ଶ୍ରୀମନ୍ଦିରରେ ଝୁଲଣଯାତ୍ରା

Get real time updates directly on you device, subscribe now.

ପୁରୀ,(ବି.ବି.ବ୍ୟୁରୋ): ଶନିବାରଠାରୁ ଶ୍ରୀମନ୍ଦିରରେ ୭ଦିନ ବ୍ୟାପି ଅନୁଷ୍ଠିତ ହେବ ଝୁଲଣଯାତ୍ରା । ଝୁଲଣକୁଞ୍ଜରେ ବିଜେ ହେବେ ଠାକୁରେ । କୁଞ୍ଜରେ ଝୁଲିବେ ଲକ୍ଷ୍ମୀ, ସରସ୍ୱତୀ ଓ ମଦନମୋହନ । ଶ୍ରଦ୍ଧାଳୁମାନେ ଝୁଲଣମଣ୍ଡପରେ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିବେ । ଝୁଲଣ ମହୋତ୍ସବ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତି ।
ମହାପ୍ରଭୁଙ୍କ ମଧ୍ୟାହ୍ନଧୂପ ପରେ ତିନିବାଡ଼ରେ ସର୍ବାଙ୍ଗ ଲାଗି ଓ ବେଶ ହେବ । ମହାଜନମାନେ ସିଂହାସନରୁ ଲକ୍ଷ୍ମୀ ସରସ୍ୱତୀଙ୍କୁ ଓ ଦକ୍ଷିଣଘରୁ ମଦନମୋହନଙ୍କୁ ଆଣି ଖଟଶେଯରେ ବିଜେ କରାଇବେ । ପୂଜାପଣ୍ଡା ସାମନ୍ତ ମାଣ୍ଡୁଅ ଭୋଗ ଅର୍ପଣ କରିବେ । ତିନି ବାଡ଼ରେ ଆଳତି ହେବ । ଏହାପରେ ତିନିମୂର୍ତ୍ତିଙ୍କୁ ଝୁଲଣମଣ୍ଡପ ଦୋଳିକୁ ଅଣାଯିବ । ବିଡ଼ିଆପାନ ମଣୋହୀ କରାଯିବ । ମନ୍ଦିରରେ ସନ୍ଧ୍ୟାଧୂପ ସରିଲେ ଝୁଲଣ ଠାରେ ପଞ୍ଚୋପଚାରରେ ପୂଜା ହେବ । ଭୋଗ ପରେ ବନ୍ଦାପନା ହେବ । ମନ୍ଦିର ଭିତରେ ଚନ୍ଦନଲାଗି ସରିବାପରେ ଝୁଲଣ କୁଞ୍ଜରେ ମହାଜନମାନେ ମଇଲମ କରି ମଦନମୋହନଙ୍କୁ ଦକ୍ଷିଣିଘର ଓ ଦୁଇ ଠାକୁରାଣୀଙ୍କୁ ଗର୍ଭଗୃହକୁ ବିଜେ କରାଇବେ ।
ଠାକୁରଙ୍କ ଝୁଲଣ ଯାତ୍ରା ପାଇଁ ମୁକ୍ତିମଣ୍ଡପ ଉପରେ ଓ ସମ୍ମୁଖ ପାଶ୍ୱର୍ରେ ସାଜ୍ଜସଜ୍ଜା ପ୍ରାୟ ଶେଷ ହୋଇଛି । ଝୁଲଣ କୁଞ୍ଜରେ ଶୁଆଶାରୀ, ବଣିପାରା, ଗୁଣ୍ଡିଚି ମୂଷା, ମାଙ୍କଡ ଆଦି ମୂର୍ତ୍ତି ଲଗାଯାଇଛି । ଝୁଲଣରେ ସୋଲ ଓ ଜରିସାଜ ଲାଗିଛି । ଉପରୋକ୍ତ ଜୀବଜନ୍ତୁଗୁଡ଼ିକ ସୋଲପଟିରେ କାଗଜ ଗୁଡାଯାଇ ରଙ୍ଗ ଦିଆଯାଇଥାଏ । ଏହି କାରିଗରି କାମ ପୁରୀରେ ସ୍ୱତନ୍ତ୍ର । ଶ୍ରୀମନ୍ଦିର ସମେତ ପୁରୀର ୪୦ରୁ ଉର୍ଦ୍ଧ ମଠବାଡ଼ିରେ ଝୁଲଣଯାତ୍ରା ପାଳନ ହେବ । ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ମଠବାଡ଼ି ଉତ୍ସବମୁଖର ହୋଇଉଠିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons