ପୋର୍ଟ ଅଫ ସ୍ପେନ୍: ଘରୋଇ ୱେଷ୍ଟ ଇଣ୍ଡିଜ୍ ଓ ଭାରତ ମଧ୍ୟରେ ଆସନ୍ତା କାଲି ଖେଳାଯିବ ତୃତୀୟ ତଥା ସିରିଜ୍ ନିର୍ଣ୍ଣାୟକ ଦିନିକିଆ । ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଭାରତ ୫୯ ରନ୍ରେ ବିଜୟ ହାସଲ କରିଥିଲା । ପୂର୍ବରୁ ପ୍ରଥମ ଦିନିକିଆ ବର୍ଷା ଯୋଗୁଁ ବାତିଲ ହୋଇ ଯାଇଥିଲା । ୩ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ ୧-୦ରେ ଅଗ୍ରଣୀ ରହିଛି । ଆସନ୍ତାକାଲି ବିଜୟ ସହ ଭାରତ ସିରିଜ ହାତେଇବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଏହି ମ୍ୟାଚ୍ ଘରୋଇ ଦଳ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ସିରିଜ୍ ପରାଜୟରୁ ବର୍ତ୍ତିବାକୁ ହେଲେ ଆସନ୍ତାକାଲି ୱେଷ୍ଟ ଇଣ୍ଡିଜ୍କୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ ।
ଭାରତକୁ ହରାଇବାକୁ ହେଲେ ପ୍ରଥମେ ୱେଷ୍ଟ ଇଣ୍ଡିଜ୍କୁ ପୂର୍ବ ମ୍ୟାଚ୍ର ତ୍ରୁଟି ସୁଧାରିବା ଜରୁରୀ । କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ୪୬ ଓଭରରେ ୨୭୦ ରନ୍ ବିଜୟ ଲକ୍ଷ୍ୟର ପିଛା କରି ୱେଷ୍ଟ ଇଣ୍ଡିଜ୍ ଏକଦା ୭୧ ରନ୍ରେ ୯୧ ରନ୍ ଆବଶ୍ୟକ କରୁଥିଲା । ହାତରେ ୬ଟି ୱିକେଟ୍ ରହିଥିଲା । ଦଳୀୟ ସ୍କୋର ୪/୧୭୯ ରନ୍ ଥିବାବେଳେ ନିକୋଲାସ ପୂରାନ ଏକ ବେପରବାୟ ସଟ୍ ଖେଳି ଆଉଟ୍ ହୋଇଥିଲେ । ଏହାପରେ ୱେଷ୍ଟ ଇଣ୍ଡିଜ୍ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୧୦ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା ।
ଆସନ୍ତା କାଲିର ମ୍ୟାଚ୍ ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି । ହେଲେ ଏହା ପୂର୍ବରୁ ବ୍ୟାଟ୍ସମ୍ୟାନଙ୍କୁ ତ୍ରୁଟି ସୁଧାରିବାକୁ ପଡ଼ିବ । ବୋଲରଙ୍କ ପ୍ରଦର୍ଶନ ବେଶ୍ ଉନ୍ନତ ରହିଛି । ବାକି ସବୁ ବ୍ୟାଟ୍ସମ୍ୟାନଙ୍କ ଉପରେ ନିର୍ଭର କରୁଛି । ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ଙ୍କ ସମେତ ଯୁବ ପ୍ରତିଭାବାନ୍ ବ୍ୟାଟ୍ସମ୍ୟାନ୍ ସାଇ ହୋପ୍ଙ୍କ ଉପସ୍ଥିତି ଘରୋଇ ଦଳର ବ୍ୟାଟିଂ ବିଭାଗକୁ ସୁଦୃଢ କରିବ ।
ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ନାହିଁ । ଆସନ୍ତା କାଲି ବିଜୟ ସହ ଭାରତ ଉଭୟ ଟି-ଟ୍ୱେଣ୍ଟି ଓ ଦିନିକିଆ ସିରିଜ୍ ହାତେଇବାକୁ ଲକ୍ଷ୍ୟ ରଖିଛି । ବ୍ୟାଟିଂ କ୍ରମର ୪ନଂ ସ୍ଥାନ ଅପରିବର୍ତ୍ତିତ ରହିବା ନିଶ୍ଚିତ । ରିଶଭ ପନ୍ତ ଏହି ସ୍ଥାନରେ ବ୍ୟାଟିଂ କରିବେ । ଫଳରେ ଶ୍ରେୟାସ ଆୟର ପୂର୍ବ ମ୍ୟାଚ୍ ଭଳି ୫ନଂ ସ୍ଥାନରେ ବ୍ୟାଟିଂ କରିବେ । ଓପନର ଶିଖର ଧାୱନ ଫର୍ମରେ ନଥିଲେ ହେଁ ଆସନ୍ତା କାଲି ତାଙ୍କୁ ଆଉ ଏକ ସୁଯୋଗ ଦେବାକୁ ଟିମ୍ ମ୍ୟାନେଜମେଣ୍ଟ ଯୋଜନା କରିଛି । ଆଗାମୀ ଟେଷ୍ଟ ସିରିଜ୍ ପାଇଁ ତାଙ୍କୁ ଦଳରେ ସ୍ଥାନ ମିଳି ନାହିଁ । ତେଣୁ ଅନ୍ତିମ ଦିନିକିଆ ଖେଳି ସେ ସ୍ୱଦେଶ ଫେରିବା ଆଶା କରାଯାଉଛି ।
ନଜରରେ ଭୁବି: କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡ୍ରେ ଖେଳିଥିବା ଶେଷ ୫ଟି ମ୍ୟାଚ୍ରେ ଭୁବନେଶ୍ୱର କୁମାର ୧୫ଟି ୱିକେଟ୍ ଅକ୍ତିଆର କରି ସାରିଛନ୍ତି । ତେଣୁ ସେ ଆସନ୍ତା କାଲି ଭାରତୀୟ ଦଳର ବୋଲିଂ ବିଭାଗ ସମ୍ଭାଳିବେ । ଗତ ଦ୍ୱିତୀୟ ଦିନିକିଆରେ ସେ ୪ଟି ୱିକେଟ୍ ନେଇ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆସନ୍ତା କାଲି ୪ଟି ୱିକେଟ୍ ନେଇ ପାରିଲେ ଲେଗ ସ୍ପିନର କୁଲଦୀପ ଯାଦବ ରେକର୍ଡ କରିବେ । ସେ ୧୦୦ ୱିକେଟ୍ ନେବାରେ ଦ୍ରୁତତମ ଭାରତୀୟ ବୋଲର ସାବ୍ୟସ୍ତ ହେବେ । ବର୍ତ୍ତମାନ ସୁଦ୍ଧା କୁଲଦୀପ ୫୩ଟି ଦିନିକିଆରୁ ୯୬ଟି ୱିକେଟ୍ ନେଇଛନ୍ତି । ୫୫ଟି ଦିନିକିଆରେ ୧୦୦ ୱିକେଟ୍ ରେକର୍ଡ ମହମ୍ମଦ ସାମିଙ୍କ ନାମରେ ରହିଛି ।
ଭାରତୀୟ ଦଳ: ବିରାଟ କୋହଲି(ଅଧିନାୟକ), ଶିଖର ଧାୱନ, ରୋହିତ ଶର୍ମା, ଶ୍ରେୟାସ ଆୟର,କେଦାର ଯାଦବ, ରବିନ୍ଦ୍ର ଜାଡେଜା, ରିଶବ ପନ୍ତ, କୁଲଦୀପ ଯାଦବ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ ।
ୱେଷ୍ଟ ଇଣ୍ଡିଜ୍ ଦଳ: ଜାସନ ହୋଲ୍ଡର(ଅଧିନାୟକ), ଏଭିନ ଲୁଇସ୍/ଜନ କ୍ୟାମ୍ପବେଲ, କ୍ରିସ୍ ଗେଲ୍, ସିମରନ ହେତମେୟାର, ସାଇ ହୋପ୍, ରଷ୍ଟନ ଚେଜ, କାର୍ଲୋସ ବ୍ରାଥ୍ୱେଟ୍, ଫାବିଆନ ଆଲେନ, ନିକୋଲାସ ପୂରାନ, ସେଲଡନ କଟରେଲ, କିମାର ରୋଚ ।


Comments are closed, but trackbacks and pingbacks are open.