ଚାରି ରାଜ୍ୟରେ ଜଳପ୍ରଳୟ

Get real time updates directly on you device, subscribe now.

ବେଙ୍ଗାଲୁର: ଲଗାତର ବର୍ଷା ଯୋଗୁ ଦେଶର ବିଭିନ୍ନ ଭାଗରେ ବନ୍ୟା ବିଭୀଷିକା ରଚିଛି । କେରଳ,କର୍ଣ୍ଣାଟକ, ମହାରାଷ୍ଟ୍ର ଓ ତାମିଲନାଡୁ ଭଳି ୪ ରାଜ୍ୟରେ ଜଳ ପ୍ରଳୟ ଘଟିଛି । ଗତ ୭୨ ଘଣ୍ଟା ମଧ୍ୟରେ ଏହି ୪ ରାଜ୍ୟରେ ୧୧୦ ଜଣଙ୍କର ପ୍ରାଣହାନୀ ଘଟିସାରିଲାଣି । ଇତିମଧ୍ୟରୁ କେବଳ କେରଳରେ ୫୭ ଜଣଙ୍କର ପ୍ରାଣହାନୀ ହୋଇଥିବା ଜଣାପଡ଼ିଛି । ତାମିଲନାଡୁରେ ଲଗାତର ବର୍ଷା ଯୋଗୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଭାରତୀୟ ସ୍ଥଳ, ଜଳ ଓ ବାୟୁସେନାର ଯବାନମାନଙ୍କୁ ବିଭିନ୍ନ ରାଜ୍ୟରେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ୧୨୩ଟି ଉଦ୍ଧାରକାରୀ ଟିମ୍ ଗଠନ କରାଯାଇ ଦେଶବ୍ୟାପୀ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
କେରଳର ୱାୟନାଡ ଏବଂ ମାଲ୍ଲାପ୍ପୁରମଠାରେ ବଡ଼ଧରଣର ଭୂସ୍ଖଳନ ହେବା କାରଣରୁ ଏଠାରେ ମାଟିତଳେ ୪୨ରୁ ଊଦ୍ଧ୍ୱର୍ ଲୋକ ଫସି ରହିଥିବା ଜଣାପଡ଼ିଛି । ଲଗାତର ବର୍ଷା ଜାରି ରହିଥିବା କାରଣରୁ ଫସିଥିବା ଲୋକଙ୍କ ଉଦ୍ଧାରକାର୍ଯ୍ୟ ଅନେକମାତ୍ରାରେ ବାଧାପ୍ରାପ୍ତ ହୋଇଛି । ଗତ ୭୨ ଘଣ୍ଟା ମଧ୍ୟରେ ରାଜ୍ୟରେ ବନ୍ୟାଯୋଗୁ ମୃତ୍ୟୁ ସଂଖ୍ୟା ୫୭ ଛୁଇଁଥିବା ବେଳେ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ସୂଚନା ଦେଇଛନ୍ତି । ବର୍ଷା ତଥା ବନ୍ୟାଯୋଗୁ ରାଜ୍ୟରେ ବିମାନ ଏବଂ ରେଳ ଚଳାଚଳ ଅନେକମାତ୍ରାରେ ବାଧାପ୍ରାପ୍ତ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ୮ଟି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି ।
କର୍ଣ୍ଣାଟକରେ ମଧ୍ୟ ବନ୍ୟା ଭୟାବହ ରୂପ ଧାରଣ କରିଛି । ଶନିବାର ସୁଦ୍ଧା ବର୍ଷା ଏବଂ ବନ୍ୟାଯୋଗୁ ରାଜ୍ୟରେ ୨୪ ଜଣଙ୍କର ପ୍ରାଣହାନୀ ଘଟିସାରିଲାଣିି । କୋଡାଗୁ ଅଞ୍ଚଳରେ ଭୂସ୍ଖଳନ ଯୋଗୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦିୟୁରପ୍ପା ମୃତକମାନଙ୍କ ପରିବାର ନିମନ୍ତେ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ରାଜ୍ୟର ୧୦୨୪ଟି ଗାଁ ବନ୍ୟାରେ ଜଳମଗ୍ନ ହୋଇରହିଛି । ଅଧିକାଂଶ ଅଞ୍ଚଳରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ।
ମହାରାଷ୍ଟ୍ରରେ ଗତ ୭୨ ଘଣ୍ଟାରେ ବନ୍ୟା ଯୋଗୁ ୨୯ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ପାଣିପାଗ ବିଭାଗର ସୂଚନା ମୁତାବକ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହା ଦ୍ୱାରା ବନ୍ୟାସ୍ଥିତି ଆହୁରି ବିଗିଡି ଯିବବୋଲି ଆଶଙ୍କା କରାଯାଉଛି । ପ୍ରବଳ ବର୍ଷା ଯୋଗୁ ଦେଶର ଆର୍ôଥକ ରାଜଧାନୀ ମୁମ୍ବାଇରୁ ବିଭିନ୍ନ ଅଞ୍ଚଳକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଗୁଡ଼ିକୁ ବନ୍ଦ କରି ଦିଆଯାଇଛି । ବନ୍ୟା ପ୍ରଭାବିତ ପଶ୍ଚିମ ମହାରଷ୍ଟ୍ରରେ ଶନିବାର ସୁଦ୍ଧା ୨.୮୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।
ସେହିପରି ତାମିଲନାଡୁର ବିଭିନ୍ନ ଜିଲ୍ଲାରେ ମଧ୍ୟ ବନ୍ୟା ପ୍ରକୋପ ଜାରି ରହିଛି । ଗୁଜରାଟରେ ପ୍ରବଳ ବର୍ଷା ଯୋଗୁ ୩ ମହଲା ବିଶିଷ୍ଟ କୋଠା ଭୂସୁଡ଼ି ଯିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons