ମାଲକାନଗିରି,(ବି.ବି.ନ୍ୟୁଜ୍): ସମଗ୍ର ଦକ୍ଷିଣ ଓଡ଼ିଶା ବର୍ଷା ଓ ବନ୍ୟା ଜଳରେ ଉବୁଟୁବୁ ହେଉଛି । ଲଘୁଚାପ ପ୍ରଭାବରେ ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଦୁଇ ଦିନ ହେବ ଲଗାଣ ବର୍ଷା ଲାଗି ରହିଛି । ଫଳରେ ରାସ୍ତା ଯୋଗାଯୋଗ ଓ ରେଳ ଯୋଗାଯୋଗ ବିଚ୍ଛନ୍ନ ହୋଇପଡ଼ିଛି । କାଶୀପୁର ବ୍ଲକର ତୁଜେର ନଦୀରେ ଭାସିଯାଇ ଦୁଇ ସମ୍ପର୍କୀୟ ଭାଇ ନିଖୋଜ ହୋଇଯାଇଛନ୍ତି ।
କନ୍ଧମାଳ ଜିଲ୍ଲାରେ ଅନେକ ସ୍ଥାନରେ କଲଭର୍ଟ, ଡାଇଭର୍ସନ ଧୋଇ ହୋଇ ରାଜପଥରେ ଯାତାୟତ ବନ୍ଦ ହୋଇଯାଇଛି । ବ୍ରହ୍ମପୁର- ଫୁଲବାଣୀ ମୁଖ୍ୟ ରାସ୍ତାରେ ଚଳପ୍ରଚଳ ଠପ୍ ହୋଇଯାଇଛି । ସେପଟେ ଗଜପତି ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । କାଶୀନଗର ଠାରେ ବଂଶଧାରା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ବନ୍ୟା ଅଞ୍ଚଳରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା, ଏସ୍ପି ସାରା ଶର୍ମାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାତମାମ ବର୍ଷା ଯୋଗୁଁ ଚାଷ ଜମି ଜଳମଗ୍ନ ହୋଇଛି । ବ୍ରହ୍ମପୁର ସମେତ ବିଭିନ୍ନ ସହରାଞ୍ଚଳରେ କୃତ୍ରିମ ବନ୍ୟା ସ୍ଥିତି ଉପୁଜିଛି । ବାଘଲଟି ଡ୍ୟାମ୍ରେ ଡଙ୍ଗା ବୁଡ଼ିଯାଇଥିବା ବେଳେ ୪ ଜଣ ଆଦିବାସୀଙ୍କୁ ଉଦ୍ଧାର କରାଯାଇଛି ।
ଗଜପତି ଜିଲ୍ଲାର କାଶୀନଗର ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବଂଶଧାରା ନଦୀ । ଏଠାରେ ବିପଦ ସଂକେତ ୫୪.୬୦ ମିଟର ଥିବା ବେଳେ ଶେଷ ଖବର ସୁଦ୍ଧା ଜଳସ୍ତର ୫୬.୩୦ ମିଟର ରହିଛି । ନଦୀ ତଟବର୍ତ୍ତି କାଶୀନଗର ସହର ସମେତ ଖାଣ୍ଡବା, ବୁଦୁରା ଏବଂ କିଡ଼ିଗାଁ ପଞ୍ଚାୟତର ୧୪ ଗାଁ ପ୍ରଭାବିତ ହୋଇଛି । କାଶୀନଗର ସହରର ୨ ଶହ, କିଡ଼ିଗାଁର ୧୫୦, ପାଲସିଂର ୧୫୦ ଏବଂ ପୁରୁଣା ବାଡ଼ିଗାଁର ୨୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ନଦୀର ତଳମୁଣ୍ଡ ଆନ୍ଧ୍ରର ହିରମଣ୍ଡଳମ୍ ଠାରେ ଥିବା ଗୋଟା ବ୍ୟାରେଜ୍ର ସମସ୍ତ ୨୨ଟି ଗେଟ୍ ଖୋଲାଯାଇଛି । ଜିଲ୍ଲାପାଳ ଅନୁପମ ଶାହା, ଏସ୍ପି ସାରା ଶର୍ମା ଏବଂ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇଛି । ଟିକାବାଲି ନିକଟ କୁଚିଲାଗଡ଼ ଠାରେ ନିର୍ମାଣାଧୀନ ବ୍ରିଜ୍ ପାଇଁ ତିଆରି ହୋଇଥିବା ଡାଇଭର୍ସନ ରାସ୍ତା ଧୋଇ ଯାଇଛି । ଫଳରେ ଫୁଲବାଣୀ- ବ୍ରହ୍ମପୁର ଯାତାୟତ ବନ୍ଦ ହୋଇଯାଇଛି । ବାଲିଗୁଡ଼ାର ବାଟାଗୁଡ଼ା ଠାରେ ଏକ କଲଭର୍ଟ ଭାସିଯିବାରୁ ବନ୍ଦ ହୋଇଯାଇଛି ୫୯ ନମ୍ବର ଜାତୀୟ ରାଜପଥର ବାଲିଗୁଡ଼ା- ତୁମୁଡ଼ିବନ୍ଧ ରାସ୍ତା । ଉଭୟ ପାଶ୍ୱର୍ରେ ଅନେକ ଗାଡ଼ିମୋଟର ଅଟକି ରହିଛି । ସାଲୁଙ୍କି ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଫୁଲବାଣୀ ସହରର ତଳୁଆ ଅଞ୍ଚଳ ଏବେ ଜଳମଗ୍ନ । ଲଙ୍କାଗଡ଼ର ଚାଉଳଧୁଆ ନଈ, ରାଉଳ ନଦୀ ଓ ଉତେଇ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ମଣ୍ଡଳପଦର ଠାରେ ଡାଇଭର୍ସନ୍ ଧୋଇଯାଇଥିବାରୁ ଶହ ଶହ ଗାଡ଼ିମୋଟର ଅଟକି ରହିଛି ।
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ବାଘଲଟି ଡ୍ୟାମ୍ରେ ଜଳସ୍ତର ବୃଦ୍ଧି ପାଇଛି । ସନ୍ଧ୍ୟା ବେଳେ ଏକ ଡଙ୍ଗାରେ ୪ ଜଣ ଆଦିବାସୀ ଆସୁଥିବା ବେଳେ ଡ୍ୟାମ୍ ମଧ୍ୟରେ ଓଲଟି ପଡ଼ିଥିଲା । ତେବେ ଆଦିବାସୀଙ୍କୁ କୌଣସି ମତେ ପ୍ରଶାସନ ପାଣି ମଧ୍ୟରୁ ଉଦ୍ଧାର କରିବାରେ ସଫଳ ହୋଇଛି । ଲଗାଣ ବର୍ଷାଜନିତ କାରଣରୁ ରଙ୍ଗେଇଲୁଣ୍ଡା ବ୍ଲକ୍ରେ ବିଜୁ କୃଷକ ବଜାର ଗୃହ ଓ ବେଗୁନିଆପଡ଼ା ବ୍ଲକ୍ରେ ସେବା ସମବାୟ ସମିତି ଅଫିସ୍ ଭୁଶୁଡ଼ି ପଡ଼ିଛି । ପାତ୍ରପୁର ବ୍ଲକ୍ରେ ସାପକାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଖବର ଆସିଥିବା ବେଳେ ସାନଖେମୁଣ୍ଡି ବ୍ଲକ୍ର ଏକ ସ୍କୁଲରେ ପାଣି ଭର୍ତ୍ତି ହୋଇଯାଇଥିବା ସୂଚନା ଦେଇଛନ୍ତି ଗ୍ରାମବାସୀ । ଋଷିକୁଲ୍ୟା ଓ ଜରଉ ନଦୀରେ ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି । ଛତ୍ରପୁରରେ ପାଣି ଘେରରେ ରହିଛି ପୁଲିିସ ଡାକ୍ତରଖାନା । ଗଞ୍ଜାମ ବ୍ଲକ୍ ପୁଇଁତୋଳା ଗ୍ରାମର ଶହ ଶହ ଏକର ଚାଷ ଜମିର ତଳି ଘରା ଉପରେ ବର୍ଷା ପାଣି ପ୍ଲାବିତ ହେଉଛି ।
ବର୍ଷା ଓ ବନ୍ୟା ଯୋଗୁଁ ସମଗ୍ର ମାଲକାନଗିରି ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଖଇରପୁଟ ବ୍ଲକରେ ଏକ ପୋଲ ଧୋଇଯିବାରୁ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀମାନେ ପାଣି ଘେରରେ ଅଟକି ଯାଇଥିବା ୨ ଗର୍ଭବତୀଙ୍କ ସମେତ ୫ ଜଣଙ୍କୁ ଉଦ୍ଧାର କରିଛନ୍ତି । ବହୁ ପରିବାର ଜଳବନ୍ଦୀ ଜୀବନ ବିତାଉଛନ୍ତି । ଜିଲ୍ଲାରେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି ।
ସେହିପରି ରାୟଗଡ଼ା ଜିଲ୍ଲାରେ ୪୦ ଘଣ୍ଟା ଧରି ଅବିଶ୍ରାନ୍ତ ବର୍ଷା ଯୋଗୁ ଜିଲ୍ଲାର ସବୁ ନଦୀରେ ଆସିଛି ବନ୍ୟା । ଗୁଣପୁରଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ଜିଲ୍ଲାର ସମସ୍ତ ୧୧ ବ୍ଲକ ଓ ୩ ସହରାଞ୍ଚଳ ପାଣି ଘେରରେ ରହିଛି । ନିୟମଗିରିର ଅନେକ ପଞ୍ଚାୟତବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ବିଷମକଟକ ଏବଂ କଲ୍ୟାଣସିଂହପୁର ବ୍ଲକର ପ୍ରାୟ ୫୦ ଖଣ୍ଡ ଗାଁ ବିଚ୍ଛିନ୍ନ ରହିଛି । କାଶୀପୁର ବ୍ଲକର ତୁଜେର ନଦୀରେ ଭାସିଯାଇ ଦୁଇ ସମ୍ପର୍କୀୟ ଭାଇ ନିଖୋଜ ହୋଇଯାଇଛନ୍ତି ।
ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଷ୍ଟେସନଠାରୁ ଅଳ୍ପ ଦୂରରେ ଥିବା ଖାରିପୁଲିଆ ନିକଟରେ ଏକ ରେଳ ପୋଲ ଭୁଶୁଡ଼ିପଡ଼ିଛି । ପୋଲ ଭୁଶୁଡ଼ିବା ଯୋଗୁ ଏକ ମାଲବାହୀ ଟ୍ରେନ୍ର ୩ଟି ବଗି ଓଲଟି ପଡ଼ିଛି । ଯଦ୍ୱାରା ରାୟଗଡ଼ା-ଟିଟିଲାଗଡ଼ ମଧ୍ୟରେ ରେଳ ଚଳାଚଳ ଆଜି ଭୋରରୁ ଠପ୍ ହୋଇଯାଇଛି । ଟିକିରି ଷ୍ଟେସନ ବନ୍ୟାଜଳରେ ବୁଡ଼ି ରହିଛି ।
ଷ୍ଟେସନ ବାହାରେ ଓ ଭିତରେ ପ୍ରାୟ ୩ ଫୁଟ ଲେଖାଏଁ ପାଣି ଜମିଛି । ଟିକିରି, ଭାଲୁମସ୍କା ଓ ଲେଲିଗୁମ୍ମା ଷ୍ଟେସନ ନିକଟରେ ରେଳ ଧାରଣା ଉପରେ ୨ ଫୁଟ୍ ଉଚ୍ଚରେପାଣି ପ୍ରବାହିତ ହେଉଛି । ଅନ୍ୟପକ୍ଷରେ କୋରାପୁଟ-ରାୟଗଡ଼ା ରେଳପଥରେ ଭୂସ୍ଖଳନ ହୋଇଛି । ଭାଲୁମସ୍କା ଷ୍ଟେସନ ନିକଟରେ ଥିବା ୨୩ ନମ୍ବର ଟନେଲ ସମ୍ମୁଖରେ ପାହାଡ଼ରୁ ମାଟି ଅତଡ଼ା ଓ ପଥର ଖସି ରେଳ ଧାରଣାକୁ ଅବରୋଧ କରିଛି । ଫଳରେ କୋରାପୁଟ-ରାୟଗଡ଼ା ମଧ୍ୟରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ମୁନିଗୁଡ଼ା ବ୍ଲକ ଯୁଗାପଦର ପୋଲର ଆପ୍ରୋଚ ରାସ୍ତାକୁ ଧୋଇନେଇଛି ବଂଶଧାରା ପାଣି । ଏଥିଯୋଗୁ ରାୟଗଡ଼ା ଓ କନ୍ଧମାଳ ଜିଲ୍ଲା ମଧ୍ୟରେ ଯୋଗାଯୋଗ ଠପ୍ ହୋଇଯାଇଛି । ରାୟଗଡ଼ା ଜିଲ୍ଲାର ୫ ପ୍ରମୁଖ ନଦୀ ନାଗାବଳୀ, ଝଞ୍ଜାବତି, ବଂଶଧାରା, ତୁଜେର, କଲ୍ୟାଣୀରେ ଜଳସ୍ତର ବଢିବାରେ ଲାଗିଛି ।
Comments are closed, but trackbacks and pingbacks are open.