ବୁଲୁଛି ନକଲି ୧୦୮, ରୋଗୀ ଗଣୁଛନ୍ତି ଟଙ୍କା

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନ୍ୟୁଜ୍): ବୁଲୁଛି ନକଲି ୧୦୮ ଆମ୍ବୁଲାନ୍ସ । ଫୋନ କଲେ ପହଞ୍ଚି ଯାଉଛି । ଅସଲି ୧୦୮ ଭଳି ଏଥିରେ ଷ୍ଟିକରିଂ ହୋଇଛି । ସାଧାରଣ ଲୋକେ ଏହା ଜାଣି ପାରୁ ନାହାନ୍ତି । ମାଗଣା ଭାବି ଲୋକେ ରୋଗୀ ଅବା ଗର୍ଭବତୀଙ୍କୁ ମେଡିକାଲ ପରିବହନ କରୁଛନ୍ତି । ତେବେ ପରେ ନକଲି ଆମ୍ବୁଲାନ୍ସର କର୍ମଚାରୀଙ୍କ ଜୁଲମର ଶିକାର ହେଉଛନ୍ତି । ଯୁକ୍ତିତର୍କ ପରେ ପଇସା ଗଣୁଛନ୍ତି ।
ଜିଲ୍ଲାସାରା ଏଭଳି ଘଟଣାମାନ ଦେଖାଯାଉଥିଲେ ଏଥିରେ ସାମିଲ ଥିବା ବ୍ୟକ୍ତି ଅବା ଦଳ ଆଜିଯାଏ ଧରାପଡୁ ନାହାନ୍ତି । ଏହାକୁ ନେଇ ବାରମ୍ବାର ଅଭିଯୋଗ ପରେ ସୋମବାର ସିଡିଏମ୍ଓ ଏହି ର‌୍ୟାକେଟକୁ ଧରିବାକୁ ତଦନ୍ତ ଆରମ୍ଭ କରିଛନ୍ତି । ସରକାର ୧୦୮ କୁ ସମ୍ପୂର୍ଣ୍ଣ ମାଗଣା କରିଥିବା ବେଳେ କେତକ କ୍ୱାକ୍ ଓ ଅସାଧୁ କର୍ମଚାରୀ ଏଥିରେ ସାମିଲ ଥିବା ସାଧାରଣରେ ଆଲୋଚନା ହେଉଛି । ଏହିଭଳି ଏକ ଘଟଣା ମାଲକାନଗିରି ଜିଲ୍ଲା ସଦରମହକୁମା ମେଡିକାଲରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଜିଲ୍ଲା ହସପିଟାଲରୁ ଜଣେ ରୋଗୀଙ୍କୁ କୋରାପୁଟ ହସପିଟାଲକୁ ସ୍ଥାନାନ୍ତରିତ କରିବାର ଥିଲା । ରୋଗୀଙ୍କ ସଂପର୍କୀୟ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିଛି ସମୟ ପରେ ତାଙ୍କ ନିକଟରେ ଅବିକଳ ୧୦୮ ଭଳି ଦେଖାଯାଉଥିବା ଏକ ବୋଲେରୋ ପହଞ୍ଚିଥିଲା । ସେଥିରେ ଓଡିଶା ସରକାର ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ଲୋଗୋ ଓ ଷ୍ଟିକର ଲାଗିଥିଲା । ତେବେ ରୋଗୀଙ୍କୁ କୋରାପୁଟ ହସ୍ପିଟାଲରେ ପହଁଚାଇବା ପରେ ଗାଡିର ଚାଳକ ୪ ହଜାର ଟଙ୍କା ଦାବି କରିଥିଲା । ରୋଗୀଙ୍କ ସଂପର୍କୀୟ ଏଥିରେ ଆଶ୍ଚର୍ଯ୍ୟ ହୋଇଥିଲେ । ଏହି ସେବା ମାଗଣା ଥିବା ଦର୍ଶାଇ ୪ ହଜାର ଟଙ୍କା କଣ ପାଇଁ ମାଗୁଛି ବୋଲି ଡ୍ରାଇଭରକୁ ପଚାରିଥିଲେ । ତେବେ ଗାଡି ଭଡା ଦେବାକୁ ପଡିବ ବୋଲି ଡ୍ରାଇଭର କହିଥିଲା । ଶେଷରେ ଯୁକ୍ତିତର୍କ ହେବାରୁ ରୋଗୀଙ୍କ ପରିବାର ଲୋକେ ଟଙ୍କା ଗଣି ଡ୍ରାଇଭରକୁ ବିଦା କରିଥିଲେ । ଏପରିସ୍ଥଳେ, ଅସଲି ୧୦୮ ଏକ ମିନିବସ୍ ପରି ହୋଇଥିବା ବେଳେ ବୋଲେରୋରେ ଷ୍ଟିକରିଂ କରି ୧୦୮ ଲେଖି ଚଳାଚଳ କରୁଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କିପରି ଜାଣି ପାରୁନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅନୀଲ କୁମାର ମିଶ୍ରଙ୍କୁ ପଚାରିବାରୁ ଏ ନେଇ କୌଣସି ରୋଗୀ ଅଭିଯୋଗ କରି ନଥିବା କହିଛନ୍ତି । ତେବେ ଘଟଣା ଶୁଣିବା ପରେ ଏହାର ତଦନ୍ତ କରି ପଦକ୍ଷେପ ନେବାକୁ କହିଛନ୍ତି । ଘଟଣା ସତ୍ୟ ହୋଇଥିଲେ ନକଲି ଆମ୍ବୁଲାନ୍ସ ଚାଳକ ବିରୋଧରେ କାଯ୍ରୁ୍ୟନୁଷ୍ଟାନ ଗ୍ରହଣ କରାଯିବ ବୋଲି ଡାକ୍ତର ଶ୍ରୀ ମିଶ୍ର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons