ବଡ଼ ବନ୍ୟା ଆଶଙ୍କା ଟଳିଲା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ମହାନଦୀରେ ବଡ଼ ବନ୍ୟା ଆସିବ ବୋଲି ଯେଉଁ ଆଶଙ୍କା ଥିଲା ତାହା ଟଳିଛି । ଗତ ୨୪ ଘଣ୍ଟା ଭିତରେ ମହାନଦୀ ଅବବାହିକାର ତଳମୁଣ୍ଡରେ ବର୍ଷା କମିଛି । ତେଲ୍ ନଦୀରେ ଅବବାହିକାରେ ବି ବର୍ଷା ପରିମାଣ କମିଛି । ମହାନଦୀରେ ପ୍ରବାହିତ ବନ୍ୟାଜଳ ଆଂଶିକ ବନ୍ୟାଜଳ ଅନ୍ୟ ନଦୀ ଓ ଖାଲୁଆ ଅଞ୍ଚଳକୁ ପଶିଛି । ମହାନଦୀରେ ପ୍ରବାହିତ ବନ୍ୟା ଜଳର ପରିମାଣର ହ୍ରାସ ପାଇଛି ।
ଜଳସମ୍ପଦ ବିଭାଗର ସୂଚନା ଅନୁସାରେ, ହୀରାକୁଦରେ ଆଜି ଗୋଟିଏ ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ସନ୍ଧ୍ୟା ୬ଟା ସୁଦ୍ଧା ତେଲନଦୀର ପଥରଲାଠାରେ ସେକେଣ୍ଡକୁ ୩.୫୩ଲକ୍ଷ ଘନଫୁଟ ବନ୍ୟାଜଳ ପ୍ରବାହିତ ହେଉଛି । ମହାନଦୀର ଖଇରମାଲାଠାରେ ସେକେଣ୍ଡକୁ ୫.୧୪ ଲକ୍ଷ ଘନଫୁଟ ଓ ବରମୂଳଠାରେ ୯.୨୦ ଲକ୍ଷ ଘନଫୁଟ ପାଣି ପ୍ରବାହିତ ହେଉଛି । ମୁଣ୍ଡଳୀଠାରେ ସେକେଣ୍ଡ ପିଛା ୮.୩୫ଲକ୍ଷ ଘନଫୁଟ ବନ୍ୟାଜଳ ପ୍ରବାହିତ ହେଉଛି । ଆଜି ରାଜି ସୁଦ୍ଧା ବନ୍ୟା ଜଳ ମୁଣ୍ଡଳୀ ଅତିକ୍ରମ କରିବ । ମୁଣ୍ଡଳୀଠାରେ ସେକେଣ୍ଡକୁ ୯.୫୦ଲକ୍ଷରୁ ୧୦ଲକ୍ଷ ଘନଫୁଟ ବନ୍ୟାଜଳ ପ୍ରବାହିତ ହେବ ବୋଲି ଜଳସମ୍ପଦ ବିଭାଗ ଆକଳନ କରିଛି । ଏଣୁ ବଡ଼ ବନ୍ୟା ହେବାର ଆଶଙ୍କା ନାହିଁ ବୋଲି ଜଳସମ୍ପଦ ବିଭାଗର ସଚିବ ପ୍ରଦୀପ ଜେନା କହିଛନ୍ତି । ହୀରାକୁଦ ଜଳଭଣ୍ଡାରର କ୍ଷମତା ୬୩୦ ଫୁଟ ଥିବାବେଳେ ସନ୍ଧ୍ୟା ସୁଦ୍ଧା ଏଠାରେ ଜଳସ୍ତର ୬୧୯.୪୭ଫୁଟ ଥିଲା ।
ସେପଟେ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି, ମହାନଦୀରେ ବଡ଼ ବନ୍ୟାର ଆଶଙ୍କା ନାହିଁ । ମଧ୍ୟମ ଧରଣର ବନ୍ୟା ହୋଇପାରେ । ବନ୍ୟା ଯୋଗୁ ରାଜ୍ୟରେ ପ୍ରାୟ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରାୟ ୫୦ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବୋଲି ଶ୍ରୀସେଠୀ କହିଛନ୍ତି ।
ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଅନୁସାରେ, ୫ଜିଲ୍ଲାରେ ଗତକାଲି ଯେଉଁ ସଙ୍ଗୀନ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା ଆଜି ସେଥିରେ ସୁଧାର ଆସିଛି । ସୋନପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ ଓ କଳାହାଣ୍ଡିରେ ବର୍ଷା କମିଛି । ବଲାଙ୍ଗୀରରେ ଗତରାତିରୁ ବର୍ଷା ବନ୍ଦ ରହିଛି । ସହରରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ସୁଧାର ଆସିଛି । ଅନେକ ସ୍ଥାନରୁ ଜଳସ୍ତର କମିଛି । କିନ୍ତୁ ବନ୍ୟାରେ ଜିଲ୍ଲାର ୧୪ଟି ବ୍ଲକ ଓ ୧୭୬୩ଟି ଗାଁ ପ୍ରଭାବିତ ହୋଇଛି । ଖାଲି ଗ୍ରାମାଞ୍ଚଳ ନୁହେଁ ବନ୍ୟାରେ ସହରାଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି । ୫ଟି ପୌରାଞ୍ଚଳର ୨୧ଟି ୱାର୍ଡ ପ୍ରଭାବିତ ହୋଇଛି । ଉଦ୍ଧାର ଓ ରିଲିଫ୍ ଅପରେସନକୁ ଜୋରଦାର କରାଯାଉଛି । ତଥାପି ୧୪ଟି ଗାଁର ୨ହଜାର ଲୋକ ଏବେବି ପାଣି ଘେରରେ ଅସହାୟ ଅବସ୍ଥାରେ ଅଛନ୍ତି । ବନ୍ୟାରେ ପ୍ରଭାବିତ ୩୩ ହଜାର ୭୯୧ ଲୋକଙ୍କୁ ଉଦ୍ଧାର କରି ୭୮ଟି ରିଲିଫ କ୍ୟାମ୍ପରେ ରଖାଯାଇଥିଲା । ୫୧ଟି ରିଲିଫ କ୍ୟାମ୍ପରେ ୧୮୬୬୧ ଲୋକ ଏବେ ବି ଅଛନ୍ତି । ପ୍ରଭାବିତ ଲୋକଙ୍କ ପାଇଁ ମାଗଣା ରନ୍ଧା ଖାଦ୍ୟ, ପାଣି ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯାଇଛି ।
ସୋନପୁରରେ ଯଦିଓ ବନ୍ୟା ସ୍ଥିତିରେ ହ୍ରାସ ଘଟିଛି, ତଥାପି ତରଭା ବ୍ଲକର ଅଧିକାଂଶ ଅଞ୍ଚଳ ଏବେ ମଧ୍ୟ ପାଣି ଘେରରେ ରହିଛି । ଜିଲ୍ଲାର ତରଭା, ଡୁଙ୍ଗୁରିପାଲ୍ଲୀ, ବୀରମହାରାଜପୁର ଓ ସୋନପୁର ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ବନ୍ୟାରେ କ୍ଷତିଗ୍ରସ୍ତ ତାଲିକାରେ ୨୪ଟି ଗାଁ ରହିଛି । ତେଲ୍ ନଦୀରେ ଜଳସ୍ତର ଉବୁଟୁବୁ ହେଉଥିବା ବେଳେ ଆଜି ଜଳସ୍ତର କମିଛି । ବନ୍ୟାରେ ଫସିଥିବା ୬୩୮୪ ଲୋକଙ୍କୁ ଉଦ୍ଧାର କରି ୧୯ଟି ରିଲିଫ କ୍ୟାମ୍ପରେ ରଖାଯାଇଥିଲା । ୧୮ଟି ରିଲିଫ କ୍ୟାମ୍ପରେ ୫୯୬ ଲୋକ ଏବେବି ଆଶ୍ରୟ ନେଇଛନ୍ତି । ସୋନପୁରରୁ ତରଭାକୁ ଯୋଡୁଥିବା ଏନଏଚ-୫୭ ଗତକାଲି ବନ୍ୟା ପାଣିରେ ଡୁବି ଯାଇଥିଲା । ଏନଡିଆରଏଫ ଟିମ୍ ଗତକାଲି ସେଠାରେ ପହଞ୍ଚି ପାରିନଥିଲେ । ଆଜି ଟିମ୍ ସେଠାରେ ପହଞ୍ଚିଛି ।
ବୌଦ୍ଧର ୩ଟି ଯାକ ବ୍ଲକରେ ବର୍ଷା ବନ୍ଦ ରହିଛି । ବନ୍ୟା କାରଣରୁ ଗତକାଲି ରାତିରେ ମନମୁଣ୍ଡା ଓ କଣ୍ଟାମାଳ ରାସ୍ତା ବୁଡି ରହିଥିଲା । ଆଜି ଏହି ରାସ୍ତାରୁ ପାଣି ଖସିଛି । ଜିଲ୍ଲାରେ ସ୍ଥିତି ସ୍ୱାଭାବିକ ହୋଇଛି । ୫ଟି ବ୍ଲକ୍ରୁ ୧୮ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ୬୦ଟି ରିଲିଫ କେନ୍ଦ୍ରରେ ରଖାଯାଇଛି । ରିଲିଫ ଅପରେସନ ଜାରି ରହିଛି । ବନ୍ୟା ପ୍ରଭାବିତ ଜିଲ୍ଲାରେ ମୋଟ ୧୨୪ଟି ରିଲିଫ କେନ୍ଦ୍ର କରାଯାଇଛି ।
କନ୍ଧମାଳରେ ବର୍ଷା କମ୍ ରହିଛି । ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ପାଖରେ ଥିବା ଏନଏଚ-୫୯ର ପୁନରୁଦ୍ଧାର କାମ ଚାଲିଛି । କଳାହାଣ୍ଡିରେ ଏମ୍ ରାମପୁରକୁ ଛାଡି ଅନ୍ୟ ବ୍ଲକରେ ବର୍ଷା ହୋଇନି । ସେଠାରେ ବି ଜୋରସୋରରେ ପୁନରୁଦ୍ଧାର କାମ ଚାଲିଛି । ବରଗଡ଼ର ୫ଟି ବ୍ଲକର ୬୪ଟି ଗାଁ ପ୍ରଭାବିତ ହୋଇଛି ।
ତେବେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ହାରାହାରି ୧୦୦ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବଲାଙ୍ଗୀର ବ୍ଲକରେ ୫୫୫ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ପୁଇଁତଳାରେ ୩୩୩ମିଲିମିଟର ଓ ଦେଓଗାଁରେ ୨୩୮ମିଲିମିଟର ବର୍ଷା ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons