ଼ା । ସ୍ୱାସ୍ଥ୍ୟ ଓ ପୋଷଣ କ୍ଷେତ୍ର ୪୫୭ କୋଟି ଟଙ୍କାର କ୍ଷତି ସହିଥିଲା । ସ୍ୱାସ୍ଥ୍ୟ ଓ ପୋଷଣ କ୍ଷେତ୍ର ପୁନରୁଦ୍ଧାର ପାଇଁ ଯଥାକ୍ରମେ ୧୬୫.୭ କୋଟି ଓ ୨୯୧.୮ କୋଟି ଟଙ୍କା ଦରକାର । ଶିକ୍ଷା ଓ ଶିଶୁ ନିରାପତ୍ତା କ୍ଷେତ୍ର ଫୋନି ଭରଣା ପାଇଁ ୫୦୩ କୋଟି ଦରକାର କରୁଛି । ସେହିଭଳି ସାଂସ୍କୃତିକ ଐତିହ୍ୟ ଓ ପର୍ଯ୍ୟଟନ କ୍ଷେତ୍ର ୧,୮୯୪ କୋଟିର କ୍ଷତି ସହିଥିବା ବେଳେ ପୁନରୁଦ୍ଧାର ପାଇଁ ୫୨୬ କୋଟି ଆବଶ୍ୟକ କରୁଥିବା ରିପୋର୍ଟ କହିଛି ।
ବାତ୍ୟା ପ୍ରଭାବରେ କୃଷି, କୁକୁଡ଼ା ଓ ମତ୍ସ୍ୟ କ୍ଷେତ୍ର ସହିଥିବା କ୍ଷତି ଭରଣା ପାଇଁ ଓଡ଼ିଶାକୁ ୨,୬୧୫ କୋଟି ଟଙ୍କା ଆବଶ୍ୟକ । ଫୋନି ରାଜ୍ୟରୁ ୪,୮୭୭ କୋଟି ଟଙ୍କାର ନିଯୁକ୍ତି, ଜୀବିକା ଓ ସାମାଜିକ ନିରାପତ୍ତା ଛଡ଼ାଇ ନେଇଛି । ଏହାର ପୁନରୁଦ୍ଧାର ପାଇଁ କିନ୍ତୁ ୩,୦୬୯ କୋଟି ଟଙ୍କା ଦରକାର । ସେହିପରି ବାତ୍ୟା ଯୋଗୁ ପରିବେଶ ୧୮୧

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons