ଭୁବନେଶ୍ୱର, (ବି.ବି.ବ୍ୟୁରୋ): ବରିଷ୍ଠ ଆଇପିଏସ୍ ଅଫିସର ବିଜୟ କୁମାର ଶର୍ମାଙ୍କୁ ପୁଲିସ ମହାନିର୍ଦେଶକ (ଡିଜିପି) ପଦର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେ ଏବେ ଅଗ୍ନିଶମ ସେବା ଡିଜି, ଗୃହରକ୍ଷୀ କମାଣ୍ଡାଣ୍ଟ ଜେନେରାଲ୍ ଏବଂ ସିଭିଲ୍ ଡିଫେନ୍ସ ମୁଖ୍ୟ ପଦରେ ଅଛନ୍ତି । ଗୃହ ବିଭାଗ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ପଦବିରେ ରହିବେ ।
ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ସରକାର ଲୋକାୟୁକ୍ତ ସଦସ୍ୟ ଭାବେ ମନୋନୀତ କରିଛନ୍ତି । ତାଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ ଗ୍ରହଣ କରିବା ପରେ ନୂଆ ଇନ୍ ଚାର୍ଜ ଡିଜିପି ଭାବେ ଶ୍ରୀ ଶର୍ମାଙ୍କୁ ନିଯୁକ୍ତି ମିଳିଛି । ଆସନ୍ତା କାଲି (ଗୁରୁବାର) ସେ ପୁଲିସ ମୁଖିଆ ଭାବେ ଦାୟିତ୍ୱ ନେବେ ।
୧୯୮୬ ବ୍ୟାଚ୍ ଆଇପିଏସ୍ ଅଫିସର ବିଜୟ କୁମାର ଶର୍ମା ଗତ ୩୩ ବର୍ଷ ଧରି ରାଜ୍ୟ ଏବଂ କେନ୍ଦ୍ରରେ ଦକ୍ଷତାର ସହ ଏକାଧିକ ଗୁରୁ ଦାୟିତ୍ୱ ନିଭାଇଛନ୍ତି । ତାଙ୍କ ଜନ୍ମ ମୟୂରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳରେ । ଯେ ଯେଉଁଠି କାମ କରିଛନ୍ତି ସେଠାରେ କିଛି ନୂଆ କରି ଦେଖାଇଛନ୍ତି । ତାଙ୍କ କାର୍ଯ୍ୟ କରିବାର ତରିକା ପାଇଁ ସେ ସବୁ ବେଳେ ପ୍ରଶଂସନୀୟ । ୧୯୯୯ରେ ସେ ପ୍ରଥମ ବ୍ୟକ୍ତି ଯିଏ କି ରାଜ୍ୟପାଳ ପୁଲିସ୍ ପଦକ ହାସଲ୍ କରିଥିଲେ ।
ଶ୍ରୀ ଶର୍ମା ସୁନ୍ଦରଗଡ଼, ଫୁଲବାଣୀ, ସମ୍ବଲପୁର ଓ ଖୋର୍ଦ୍ଧାରେ ଏସ୍ପି ଭାବେ କାର୍ଯ୍ୟ କରିଛନ୍ତି । ୧୯୯୯ରୁ ୨୦୦୬ (୭ ବର୍ଷ) ସେ କେନ୍ଦ୍ରୀୟ ଡେପୁଟେସନରେ ସିବିଆଇରେ ଅବସ୍ଥାପିତ ଥିଲେ । ସିବିଆଇର ତିନିଟି ଯାକ ଶାଖା ସ୍ୱତନ୍ତ୍ର ଅପରାଧ, ଦୁର୍ନୀତି ନିବାରଣ ଏବଂ ଅର୍ଥନୈତିକ ଅପରାଧ ବିଭାଗରେ ଗୁରୁତ୍ୱପୂର୍ଣ ଦାୟିତ୍ୱରେ ଥିଲେ ।
କଟକ-ଭୁବନେଶ୍ୱରକୁ ନେଇ ଯେତେବେଳେ କମିଶନରେଟ୍ ପୁଲିସ୍ ଆରମ୍ଭ ହେଲା ସେତେବେଳ ଶ୍ରୀ ଶର୍ମାଙ୍କ ଭୂମିକା ଯଥଷ୍ଟେ ଥିଲା । ୨୦୦୮ ମେ’ରୁ ୨୦୧୨ ମେ’ ପର୍ଯ୍ୟନ୍ତ ପୁଲିସ୍ କମିଶନର ଭାବେ ସେ ଦାୟିତ୍ୱ ନେଇଥିଲେ । ରାଜ୍ୟର ପ୍ରଥମ ପୁଲିସ କମିଶନରେଟ୍ର ଢାଞ୍ଚା, କାର୍ଯ୍ୟ ଶୈଳୀ ଏବଂ କ୍ଷମତାର ବିନ୍ୟାସ ତାଙ୍କ ନେତୃତ୍ୱରେ ହୋଇଥିଲା । ତା’ଛଡା କ୍ରାଇମ୍ ବ୍ରାଞ୍ଚର ଏଡିଜି ଭାବେ ସେ ଦୀର୍ଘ ସମୟ କାମ କରିଛନ୍ତି । କ୍ରାଇମ୍ ବ୍ରାଞ୍ଚରେ ଥିବା ସମୟରେ ବଡ଼ ବଡ଼ ବିଲ୍ଡର, ଚିଟ୍ଫଣ୍ଡ ସଂସ୍ଥାର ଅନେକ ଗୁମର ଖୋଲିଛନ୍ତି ।
କିଛି ଦିନ ଜେଲ୍ ବିଭାଗର ଅତିରିକ୍ତ ଡିଜି ପଦରେ ଥିଲେ । ଏହି ସମୟରେ ଜେଲ୍ କ୍ୟାଣ୍ଟିନ୍ ଖୋଲିବା ସହ ବିଚାରଧୀନ କଏଦୀମାନଙ୍କ ପାଇଁ ଅନେକ କିଛି କରିଥିଲେ । ପ୍ରାୟ ଦେଢ଼ ବର୍ଷରୁ ଉଦ୍ଧ୍ୱର୍ ସମୟ ହେବ ଶ୍ରୀ ଶର୍ମା ଅଗ୍ନିଶମ ଓ ହୋମଗାର୍ଡ ମୁଖିଆ ପଦରେ ଅଛନ୍ତି । ଫୋନି ବାତ୍ୟା ବେଳେ ତାଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗ ଦିନ ରାତି ଏକ କରି ସ୍ଥିତି ସୁଧାରିବା କାମରେ ଲାଗିଥିଲେ ।
ଶ୍ରୀ ଶର୍ମା ଆମେରିକାର ଜନ୍ ହପ୍କିନ୍ସ ବିଶ୍ୱବିଦ୍ୟାଳୟର ଫୁଲ୍ ବ୍ରାଇଟ୍ ସ୍କଲାର୍ ଥିଲେ । ସେଠାରେ ସେ ଡ୍ରଗ୍ ଏନଫୋର୍ସମେଣ୍ଟ ବିଷୟରେ ସ୍ୱତନ୍ତ୍ର ଡିଗ୍ରୀ ହାସଲ କରିଛନ୍ତି । ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ଶ୍ରୀ ଶର୍ମାଙ୍କ କାର୍ଯ୍ୟ ଉଲ୍ଲେଖନୀୟ । ରାଜସ୍ଥାନର ସରିସ୍କା ଅଭୟାରଣ୍ୟରେ ରହସ୍ୟଜନକ ଭାବେ ବାଘ ହଜିଯିବା ଘଟଣାର ତଦନ୍ତ ଦାୟିତ୍ୱ ଶ୍ରୀ ଶର୍ମା ତୁଲାଇଥିଲେ ।
Comments are closed, but trackbacks and pingbacks are open.