ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ପୂରା ଅସହାୟ ହୋଇପଡିଥିବା ପାକିସ୍ତାନ ଏବେ ସୀମାରେ କିଛି ହରକତ କରି ଭାରତ ଉପରେ ଚାପ ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛି । ଏବେ ରିପୋର୍ଟ ଆସିଛି କି ପାକିସ୍ତାନୀ ସେନା ରାତି ଅଧିଆ ଏଲଓସି ନିକଟରେ ତୋପ ଏବଂ ଅନ୍ୟାନ୍ୟ ଭାରୀ ଯୁଦ୍ଧ ସରଞ୍ଜାମ ମୁତୟନ କରୁଛି । ପାକିସ୍ତାନର ଜଣେ ପ୍ରତିଷ୍ଠିତ ସାମ୍ବାଦିକ ତଥା ଜିଓ ଟିଭିର ମୁଖ୍ୟ ହମିଦ ମୀର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ରେ ଲେଖିଛନ୍ତି ଯେ ଆଜାଦ କାଶ୍ମୀର(ପିଓକେ)ରେ ଥିବା କେତେକ ବନ୍ଧୁ ତାଙ୍କୁ ଏହି ସୂଚନା ଦେଇଛନ୍ତି । ପାକ୍ ସେନାର ଏଭଳି ପଦକ୍ଷେପକୁ ସେଠାକାର ଲୋକେ ସ୍ୱାଗତ କରୁଛନ୍ତି । ଏଥିରୁ ପାକ୍ ସେନାର ଯୁଦ୍ଧ ପ୍ରସ୍ତୁତି ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳୁଛି ।
ପୂର୍ବରୁ ରିପୋର୍ଟ ଆସିଥିଲା କି ପାକିସ୍ତାନୀ ସେନା ଆଫଗାନିସ୍ତାନ ସଂଲଗ୍ନ ସୀମାରୁ ସୈନିକଙ୍କୁ ଭାରତ ସୀମାକୁ ପଠାଉଛି । ସେହିପରି ପିଓକେରେ ପାକ୍ ସେନାର କିଛି ଭିଭିଆଇପି ବିମାନ ବାରମ୍ବାର ଉଡାଣ ଭରୁଥିବାର ବି ଲକ୍ଷ୍ୟ କରାଯାଇଛି । ପାକିସ୍ତାନୀ ବାୟୁସେନାର ଯୁଦ୍ଧବିମାନଗୁଡିକ ନିୟମିତ ପଇଁତରା ମାରୁଥିଲାବେଳେ ନୌସେନାର ଯୁଦ୍ଧଜାହାଜଗୁଡିକ ବି ଆରବ ସାଗରରେ ମୁତୟନ କରାଯାଇଛି । ପାକିସ୍ତାନ ମଧ୍ୟ ୧୫୦ରୁ୨୦୦ ଆତଙ୍କବାଦୀଙ୍କୁ ପିଓକେରେ ଠୁଳ କରିଛି ।
ଏସବୁକୁ ଦେଖି ଭାରତୀୟ ସେନାବାହିନୀର ତିନୋଟି ଯାକ ଅଙ୍ଗ ମଧ୍ୟ ପୂରା ପ୍ରସ୍ତୁତ ହୋଇ ରହିଛନ୍ତି । ସୀମାରେ ଭାରତୀୟ ସ୍ଥଳସେନା ବି ପର୍ଯ୍ୟାପ୍ତ ସଂଖ୍ୟାରେ ସୈନିକ ଓ ଯୁଦ୍ଧାସ୍ତ୍ର ମୁତୟନ କରିଛି । ନୌସେନା ଚାରିଟି ବୁଡ଼ାଜାହାଜକୁ କରାଚୀ ଉପରେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରି ରଖିଛି । ବାୟୁସେନାର ଯୁଦ୍ଧବିମାନଗୁଡିକ ବି ନିୟମିତ ଉଡାଣ ଭରୁଛନ୍ତି । ଏସବୁକୁ ଦେଖି ଆଗାମୀ କିଛି ଦିନ ଭିତରେ ଦୁଇ ଦେଶ ମଧ୍ୟରେ ତୀବ୍ର ସଂଘର୍ଷ ଲାଗିଯିବା ଅସମ୍ଭବ ନୁହେଁ ବୋଲି ମନେ କରାଯାଉଛି ।
Comments are closed, but trackbacks and pingbacks are open.