ଦାରିଙ୍ଗବାଡି,(ବି.ବି.ନ୍ୟୁଜ୍): କନ୍ଧମାଳରେ ସୁଧୁରୁନି ସ୍ୱାସ୍ଥ୍ୟସେବା ବ୍ୟବସ୍ଥା । ଜରୁରି ପରିସ୍ଥିତିରେ ଅସୁସ୍ଥଙ୍କୁ ଦୋଳାରେ ବୋହିକି ନେବା ଘଟଣା କିଛି ନୂଆ ଘଟଣା ନୁହେଁ । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଡୁବୁରୀ ଗ୍ରାମରେ । ନିକଦମ ମାଝିଙ୍କ ପତ୍ନୀ ମିକାନ୍ତିଙ୍କ ପ୍ରସବ ଯନ୍ତ୍ରଣା ବଢ଼ିବାରୁ ଗ୍ରାମବାସୀ ଦୋଳାରେ ଡାକ୍ତରଖାନାକୁ ନେଉଥିଲେ । ମାତ୍ର ବାଟରେ ତାଙ୍କ ପ୍ରସବ ହୋଇଯାଇଛି । ଗାଁକୁ ରାସ୍ତା ନଥିବାରୁ ଗାଡ଼ି ପହଞ୍ଚି ପାରିନଥିଲା । ଘଞ୍ଚ ପାହାଡ଼ିଆ ଚଲା ରାସ୍ତାରେ ଗର୍ଭବତୀଙ୍କୁ ଡାକ୍ତରଖାନା ନିଆଯାଉଥିଲା ।
ଦୋଳା କରି ନେଉଥିବା ସମୟରେ ଅଧାବାଟ ଜଙ୍ଗଲ ମଧ୍ୟରେ ହିଁ ମିକାନ୍ତି କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏଏନ୍ଏମ୍ ସୁଧାମୟୀ ମହାମଲିକ ଏକ ସଚେତନ ମୂଳକ କାର୍ଯ୍ୟକ୍ରମ କରିବା ପାଇଁ ଡୁବୁରି ଗ୍ରାମକୁ ଯାଇଥିଲେ । ମିକାନ୍ତିଙ୍କ ପ୍ରସବ ଜନିତ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏଏନ୍ଏମ୍ ଏହା ଜାଣି ଗ୍ରାମର ଆଶା କର୍ମୀ ସସ୍ମିତା ବଳିଆର ସିଂ, ଏଲ୍ଏଚ୍ଏ ବବିତା ସିଂ ସମେତ ଗାଁ ଲୋକଙ୍କ ସହଯୋଗରେ ଦୋଳା କରି ମୁଖ୍ୟ ରାସ୍ତା ସିକବାଡିକୁ ଆଣୁଥିଲେ । ହେଲେ ନିକନ୍ତିଙ୍କ ଅଧାବାଟରେ ହିଁ ପ୍ରସବ ହୋଇଥିଲା । ଗାଁକୁ ଗାଡ଼ି ଆସୁନଥିବାରୁ ଲୋକେ ବାଧ୍ୟ ହୋଇ ଦୋଳା କରି ଆଣିବାକୁ ପଡିଥିଲା । ପ୍ରସବ ପରେ ମଧ୍ୟ ଆଉ ଦେଢ଼ କିଲୋମିଟର ବାଟ ଦୋଳା କରି ମୁଖ୍ୟ ରାସ୍ତା ସିକବାଡି ଗ୍ରାମରେ ପହଞ୍ଚିଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।
ଡୁବୁରି ଗ୍ରାମ ପାହାଡ଼ ଉପରେ ରହିଥିବା ବେଳେ ମୁଖ୍ୟ ରାସ୍ତା ସିକବାଡି ଠାରୁ ତିନି କିଲୋମିଟର । ଖାଲ ଖମା ସହ ପଥର ରାସ୍ତା । ଗାଁରେ ଏହି ଗାଁରେ ୩୦ରୁ ଊଦ୍ଧ୍ୱର୍ ପରିବାର ରହୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଗାଁକୁ ରାସ୍ତାଟିଏ ନାହିଁ । ଗାଡ଼ି ତ ଯିବା ଦୂରର କଥା ଚାଲିକି ଯିବା ମଧ୍ୟ ମୁସ୍କିଲ । ଏଭଳି ଭାବେ କାହାରି ସ୍ୱାସ୍ଥ୍ୟ ଖରାପ ହେଲେ ଲୋକେ ଦୋଳା କରି ୩ କିଲୋମିଟର ବାଟ ବୋହିକି ନେଇଥାନ୍ତି । ଏଥିରୁ କନ୍ଧମାଳର ବିକାଶର ଚିତ୍ର ଜଳଜଳ ହୋଇ ଦେଖାଯାଉଛି ।
Comments are closed, but trackbacks and pingbacks are open.