କାଲିମେଳା,(ବି.ବି.ନ୍ୟୁଜ୍): ୩ ଦିନ ହେଲା ଜ୍ୱରରେ ଥରୁଛନ୍ତି ଜଣେ ମହିଳା । ଗୁଣିଆ ପାଖରେ ଚାଲିଛି ଝଡ଼ାଫୁଙ୍କା । ଦେହର ବିଭିନ୍ନ ସ୍ଥାନକୁ କାମୁଡି଼ ପକାଇଛନ୍ତି ଗୁଣିଆ ଜଣଙ୍କ । ତାଙ୍କ ଭାଷାରେ ଏହା କୁଆଡ଼େ ଲୁଲୁକୋଇ ଜ୍ୱର । ଦିନରେ ୩ଥର ଝାଡି଼ ଦେଇ ଅମିଗରି ଗଛର ଚେର ବାଟି ଖୁଆଇ ଦେଲେ ଜ୍ୱର ପଳେଇବ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ତେଲରାଇ ପଞ୍ଚାୟତର ଉର୍ମାଗୁଡ଼ା ଗାଁରେ । ଆଜିବି ଅନ୍ଧବିଶ୍ୱାସର ଶିକାର ହୋଇ ଅନେକ ଲୋକ ଅକାଳରେ ପ୍ରାଣ ହରାଉଛନ୍ତି । ଡାକ୍ତରଖାନା ଯିବା ପରିବର୍ତ୍ତେ ଗୁଣିଆ ଓ ଦିଶାରୀଙ୍କ ଶରଣ ପଶୁଛନ୍ତି । ଯାହାର ଭୟଙ୍କର ପରିଣତି କିଛି ଦିନ ପରେ ଭୋଗିବାକୁ ପଡୁଛି । ଏହାର ଅସଲ କାରଣ ହେଲା, ଦୁର୍ଗମ ଅଞ୍ଚଳଗୁଡିକରେ ଥିବା ଗାଁରେ ପହଞ୍ଚୁ ନାହାନ୍ତି ସ୍ୱାସ୍ଥ୍ୟକର୍ମୀ କିମ୍ବା ମେଡିକାଲ୍ ଟିମ୍ । ବାଧ୍ୟ ହୋଇ ଗରିବ ଆଦିବାସୀମାନେ ବିକଳ୍ପ ନପାଇ ଝଡ଼ାଫୁଙ୍କାକୁ ଆଦରି ନେଉଛନ୍ତି ।
ଜ୍ୱରରେ ପୀଡିତ ଥିବା ମହିଳା ଜଣଙ୍କ ହେଲେ ଉର୍ମାଗୁଡା ଗାଁର ଦେବା ବେଟୀଙ୍କ ସ୍ତ୍ରୀ ଦୁଲେ ବେଟୀ(୩୮) । ଜ୍ୱର ସାଙ୍ଗକୁ ପେଟବଥା ହେଉଥିଲା । ଗରିବ ପରିବାର ତାଙ୍କୁ ଡାକ୍ତରଖାନା ନନେଇ ଆଜି ସକାଳେ ନେଇଥିଲେ ଗାଁରେ ରହୁଥିବା ଦିଶାରୀ କୋଷା ବେଟୀଙ୍କ ପାଖକୁ । ସଙ୍ଗେ ସଙ୍ଗେ ଘର ବାରଣ୍ଡାରେ ଆରମ୍ଭ ହୋଇଯାଇଥିଲା କୋଷାଙ୍କ ଝଡ଼ାଫୁଙ୍କା । ଏକ ମୟୂର ପୁଚ୍ଛ, କିଛି ଅରୁଆ ଚାଉଳ ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ ଧରି କୋୟା ଭାଷାରେ ମନ୍ତ୍ର ପଢିବା ଆରମ୍ଭ କରି ଦେଇଥିଲେ କୋଷା । ଝଡ଼ାଫୁଙ୍କା ପଦ୍ଧତି ଏମିତି ଥିଲା ଯେ, ଦେଖିଲେ ଦେହ ଥରି ଉଠିବ । ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନକୁ କାମୁଡି ପକାଇଥିଲେ କୋଷା । ଏଥିଯୋଗୁ ସବୁଠି ତାଙ୍କ ଦାନ୍ତର ଚିହ୍ନ ରହିଛି । ପାଖରେ ଠିଆହୋଇ ଅନ୍ୟମାନେ ଏହାକୁ ନିରବରେ ଦେଖୁଥିଲେ । ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ହଜିଯାଇଥିଲେ ସମସ୍ତେ । ସେମାନେ ଭାବୁଥିଲେ, ଝଡ଼ାଫୁଙ୍କା ପରେ ସୁସ୍ଥ ହୋଇଯିବେ ଦୁଲେ ।
ଜ୍ୱର ଏବଂ ଝଡ଼ାଫୁଙ୍କା ସମ୍ପର୍କରେ ଆମେ ଦିଶାରୀ କୋଷାଙ୍କୁ ପଚାରିଥିଲୁ । ସଙ୍ଗେ ସଙ୍ଗେ ଉତ୍ତର ମିଳିଥିଲା, ଏହା ଲୁଲୁକୋଇ ଜ୍ୱର । ଝାଡ଼ି ଦେଲେ ଭଲ ହୋଇଯିବ । ଆଗରୁ ଏଭଳି ପଦ୍ଧତିରେ ଝଡ଼ାଫୁଙ୍କା କରି ଅନେକ ଲୋକଙ୍କ ଜ୍ୱର, ପେଟବଥା କୁଆଡେ ଭଲ କରିଛନ୍ତି । ଏମିତିକି କୁକୁର ଓ ସାପ କାମୁଡା ରୋଗୀଙ୍କୁ ବି ଭଲ କରିଥିବା ଦାବି କରିଛନ୍ତି । ଝଡ଼ାଫୁଙ୍କା ପରେ କେବଳ ରୋଗୀଙ୍କୁ ଦିଆଯାଉଛି ଚେରମୂଳି ଔଷଧ । ଏହାପରେ ଆମେ ଗାଁର ଅଙ୍ଗନବାଡି କର୍ମୀଙ୍କୁ ପଚାରିଥିଲୁ । ତାଙ୍କ ଉତ୍ତର ଥିଲା ଅତ୍ୟନ୍ତ ସିଧା ସିଧା । କହିଲେ, ରୋଗ ହେଲେ କିଛି ଲୋକ ଡାକ୍ତରଖାନା ଯାଉଛନ୍ତି । ଅନ୍ୟମାନେ ଗୁଣିଆ, ଦିଶାରୀଙ୍କ ପାଖକୁ ଯାଇ ଝଡ଼ାଫୁଙ୍କା କରୁଛନ୍ତି । ଗାଁ ଲୋକେ କହିଛନ୍ତି, ମାସ ମାସ ଧରି କୌଣସି ସ୍ୱାସ୍ଥ୍ୟକର୍ମୀ ଗାଁକୁ ଆସୁନାହାନ୍ତି । ରୋଗ ହେଲେ ଡାକ୍ତରଖାନା ଯିବା ଅନେକଙ୍କ ପକ୍ଷେ ସମ୍ଭବ ହେଉନି । ତେଣୁ ବାଧ୍ୟ ହୋଇ ଏଭଳି ପଦ୍ଧତିକୁ ଆପଣାଇଛନ୍ତି ।
ଝଡ଼ାଫୁଙ୍କା ଯୁଗ ଗଲାଣି । ତଥାପି ସଚେତନତା ଅଭାବରୁ ଆଜିବି ଦୁର୍ଗମ ଅଞ୍ଚଳରେ ରହୁଥିବା ଆଦିବାସୀମାନେ ଗୁଣିଆଙ୍କ ଉପରେ ଭରସା କରୁଛନ୍ତି । ଦିନ ଦିନ ଧରି ଝଡ଼ାଫୁଙ୍କା କରୁଛନ୍ତି । ଶେଷ ମୁହୂର୍ତ୍ତରେ ଡାକ୍ତରଖାନା ଗଲା ବେଳକୁ ଚାଲିଯାଉଛି ଜୀବନ । ଏଭଳି ଅନେକ ଘଟଣା ଘଟିଥିବା ନଜୀର ରହିଛି । ତଥାପି ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଗାଁ ଗହଳିରେ ଯେଭଳି ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯିବା କଥା, ହେଉନାହିଁ । ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସବୁ ଜାଣି ଚେଇଁ ଶୋଇଛି । ତେଣୁ ଗୁଣିଗାରେଡି ଏବଂ ଝଡ଼ାଫୁଙ୍କା ଭଳି ଅନ୍ଧବିଶ୍ୱାସର ଶିକାର ହେଉଛନ୍ତି ନିରକ୍ଷର ଆଦିବାସୀମାନେ ।
Comments are closed, but trackbacks and pingbacks are open.