ଜୋହାନ୍ସବର୍ଗ: ଆଗାମୀ ଭାରତ ଗସ୍ତ ପାଇଁ ଦକ୍ଷିଣ ଆଫ୍ରିକା ଟେଷ୍ଟ ଓ ଟି-ଟ୍ୱେଣ୍ଟି ଦଳ ଘୋଷଣା କରାଯାଇଛି । ଉଭୟ ଦଳ ପାଇଁ ଭିନ୍ନ ଭିନ୍ନ ଅଧିନାୟକ ନିଯୁକ୍ତ କରାଯାଇଛି । ଦିନିକିଆ ଦଳର ଅଧିନାୟକ ଫାଫ ଡୁ ପ୍ଲେସି କେବଳ ଟେଷ୍ଟ ଦଳର ନେତୃତ୍ୱ ନେବେ । ସେ ଟି-ଟ୍ୱେଣ୍ଟି ଦଳରେ ସ୍ଥାନ ପାଇ ନାହାନ୍ତି । ତାଙ୍କ ସ୍ଥାନରେ ୱିକେଟ୍ କିପର କ୍ୱିଣ୍ଟନ ଡି କକ୍ଙ୍କୁ ନେତୃତ୍ୱ ଭାର ପ୍ରଦାନ କରାଯାଇଛି ।
ଟେଷ୍ଟ ଦଳରେ ୩ ଜଣ ନବାଗତଙ୍କୁ ସ୍ଥାନ ମିଳିଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ଯୁବ ଫାଷ୍ଟ ବୋଲର ଆନରିଚ ନର୍ଜ, ୱିକେଟ୍ କିପର ରୁଡି ସେକଣ୍ଡ ଓ ସ୍ପିନ ବୋଲିଂ ଅଲ୍ ରାଉଣ୍ଡର ସେନୁରାନ ମୁଥୁସାମି । ଏମାନଙ୍କ ବ୍ୟତୀତ ଯୁବ ଖେଳାଳି ଅଫ ସ୍ପିନର ଡେନ୍ ପିଡ୍ ଓ ଜୁବୈର ହମ୍ଜା ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପିଡ୍ ଗତ ଘରୋଇ ସିଜିନ୍ରେ ୫୪ଟି ୱିକେଟ୍ ନେଇଥିଲେ । ସେହିପରି ହମ୍ଜା ଗତ ଜାନୁଆରୀ ମାସରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ ।
ଫାଫ ଡୁ ପ୍ଲେସିଙ୍କୁ ଟି-ଟ୍ୱେଣ୍ଟି ସିରିଜ୍ରୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ଡି କକ୍ଙ୍କୁ ନେତୃତ୍ୱ ଭାର ପ୍ରଦାନ କରାଯାଇଛି । ସେହିପରି ଦିନିକିଆ କ୍ରିକେଟ୍ରେ ଉନ୍ନତ ପ୍ରଦର୍ଶନ ଜାରି ରଖିଥିବା ରାସି ଭାନ୍ ଡର୍ ଡୁସେନଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଆଡେନ ମାର୍କରମ, ଥିଉନିସ୍ ଡି ବ୍ର୍ୟୁନ୍ ଓ ଲୁଙ୍ଗ ଏନ୍ଗିଡ଼ି ମଧ୍ୟ ଟି-ଟ୍ୱେଣ୍ଟି ଦଳରେ ସ୍ଥାନ ପାଇ ନାହାନ୍ତି । ଏମାନଙ୍କୁ ଦକ୍ଷିଣ ଆଫ୍ରିକା ଏ’ ଦଳରେ ସ୍ଥାନ ମିଳିଛି ।
ଦକ୍ଷିଣ ଆଫ୍ରିକା ଦଳର ୩ ପ୍ରସିଦ୍ଧ ଖେଳାଳି ଏବି ଡି ଭିଲର୍ସ, ଡେଲ୍ ଷ୍ଟେନ ଓ ହାସିମ ଆମଲାଙ୍କୁ ଏଥର ଦେଖିବାକୁ ମିଳିବ ନାହିଁ । ଡି ଭିଲର୍ସ ଓ ଆମଲା ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିସାରିଛନ୍ତି । ଷ୍ଟେନ୍ କେବଳ ଟେଷ୍ଟ କ୍ରିକେଟ୍ରୁ ଅବସର ନେଇଛନ୍ତି । ଣ୍ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଷ୍ଟେନ୍ଙ୍କୁ ବିଚାରକୁ ନିଆଯାଇଥିଲା । ହେଲେ ଶେଷ ମୂହୁର୍ତ୍ତରେ ତାଙ୍କୁ ଅତିରିକ୍ତ ବିଶ୍ରାମ ଦେବାକୁ ନିଷ୍ପତ୍ତି ନିଆଯାଇଛି ।
୩ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ରୁ ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହେବ । ସେପ୍ଟେମ୍ବର ମାସ ୧୫(ଧର୍ମଶାଳା), ୧୮(ମୋହାଲି)ଓ ୨୨(ବେଙ୍ଗ।।ଲୁରୁ) ତାରିଖରେ ୩ଟି ଟି-ଟ୍ୱେଣ୍ଟି ଖେଳାଯିବ । ଏହାପରେ ଆରମ୍ଭ ହେବ ଗାନ୍ଧୀ-ମଣ୍ଡେଲା ଫ୍ରୀଡମ ଟ୍ରଫି ଟେଷ୍ଟ ସିରିଜ୍ । ଅକ୍ଟୋବର ମାସ ୨ରୁ ୬ ତାରିଖ ମଧ୍ୟରେ ବିଶାଖାପ;ନମ୍ ଠାରେ ପ୍ରଥମ ଟେଷ୍ଟ ଖେଳାଯିବ । ଏହାପରେ ୧୦ରୁ ୧୪ ମଧ୍ୟରେ ରାଞ୍ଚି ଠାରେ ଦ୍ୱିତୀୟ ଓ ୧୯ରୁ ୨୩ ତାରିଖ ମଧ୍ୟରେ ପୁନେ ଠାରେ ତୃତୀୟ ଟେଷ୍ଟ ଖେଳାଯିବ ।
ଟେଷ୍ଟ ଦଳ: ଫାଫ ଡୁ ପ୍ଲେସି(ଅଧିନାୟକ), ତେମ୍ବା ବଭୁମା(ଉପ ଅଧିନାୟକ), ଥିଉନିସ ଡ ବ୍ର୍ୟୁନ୍, କ୍ୱିଣ୍ଟନ ଡି କକ୍, ଡିନ୍ ଏଲ୍ଗାର, ଜୁବୈର ହମ୍ଜା, କେଶବ ମହାରାଜ, ଆଡେନ ମାର୍କରମ, ସେନୁରାନ ମୁଥୁସାମି, ଲୁଙ୍ଗି ଏନ୍ଗିଡ଼ି, ଆନରିଚ ନର୍ଜ, ଭେର୍ନନ ଫିଲାଣ୍ଡର, ଡେନ୍ ପିଡ୍, କାଗିସୋ ରାବାଡା, ରୁଡି ସେକଣ୍ଡ ।
ଟି-ଟ୍ୱେଣ୍ଟି ଦଳ: କ୍ୱିଣ୍ଟନ ଡି କକ୍(ଅଧିନାୟକ), ରାସି ଭାନ୍ ଡର ଡୁସେନ(ଉପ ଅଧିନାୟକ), ତେମ୍ବା ବଭୁମା, ଜୁନିୟର ଡାଲା, ଜର୍ନ ଫର୍ଚୁଇନ୍, ବେଉରାନ ହେଣ୍ଡରିକ୍ସ, ରିଜା ହେଣ୍ଡରିକ୍ସ, ଡେଭିଡ୍ ମିଲର, ଆନରିଚ ନର୍ଜ, ଆଣ୍ଡିଲ ଫେଲୁକ୍ୱାୟୋ, ୱେନ ପ୍ରିଟୋରିୟସ, କାଗିସୋ ରାବାଡା, ତାବ୍ରେଜ ସାମସି, ଜନ-ଜନ ସ୍ମଟ୍ସ ।


Comments are closed, but trackbacks and pingbacks are open.