ଆଦିତ୍ୟ ପାଢ଼ୀ ରାଜ୍ୟ ନିର୍ବାଚନ କମିଶନର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜ୍ୟ ପ୍ରଶାସନିକ ମୁଖିଆ ପଦରେ ବସିବେ ନୂଆ ଅଧିକାରୀ । ରାଜ୍ୟ ପୁଲିସ ମୁଖିଆ ବଦଳିବା ପରେ ଏବେ ପ୍ରଶାସନିକ ମୁଖିଆ ମଧ୍ୟ ବଦଳିବାକୁ ଯାଉଛନ୍ତି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କ ନିଯୁକ୍ତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମୋଦନ କରିଛନ୍ତି । ଶ୍ରୀ ପାଢ଼ୀଙ୍କ ପରେ କିଏ ମୁଖ୍ୟ ଶାସନ ସଚିବ ପଦ ସମ୍ଭାଳିବେ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ଉନ୍ନୟନ କମିଶନର ତଥା ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଏ ପଦରେ ବସାଇବାକୁ ସରକାର ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ଜୋର ଧରିଛି । କେବଳ ଆନୁଷ୍ଠାନିକ ସରକାରୀ ବିଜ୍ଞପ୍ତି ଜାରି ହେବ ବୋଲି ପାୱାର କରିଡରରେ ଆଲୋଚନା ହେଉଛି ।
୧୯୮୩ ବ୍ୟାଚର ଆଇଏଏସ୍ ଶ୍ରୀ ପାଢ଼ୀ ସ୍ୱେଛାକୃତ ଅବସର ନେବାକୁ ଆବେଦନ କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନର ଭାବେ ତାଙ୍କ ନିଯୁକ୍ତିରେ ରାଜଭବନର ମୋହର ଲାଗି ସାରିଛି । ସେ ୨୦୨୫ ଯାଏ ଏ ପଦବିରେ କାମ କରିବେ । ଏ ସଂପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ପାଢ଼ୀ କହିଛନ୍ତି, ମୋ ନୂଆ ନିଯୁକ୍ତିକୁ ରାଜ୍ୟପାଳଙ୍କ ଅନୁମୋଦନ ପରେ ଭିଆରଏସ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆବେଦନ କରିଛି । ୯୦ ଦିନିଆ ଆଗୁଆ ନୋଟିସ୍ ବଦଳରେ ଆସନ୍ତା ୧୯ ସୁଦ୍ଧା ଏହି ଭିଆରଏସକୁ ଅନୁମୋଦନ କରିବାକୁ ଅନୁରୋଧ କରିଛି । ୧୯ରେ ସ୍ୱେଛାକୃତ ଅବସର ଆବେଦନ ଗ୍ରହଣ ହେଲେ ସେଇଦିନ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବି । ଶ୍ରୀ ପାଢ଼ୀଙ୍କ ପରେ ରାଜ୍ୟ ପ୍ରଶାସନର ମୁଖ୍ୟ ପଦବିରେ ଉନ୍ନୟନ କମିଶନର ଶ୍ରୀ ତ୍ରିପାଠୀ ନିଯୁକ୍ତି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ମାତ୍ର ଏ ନେଇ ସରକାରୀ ଭାବେ କିଛି ସ୍ପଷ୍ଟ ହୋଇନି ।
ଶ୍ରୀ ପାଢ଼ୀଙ୍କ ପରେ ବରିଷ୍ଠତା ଭିତ୍ତିରେ ଥିବା ଅନ୍ୟ ଆଇଏଏସ୍ ଅଧିକାରୀ ଇନ୍ଜେତି ଶ୍ରୀନିବାସ, ଅରୁଣ କୁମାର ପଣ୍ଡା, ଉପେନ୍ଦ୍ର ପ୍ରସାଦ ସିଂହ, ସୁରେନ୍ଦ୍ର ତ୍ରିପାଠୀ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ୧୯୮୫ ବ୍ୟାଚର ଆଇଏଏସ୍ କୃଷି ଉତ୍ପାଦନ କମିଶନର ଗଗନ ବିହାରୀ ଧଳ ମଧ୍ୟ ଆସନ୍ତା ଜାନୁଆରୀରେ ଅବସର ନେବେ । ଏହାଛଡ଼ା ଜଭିଜି ଶର୍ମା ଓ ସୁଦର୍ଶନ ପାଲ ସିଂ ଠାକୁର ମଧ୍ୟ ବରିଷ୍ଠତା ତାଲିକାରେ ଅଛନ୍ତି । ମାତ୍ର ୧୯୮୬ ବ୍ୟାଚର ଆଇଏଏସ୍ ଉନ୍ନୟନ କମିଶନର ଶ୍ରୀ ତ୍ରିପାଠୀ ମୁଖ୍ୟ ସଚିବ ପଦରେ ବସିବା ଏକରକମ ନିଶ୍ଚିତ ବୋଲି କୁହାଯାଉଛି । ସେ ୨୦୨୦ ଡିସେମ୍ବରରେ ଅବସର ନେବେ । ତେଣୁ ସେ ପ୍ରାୟ ଦେଢ଼ ବର୍ଷ କାମ କରିବାର ସୁଯୋଗ ପାଇବେ । ଶ୍ରୀ ତ୍ରିପାଠୀଙ୍କ କାର୍ଯ୍ୟ ଦକ୍ଷତା ସହ ବରିଷ୍ଠତାକୁ ଆଧାର କରି ସରକାର ତାଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ବସାଇବେ ବୋଲି ଲୋକସେବା ଭବନରେ ଆଲୋଚନା ହେଉଛି ।
ଅସିତ୍ ମୁଖ୍ୟ ଶାସନ ସଚିବ ପଦଭାର ନେବା ପରେ ସେହି ୧୯୮୬ ବ୍ୟାଚର ଆଇଏଏସ୍ ତଥା ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପରବର୍ତ୍ତୀ ଉନ୍ନୟନ କମିଶନର ହୋଇପାରନ୍ତି । ତାଙ୍କ କାର୍ଯ୍ୟକାଳ ୨୦୨୨ ଫେବ୍ରୁଆରୀ ଯାଏ ଅଛି ।
ଗତ ନିର୍ବାଚନରେ ବିଜୁ ଜନତା ଦଳ ସଫଳତା ପାଇ କ୍ରମାଗତ ୫ମ ପାଳି କ୍ଷମତାକୁ ଫେରିବା ପରେ ପୁଲିସ ଓ ପ୍ରଶାସନିକସ୍ତରରେ ବଡ଼ ଧରଣର ଅଦଳବଦଳ ନେଇ ଚର୍ଚ୍ଚା ଲାଗି ରହିଥିଲା । ଏପରିକି ଚଳିତ ମାସ ପ୍ରଥମ ସପ୍ତାହରେ ପୁଲିସ ଡିଜି ଓ ମୁଖ୍ୟ ସଚିବ ପଦରେ ନୂଆ ନିଯୁକ୍ତି ନେଇ ଲୋକସେବା ଭବନରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିଲା । ଇତିମଧ୍ୟରେ ପୁଲିସ ଡିଜି ପଦରୁ ସ୍ୱେଛାକୃତ ଅବସର ନେଇ ଡ.ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ଦାୟିତ୍ୱ ନେଇଥିଲା ବେଳେ ବିଜୟ କୁମାର ଶର୍ମା ଡିଜି ଭାର ସମ୍ଭାଳୁଛନ୍ତି । ପୁଲିସ ଡିଜି ପଦବି ପରେ ସରକାର ମୁଖ୍ୟ ସଚିବ ପଦରେ ମଧ୍ୟ ନୂଆ ନିଯୁକ୍ତି କରିବାକୁ ଯାଉଛନ୍ତି ।
୨୦୧୫ ନଭେମ୍ବରରେ ଆଦିତ୍ୟ ପ୍ରସାଦ ପାଢ଼ୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଥିଲେ । ମିଷ୍ଟଭାଷୀ ଓ ଆମାୟିକ ଶ୍ରୀ ପାଢ଼ୀଙ୍କ କାର୍ଯ୍ୟକାଳରେ ରାଜ୍ୟ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ତାଙ୍କ କାର୍ଯ୍ୟକାଳରେ ରାଜ୍ୟ ସକରାର ତିତ୍ଲି ଓ ଫୋନି ଭଳି ପ୍ରାକୃତିକ ଦୁର୍ବପାକକୁ ବେଶ ସଫଳତାର ସହ ମୁକାବିଲା କରିଥିଲା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, କାଳିଆ ଭଳି ଯୋଜନାକୁ ମଧ୍ୟ ସରକାର କାର୍ଯ୍ୟକାରୀ କରିଥିଲେ । ନବୀନଙ୍କ ବେଶ ବିଶ୍ୱସ୍ତ ଆଦିତ୍ୟ ଆସନ୍ତା ଫେବ୍ରୁଆରୀ ମାସରେ ସେ ଚାକିରିରୁ ଅବସର ନେଇଥାନ୍ତେ । ତା ପୂର୍ବରୁ ସେଛାକୃତ ଅବସର ନେଇ ସେ ରାଜ୍ୟ ନିର୍ବାଚନ କମିଶନର ଦାୟିତ୍ୱ ନେଇ ପୌର ଭୋଟ ନେଇ କାମ ଆରମ୍ଭ କରିବାକୁ ଯାଉଛନ୍ତି । ନିର୍ବାଚନ କମିଶନର ଭାବେ ନବ କୁମାର ନାୟକଙ୍କ କାର୍ଯ୍ୟକାଳ ପୂରିଥିବାରୁ ଏ ପଦରେ ଶ୍ରୀ ପାଢ଼ୀ ଏବେ ବସିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons