ଭାରତ ରତ୍ନରେ ସମ୍ବର୍ଦ୍ଧିତ ହେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

Get real time updates directly on you device, subscribe now.

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଗୁରୁବାର ଶିର୍ଷ ନାଗରିକ ସମ୍ମାନ ‘ ଭାରତ ରତ୍ନ’ରେ ଭୂଷିତ କରାଯାଇଛି। ମୁଖାର୍ଜୀଙ୍କ ସହ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଚାରକ ନାନାଜୀ ଦେଶମୁଖ ଓ ଗାୟକ ଭୂପେନ ହଜାରିକା ମରଣୋପରାନ୍ତ ଏହି ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଏକ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନ ପ୍ରଦାନ କରିଛନ୍ତି। ଭାରତ ରତ୍ନ ସମ୍ମାନରେ ସମ୍ବର୍ଦ୍ଧିତ ହେବାରେ ପ୍ରଣବ ମୁଖାର୍ଜୀ ହେଉଛନ୍ତି ଦେଶର ପଞ୍ଚମ ରାଷ୍ଟ୍ରପତି। ତାଙ୍କ ପୂର୍ବରୁ ଡା.ଏସ୍. ରାଧାକୃଷ୍ଣନ, ଡା.ରାଜେନ୍ଦ୍ର ପ୍ରସାଦ, ଡ।. ଜାକିର ହୁସେନ ଓ ଭି.ଭି.ଗିରିଙ୍କୁ ଏହି ଏହି ଶିର୍ଷ ନାଗରିକ ସମ୍ମାନରେ ସମ୍ମାନୀତ କରାଯାଇଥିଲା।
ଏହା ପୂର୍ବରୁ ୧୯୯୯ ମସିହାରେ ଏକକାଳୀନ ସମାଜବାଦୀ ନେତା ଜୟପ୍ରକାଶ ନାରାୟଣ, ସୀତାର ବାଦକ ପଣ୍ଡିତ ରବି ଶଙ୍କର, ଅର୍ଥଶାସ୍ତ୍ରୀ ଡା. ଅମର୍ତ୍ତ୍ୟ ସେନ୍ ଓ ସ୍ୱାଧୀନତା ସଂଗ୍ରାମୀ ଗୋପୀନାଥ ବର୍ଦ୍ଦୋଲାଇଙ୍କୁ ଭାରତ ରତ୍ନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାର ୧୬ ବର୍ଷ ପରେ ଅର୍ଥାତ ୨୦୧୫ରେ ଶେଷ ଥର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସଂସ୍ଥାପକ ମଦନମୋହନ ମାଲବ୍ୟଙ୍କୁ ଏହି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲାଯ ଚଳିତ ବର୍ଷକୁ ମିସାଇ ଏପର‌୍ୟନ୍ତ ଦେଶର ୪୫ ଜଣ ସୁଯୋଗ୍ୟ ବରପୁତ୍ରଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଛି।
ପ୍ରଣବ ମୁଖାର୍ଜୀ ୧୧ ଡିସେମ୍ବର ୧୯୩୫ ମସିହାରେ ପଶ୍ଚିମବଙ୍ଗର ମିରାତିରେ ଜନ୍ମଗ୍ରହଣ କରିଥିଲେ। ୧୯୬୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କୁ ରାଜ୍ୟସଭା ସାଂସଦ ମନୋନୀତ କରିଥିଲେ। ୧୯୮୨ ମସିହାରେ ସେ କେନ୍ଦ୍ରମନ୍ତ୍ରୀମଣ୍ଡଳରେ ଅର୍ଥମନ୍ତ୍ରୀ ଭାବେ ଦକ୍ଷତାର ସହ କାର‌୍ୟ କରିଥିବା ବେଳେ ୧୯୯୫ ମସିହାରେ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୦୪ ସାଧାରଣ ନିର୍ବାଚନରେ ପ୍ରଣବ ପ୍ରତ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଭାବେ କାର‌୍ୟ୍ୟ କରିଥିଲେ। ୨୦୦୬-୦୯ ବୈଦେଶିକ ବ୍ୟାପାର ଓ ୨୨୦୯-୧୨ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଦାୟିତ୍ୱରେ ଥିଲେ। ୨୦୧୨ ମସିହା ରାଷ୍ଟ୍ରପତି ନିର୍ବାଚନରେ ପ୍ରଣବଙ୍କୁ ରାଷ୍ଟ୍ରପତି ନିର୍ବାଚିତ କରାଯାଇଥିଲା। ୨୦୧୭ ମସିହାରେ ତାଙ୍କ କାର‌୍ୟକାଳ ଶେଷ ହୋଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons