ଆସେସ୍: ଆଜିଠୁ ଦ୍ୱିତୀୟ ଟେଷ୍ଟ:ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଇଂଲଣ୍ଡ

Get real time updates directly on you device, subscribe now.

ଲଣ୍ଡନ: ଘରୋଇ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ଆସେସ ଟେଷ୍ଟ । ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବ । ପ୍ରଥମ ଟେଷ୍ଟରେ ପରାଜିତ ହୋଇଥିବା ଘରୋଇ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ସିରିଜ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଆଧିପତ୍ୟ ଜାରି ରଖିବାକୁ ଯୋଜନା ପ୍ରସ୍ତୁତ କରିଛି ।
ପ୍ରଥମ ଟେଷ୍ଟ ପରେ ଉଭୟ ଦଳକୁ ୮ ଦିନ ବିଶ୍ରାମ ସମୟ ମିଳିଥିଲା । ଏହି ସମୟ ମଧ୍ୟରେ ଅଷ୍ଟ୍ରେଲିଆ ଏକ ୩ ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିଥିଲା । ଅନ୍ୟ ପଟରେ ଇଂଲଣ୍ଡ ଖେଳାଳିମାନେ କାଉଣ୍ଟି ଦଳକୁ ଫେରି ମ୍ୟାଚ୍ ଖେଳିଥିଲେ । ମୋଟ ଉପରେ ଦେଖିବାକୁ ଗଲେ ଉଭୟ ଦଳ ଯଥେଷ୍ଟ ଅଭ୍ୟାସ କରିଛନ୍ତି । ତେଣୁ ଲର୍ଡ୍ସ ଟେଷ୍ଟ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।
ଲର୍ଡ୍ସରେ ଉଭୟ ଦଳ ଆସନ୍ତା କାଲି ଏକାଦଶରେ ପରିବର୍ତ୍ତନ କରିବେ । ଆହତ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ଙ୍କ ସ୍ଥାନରେ ଯୁବ ପେସ୍ ବୋଲର ଜୋଫ୍ରା ଆର୍ଚର ଟେଷ୍ଟ ପଦାର୍ପଣ କରିବା ନିଶ୍ଚିତ । ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ପ୍ରଥମ ଟେଷ୍ଟ ଖେଳିଥିବା ଜେମ୍ସ ପ୍ୟାଟିନ୍ସନଙ୍କୁ ଦ୍ୱିତୀୟ ଟେଷ୍ଟରୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ଜୋସ ହାଜେଲଉଡ୍ କିମ୍ବା ମିଚେଲ ଷ୍ଟାର୍କଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି ।
ସିରିଜ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ଇଂଲଣ୍ଡକୁ ବ୍ୟାଟିଂ ବିଭାଗରେ ଉନ୍ନତି ଆଣିବାକୁ ପଡ଼ିବ । ଇଂଲଣ୍ଡ ଦଳରେ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ଅଭାବ ନାହିଁ । ଜାସନ ରୟ, ଜୋସ ବଟଲର, ଜନି ବେୟାରଷ୍ଟୋ ଆକ୍ରମଣାତ୍ମକ ବ୍ୟାଟିଂ କରିବାକୁ ପସନ୍ଦ କରନ୍ତି । ହେଲେ ଟେଷ୍ଟ କ୍ରିକେଟ୍ରେ ବ୍ୟାଟିଂ ଶୈଳୀ ପରିବର୍ତ୍ତନ କରିବାକୁ ପଡ଼ିବ । ଅଷ୍ଟ୍ରେଲିଆ ବୋଲରଙ୍କ ବିପକ୍ଷରେ ଆକ୍ରମଣାତ୍ମକ ବ୍ୟାଟିଂ କରିବା ଏତେ ସହଜ ନୁହେଁ । ତେଣୁ କ୍ରିଜ୍ରେ ଜମି ରହି ଉନ୍ନତ ଭାଗିଦାରୀ ଗଠନ କରିବାକୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ଗୁରୁତ୍ୱ ଦେବେ ।
ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ଜିତିଥିଲେ ହେଁ ସବୁ ଦୁର୍ବଳତା ଦୂର ହୋଇ ପାରିନାହିଁ । ଷ୍ଟିଭେନ ସ୍ମିଥ୍, ମାଥ୍ୟୁ ୱେଡ୍ ଓ ଟ୍ରେଭିସ୍ ହେଡ୍ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସଫଳ ହୋଇ ନାହାନ୍ତି । ବିଶେଷ କରି ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଦୁଇ ଓପନର ଡେଭିଡ୍ ୱାର୍ଣ୍ଣର ଓ ମାକେରନ ବାନ୍କ୍ରଫ୍ଟ ବଡ଼ ଇନିଂସ ଖେଳିବାକୁ ପୟାସ କରିବେ ।
ଇଂଲଣ୍ଡ ଦଳ: ଜାସନ ରୟ, ରୋରି ବର୍ଣ୍ଣସ, ଜୋ ରୁଟ୍(ଅଧିନାୟକ), ଜୋ ଡେନ୍ଲି, ଜୋସ ବଟଲର, ବେନ ଷ୍ଟୋକ୍ସ, ଜନି ବେୟାରଷ୍ଟୋ, କ୍ରିସ୍ ୱକ୍ସ, ଷ୍ଟୁଆର୍ଟ ବ୍ରଡ, ଜୋଫ୍ରା ଆର୍ଚର, ଜ୍ୟାକ୍ ଲିଚ୍ ।
ଅଷ୍ଟ୍ରେଲିଆ ଦଳ: ଡେଭିଡ୍ ୱାର୍ଣ୍ଣର, କାମେରନ ବାନକ୍ରଫ୍ଟ, ଉସମାନ ଖୱାଜା, ଷ୍ଟିଭେନ ସ୍ମିଥ୍, ଟ୍ରେଭିସ୍ ହେଡ୍, ମାଥ୍ୟୁ ୱେଡ୍, ଟିମ୍ ପାଇନ, ପ୍ୟାଟ୍ରିକ୍ କମିନ୍ସ, ମିଚେଲ ଷ୍ଟାର୍କ, ପିଟର ସିଡଲ୍, ନାଥାନ ଲିୟନ, ଜୋସ ହାଜେଲଉଡ୍ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons