ଚିଲିକା,(ବି.ବି.ନ୍ୟୁଜ୍): ଚିଲିକା କୂଳରେ ଲାଗିଛି ଏକ ବିଦେଶୀ ପଣ୍ୟବାହୀ ଜାହାଜ । କୃଷ୍ଣପ୍ରସାଦ ବ୍ଲକ୍ ବ୍ରହ୍ମପୁର ପଞ୍ଚାୟତର ଖିରିସାହି ସମୁଦ୍ର ଉପକୂଳ ଅଞ୍ଚଳରେ ଏହି ଜାହାଜ ଲାଗିଛି । ଜାହାଜଟି ବାଂଲାଦେଶରୁ ଆନ୍ଧ୍ରପ୍ରଦେଶର ଭାଇଜାଗ୍ ଅଭିମୁଖେ ଯାଉଥିଲା । ମଝି ସମୁଦ୍ରରେ ଖରାପ ହେବାରୁ ଏହା ମୁହାଣ ଦେଇ ଚିଲିକା ଭିତରକୁ ପଶିଆସିଛି । ଜାହାଜରେ ଜଣେ କ୍ୟାପଟେନ୍ ଓ ୧୦ ଜଣ ନାବିକ ଅଛନ୍ତି । ସମସ୍ତେ ବିଦେଶୀ ନାଗରିକ ବୋଲି ଜଣାପଡ଼ିଛି ।
ଗୁରୁବାର ଦିନ ୧୨ଟା ସମୟରେ ଜାହାଜଟି ଖିରିସାହି ଅଞ୍ଚଳରେ ଲାଗିଥିଲା । ଜାହାଜର ନମ୍ବର ଔଓଘ ଐଡଇ ୩୨ ବୋଲି ଉଲ୍ଲେଖ ରହିଛି । ନିକଟସ୍ଥ ସାମୁଦ୍ରିକ ମତ୍ସ୍ୟଜୀବୀ ଏ ସମ୍ପର୍କରେ ଖବର ପାଇଥିଲେ । ଗ୍ରାମବାସୀମାନେ ଜାହାଜକୁ ଦେଖି ଆତଙ୍କିତ ହୋଇଯାଇଥିଲେ । ପରେ ଏ ନେଇ କୃଷ୍ଣପ୍ରସାଦ ଥାନାକୁ ଖବର ଦିଆଯାଇଥିଲା । ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ଜାହାଜର ଯନ୍ତ୍ରାଂଶ ଖରାପ ହୋଇଯାଇଥିଲା । ସେଥିପାଇଁ ଜାହାଜ ଗତ ଦୁଇଦିନ ଧରି ସମୁଦ୍ର ଗର୍ଭରେ ରହିଥିଲା । ସେଥିରେ ଥିବା ବିଦେଶୀ ନାବିକମାନେ ଅନାହାରରେ ରହିବା ପରେ ଚିଲିକା ଉପକୂଳରେ ପହଞ୍ଚିଥିଲେ । ସେହି ଜାହାଜଟି ପଣ୍ୟ ନେଇ ମାଲେସିଆରୁ ବାଂଲାଦେଶ ଯାଇଥିଲା । ବାଂଲାଦେଶରେ ମାଲ୍ ଅନଲୋଡ୍ କରି ଭାଇଜାଗ୍ ଅଭିମୁଖେ ଯାଉଥିଲା ବୋଲି ଜଣାପଡ଼ିଛି ।
ଜାହାଜର କ୍ୟାପଟେନ୍ ବାଂଲାଦେଶୀ ଓ ୧୦ ଜଣ ନାବିକ ମାଲେସିଆର ବୋଲି ସୂଚନା ମିଳିଛି । ସେମାନେ ତେଲୁଗୁ ଓ ହିନ୍ଦୀ ଭାଷା କହୁଛନ୍ତି । ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଧମକଚମକ ଦେଖାଇ ଜାହାଜରୁ ଯନ୍ତ୍ରାଂଶ ଓ ଅନ୍ୟ ସାମଗ୍ରୀ ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ନାବିକମାନେ ପୁଲିସକୁ ଖବର ଦେଇଥିଲେ । କୃଷ୍ଣପ୍ରସାଦ ପୁଲିସ ଘଟଣାସ୍ଥଳକୁ ନ ଯାଇ ନୂଆପଡ଼ା ଫାଣ୍ଡିରେ କାର୍ଯ୍ୟରତ ଜଣେ କନେଷ୍ଟବଳ ଡି. ଶ୍ରୀନିବାସଙ୍କୁ ପଠାଇଥିଲା । ଏହା ଦେଖି ନାବିକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଲୁଟ୍ ହୋଇଥିବା ସାମଗ୍ରୀର ସନ୍ଧାନ ପାଇବାରେ ସେମାନେ ବିଫଳ ହୋଇଥିଲେ ।
ଗୁରୁବାର ରାତି ସୁଦ୍ଧା ଜାହାଜ ମରାମତି ହୋଇପାରିନାହିଁ । ଜାହାଜରେ ଥିବା ନାବିକମାନେ ସ୍ଥାନୀୟ ଅଞ୍ଚଳରେ ଖାଇପିଇ ସୁରକ୍ଷିତ ଅଛନ୍ତି । କୃଷ୍ଣପ୍ରସାଦ ପୁଲିସ ଜାହାଜ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି । ସମ୍ବିଧାନର ୩୭୦ ଧାରା ଉଚ୍ଛେଦ ହେବା ପରେ ଏହି ଜାହାଜକୁ ନେଇ ଲୋକଙ୍କ ମନରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଏ ସମ୍ପର୍କରେ କୃଷ୍ଣପ୍ରସାଦ ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିବାରେ ତାଙ୍କ ଫୋନ୍ ଲାଗୁ ନ ଥିବା ଜଣାଯାଇଛି ।
Comments are closed, but trackbacks and pingbacks are open.