ମୁମ୍ବାଇ: ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍ସିଏ)ର ନିର୍ଦ୍ଦେଶକ ରାହୁଲ ଦ୍ରାବିଡ଼ଙ୍କୁ ସ୍ୱାର୍ଥ ନିହିତ ଦ୍ୱନ୍ଦ୍ୱ ମାମଲାରେ କ୍ଲିନ୍ ଚିଟ୍ ଦେଇଛି ପ୍ରଶାସକ କମିଟି (ସିଓଏ) । ଏନସିଏରେ ଯୋଗ ଦେବା ପୂର୍ବରୁ ସେ ଇଣ୍ଡିଆନ ସିମେଣ୍ଟରେ ଉପ ସଭାପତି ଥିଲେ । ଏହାକୁ ନେଇ ମଧ୍ୟ ପ୍ରଦେଶ କ୍ରିକେଟ ସଂଘର ସଦସ୍ୟ ସଞ୍ଜୀବ ଗୁପ୍ତା ତାଙ୍କ ନାମରେ ସ୍ୱାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ ଆଣିଥିଲେ । ଅଭିଯୋଗ ଅନୁସାରେ ବିସିସିଆଇ ଏଥିକ୍ ଅଫିସର ଡିକେ ଜୈନ ଦ୍ରାବିଡ଼ଙ୍କୁ ନୋଟିସ୍ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଏହାର ଉତ୍ତର ରଖିବାକୁ କହିଥିଲେ ।
ଦିଲ୍ଲୀରେ ଆଜି ଏ ସଂପର୍କରେ ବୈଠକ ଶେଷ ହେବା ପରେ ସିଓଏ ସଦସ୍ୟ ଲେଫ୍ଟନାଣ୍ଟ ଜେନେରାଲ ରବି ଥୋଗଡେ କହିଛନ୍ତି, ଦ୍ରାବିଡ଼ଙ୍କ ମାମଲାରେ କୌଣସି ଦ୍ୱନ୍ଦ୍ୱ ନାହିଁ । ଆମେ ସବୁ କିଛି ଦେଖିଥିଲୁ, କିନ୍ତୁ ଲୋକପାଳ ଯଦି କିଛି ଦ୍ୱନ୍ଦ୍ୱ ଦେଖିବାକୁ ପାଇଛନ୍ତି ତେବେ ଆମେ ତାହାର ଜବାବ ଦେବୁ ।’ ଦ୍ରାବିଡ଼ ଏନ୍ସିଏର ଯୋଗ ଦେବାବେଳେ ସିଓଏ ସବୁ କିଛି ତନ୍ନ ତନ୍ନ କରି ଯାଞ୍ଚ କରିଥିଲା ।
ଆଗାମୀ ବିସିସିଆଇ ନିର୍ବାଚନ ଓ କୋଚ୍ ଚୟନକୁ ନେଇ ଥୋଗଡ଼େ ନିଜ ମତ ରଖିଥିଲେ । ସେ କହିଥିଲେ, ବିସିସିଆଇ ନିର୍ବାଚନ ପାଇଁ ଆମେ ଏନ୍ ଗୋପାଳସ୍ୱାମୀଙ୍କ (ନିର୍ବାଚନ ଅଧିକାରୀ) ସହ ଆଲୋଚନା କରିଛୁ । ରାଜ୍ୟ କ୍ରିକେଟ୍ ସଂଘ ଗୁଡ଼ିକର ନିର୍ବାଚନକୁ ନେଇ ମଧ୍ୟ ପ୍ରସ୍ତୁତି କରାଯାଇଛି । ଏବେ ଅଧିକାଂଶ ସଂଘ ନୂଆ ସମ୍ବିଧାନ କାର୍ଯ୍ୟକାରୀ କରି ସାରିଥିବାବେଳେ କିଛି ବାକି ରହିଛନ୍ତି । ଆଗାମୀ ଅକ୍ଟୋବର ୨୨ତାରିଖରେ ନିର୍ବାଚନ କରିବାକୁ ସ୍ଥିର କରାଯାଇଛି । ସେହିପରି ଟିମ୍ ଇଣ୍ଡିଆ କୋଚ୍ ଚୟନ ପାଇଁ ପ୍ରକିୟା ଚାଲିଛି । କ୍ରିକେଟ ଉପଦେଷ୍ଟା କମିଟି (ସିଏସି) କୋଚ୍ ପଦ ପାଇଁ ଯୋଗ୍ୟ ବ୍ୟକ୍ତି ମନୋନୀତ କରିବେ ।’


Comments are closed, but trackbacks and pingbacks are open.