ନୀଳଗିରି,(ବି.ବି.ନ୍ୟୁଜ୍): ପୈତୃକ ସମ୍ପତ୍ତିକୁ ହାତେଇବା ପାଇଁ ଭଉଣୀ, ଭିଣୋଇ ସହ ପୁତୁରା ପିଟାମରା କରି ଶେଷରେ ଏକ ନଡ଼ିଆ ଗଛରେ ଯୁବତୀକୁ ବାନ୍ଧିବା ଘଟଣା ନୀଳଗିରିରେ ଚର୍ଚ୍ଚା ଜୋର ଧରିଛି । ବଡ଼ ଭଉଣୀ ନିଜର ସ୍ୱାମୀ ଓ ପୁତୁରା କଥାରେ ପରିଚାଳିତ ହୋଇ ନିଜ ଅବିବାହିତ ଭଉଣୀ ସୁନୀତିକୁ ଏପରି ଅତ୍ୟାଚାର କରିଥିବା ନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧୀନସ୍ଥ ବଉଳଗଡ଼ିଆ ଗ୍ରାମର କୁଟୁରୀ ବେହେରାଙ୍କ ଅବିବାହିତ ଝିଅ ସୁନୀତି ନିଜର ବାପାଙ୍କ ଜମିରେ ଘର ନିର୍ମାଣ କରି ରହି ଆସୁଥିଲେ । ଆଜି ଦିନ ପ୍ରାୟ ୧୧ଟାରେ ସୁନୀତି ଘର କାମ କରୁଥିବା ବେଳେ ଉକ୍ତ ଗ୍ରାମର ଯଦୁ ବେହେରାଙ୍କ ପୁଅ ରମାକାନ୍ତ କିଛି କାରଣ ନଥାଇ ସୁନୀତିଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ‘ଏହି ଜାଗା ଛାଡ଼ି ତୁ ପଳା’ ବୋଲି ଧମକ ଦେଇଥିଲେ । ପରେ ପରେ ରମାକାନ୍ତଙ୍କ ପୁଅ କହ୍ନେଇ ଏବଂ ସୁନୀତିଙ୍କର ବିବାହିତ ଭଉଣୀ ବାସନ୍ତୀ ପହଞ୍ଚି ଅଶ୍ଳୀଳ ଭାଷାରେ ଗାଳି କରିବା ସହିତ ବିଧା ଗୋଇଠା ମାରିଥିଲେ । ଶେଷରେ ଏକ ନଡ଼ିଆ ଗଛରେ ସୁନୀତିଙ୍କୁ ବାନ୍ଧି ପକାଇଥିଲେ । ଚିକ୍ରାର ଶୁଣି ପଡ଼ୋଶୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଲୋକ ଗହଳି ହୋଇଯିବାରୁ ୩ ଆକ୍ରମଣକାରୀ ସୁନୀତିଙ୍କୁ ଜୀବନରୁ ମାରି ଦେବାର ଧମକ ଦେଇ ପଳାଇ ଯାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ସୁନୀତିଙ୍କୁ ଗଛରୁ ବନ୍ଧା ଅବସ୍ଥାରେ ମୁକୁଳାଇ ୧୦୮ ଆମ୍ବୁଲାନ୍ସ ଯୋଗେ ନୀଳଗିରି ଡାକ୍ତରଖାନା ଆଣିଥିଲେ । ଏ ନେଇ ସୁନୀତି ବେହେରା ନୀଳଗିରି ଥାନାରେ ଏତଲା ଦେଇଥିବା ବେଳେ ପୁଲିସ ଜଣକୁ ଥାନାରେ ଅଟକ ରଖିଥିବାର ଜଣାପଡିଛି । ଏବେ ତଦନ୍ତ ଜାରି ରହିଛି ।
Comments are closed, but trackbacks and pingbacks are open.