ବେଙ୍ଗାଲୁରୁ:ଆମ୍ଭମାନଙ୍କର ଏକ ଖରାପ ଅଭ୍ୟାସ ହେଉଛି ଯେତେବେଳେ କୌଣସି କ୍ଷେତ୍ରରେ ଗ୍ରାହକ ସେବାର ଆବଶ୍ୟକ ହୋଇଥାଏ ଆମେ ତୁରନ୍ତ ଗୁଗୁଲ୍ ସର୍ଚ୍ଚ କରିଥାଉ । ଏଥିରୁ ଯେଉଁ ଗ୍ରାହକ ସେବା ନମ୍ବର ମିଳିଥାଏ ତାହାକୁ ଡାଏଲ୍ କରି ନିଜ ଅସୁବିଧା ଜଣାଉ । ନମ୍ବରର ବିଶ୍ୱସନୀୟତାକୁ ନେଇ କୌଣସି ଯାଞ୍ଚ କରୁନା । ଏହି ଅଭ୍ୟାସ ଆପଣଙ୍କୁ ବଡ଼ ବିପଦକୁ ଠେଲିପାରେ । ହ୍ୟାକର୍ମାନଙ୍କ ଦ୍ୱାରା ବିଛା ହୋଇଥିବା ନକଲି ନମ୍ବର ଜାଲରେ ଫସି ଆପଣ ମୋଟା ଅଙ୍କ ହରାଇପାରନ୍ତି । କାରଣ ହ୍ୟାକର୍ ଏଭଳି ଶିକାରଙ୍କୁ ଚାହିଁ ରହିଥାଏ । ଆପଣ ଉକ୍ତ ନମ୍ବରକୁ ଡାଏଲ୍ କରିବା କ୍ଷଣି ହ୍ୟାକର୍ ଆପଣଙ୍କର ବ୍ୟକ୍ତିଗତ ବିବରଣୀ ନେଇ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସଫା କରିଦେଇଥାଏ ।
ଇତିମଧ୍ୟରେ ବେଙ୍ଗାଲୁରୁରେ ଏଭଳି ଏକ ଘଟଣା ଘଟିଛି, ଯେଉଁଥିରେ ଜଣେ ମହିଳା ଶିକାର ହୋଇଛନ୍ତି । ନକଲି ଜୋମାଟୋ ଆପ୍କୁ ଡାଏଲ୍ କରି ସେ ନିଜର ସବୁ ବ୍ୟାଙ୍କ ବାଲାନ୍ସକୁ ହରାଇ ବସିଛନ୍ତି । ନିଜର ଏକ ଅର୍ଡର ପାଇଁ ଟଙ୍କା ଫେରସ୍ତ କରିବା ଲାଗି ସେ ଭୁଲରେ ଏକ ନକଲି ଜୋମାଟୋ ନମ୍ବରକୁ ଡାଏଲ୍ କରିଥିଲେ । ଜୋମାଟୋ ଆପ୍ରେ ତାଙ୍କୁ ଗ୍ରାହକ ସେବା ନମ୍ବର ନ ମିଳିବାରୁ ସେ ଗୁଗୁଲ୍ର ସାହାଯ୍ୟ ନେଇଥିଲେ । ଗୁଗୁଲ୍ ସର୍ଚ୍ଚରୁ ମିଳିଥିବା ନମ୍ବରକୁ ଡାଏଲ୍ କରି ସେ ହ୍ୟାକର୍ର ଜାଲରେ ଫସି ଯାଇଥିଲେ । ନକଲି ଗ୍ରାହକ ସେବା ନମ୍ବରରେ ରିଫଣ୍ଡ୍ ରିକ୍ୱେଷ୍ଟ ପଞ୍ଜୀକରଣ କରିବାର ମାତ୍ର କେଇ ମିନିଟ୍ ମଧ୍ୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ୍ ସଫା ହୋଇ ଯାଇଥିଲା ।
ଚେନ୍ନାଇରେ ବି ଏକ ସମାନ ଧରଣ ଘଟଣା ଘଟିବାରୁ ଅଟକିଯାଇଛି । ନିଜର ବୁଦ୍ଧି ପ୍ରୟୋଗ କରି ଗ୍ରାହକ ଜଣକ ସମ୍ଭାବ୍ୟ ଠକେଇରୁ ବର୍ତ୍ତି ଯାଇଛନ୍ତି । ଇଣ୍ଟର୍ନେଟ୍ ସର୍ଚ୍ଚ ମାଧ୍ୟମରେ ଏକ ନକଲି ଗ୍ରାହକ ସେବା ନମ୍ବରକୁ ଡାଏଲ୍ କରି ସେ ନିଜର ଅସୁବିଧା ଜଣାଇଥିଲେ । ନକଲି ଗ୍ରାହକ ସେବା କର୍ମଚାରୀ ଉକ୍ତ ଗ୍ରାହକଙ୍କୁ ନିଜର ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟର୍ଫେସ୍(ୟୁପିଆଇ) ପିନ୍, ପାସ୍ୱାର୍ଡ ଏବଂ ବ୍ୟାଙ୍କ ବିବରଣୀ ଦେବା ପାଇଁ କହିଥିଲେ । ସମ୍ଭାବ୍ୟ ଠକେଇ ଆଶଙ୍କା କରି ଗ୍ରାହକ ଜଣକ ଭୁଲ ପିନ୍ ଦେଇଥିଲେ । ଏହି କଲ୍ର ତୁରନ୍ତ ବାଦ ତାଙ୍କ ନିକଟକୁ ଏକ ମେସେଜ୍ ଆସିଲା, ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ, ଭୁଲ ପିନ୍ ଯୋଗୁ ଦୁଇଟି ଟ୍ରାଞ୍ଜାକ୍ସନ୍ ବିଫଳ ହେଲା । ନିଜକୁ ଗ୍ରାହକ ସେବା କର୍ମଚାରୀ ଭାବେ ସମ୍ବୋଧିତ କରିଥିବା ବ୍ୟକ୍ତିଜଣକ ଗ୍ରାହକଙ୍କଠାରୁ ନେଇଥିବା ଭୁଲ ପିନ୍କୁ ଗୋଟିଏ ଥର ୫୦୦୦ ଏବଂ ଆଉ ଏକ ଥର ୧୦ ଟଙ୍କା ଉଠାଇବା ପାଇଁ ବ୍ୟବହାର କରିଥିଲା । କିନ୍ତୁ ଗ୍ରାହକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ନକଲି ବ୍ୟକ୍ତିଜଣକ ତା’ର ଉଦ୍ଦେଶ୍ୟରେ ସଫଳ ହୋଇପାରିଲା ନାହିଁ ।
ନକଲି କଲ୍ ସେଣ୍ଟରଗୁଡ଼ିକ ବିରୋଧରେ ଜୋମାଟୋ ଏକ ପୋଲିସ ଅଭିଯୋଗ ଦାଏର କରିଛି । ତେବେ ଏଭଳି ମାମଲା ଦିନକୁ ଦିନ ବଢ଼ୁଛି । ଗୁଗୁଲ୍ ସର୍ଚ୍ଚ ଜରିଆରେ ଗ୍ରାହକ ସେବା ନମ୍ବର ହାସଲ କରିବା ଲୋକଙ୍କୁ ମହଙ୍ଗା ପଡ଼ୁଛି । ନକଲି ଗ୍ରାହକ ସେବା ଅଧିକାରୀ ଗ୍ରାହକଙ୍କୁ ସାହାଯ୍ୟ କରିବା ଆଳରେ ସେମାନଙ୍କଠାରୁ ବିଭିନ୍ନ ପ୍ରକାର ସମ୍ବେଦନଶୀଳ ତଥ୍ୟ ଯେପରି ବ୍ୟାଙ୍କ ଆକାଉଣ୍ଟ ବିବରଣୀ, ଡେବିଟ୍/କ୍ରେଡିଟ୍ କାର୍ଡ ବିବରଣୀ ଏପରିକି ଓଟିପି ହାତେଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସଫା କରି ଦେଉଛନ୍ତି ।
ଆଉ ଏକ ଘଟଣା କ୍ରମେ ଜଣେ ସାଇବର ଅପରାଧୀ ଗୁଗୁଲ୍ରେ ଇପିଏଫ୍ଓର ମୁମ୍ବାଇ କାର୍ଯ୍ୟାଳୟର ଠିକଣା ବଦଳାଇ ଦେଇଥିଲା । ଯେତେବେଳେ ଲୋକେ ଉକ୍ତ ନମ୍ବରରେ ସମ୍ପର୍କ କଲେ ଅପରାଧୀ ସେମାନଙ୍କୁ ବ୍ୟକ୍ତିଗତ ବିବରଣୀ ମାଗିଚାଲିଲା । ଏଥିରେ ଅନେକ ଲୋକ ବିପୁଳ ମାତ୍ରାରେ ଟଙ୍କା ହରାଇଥିବା ଜଣାଯାଇଛି ।
Comments are closed, but trackbacks and pingbacks are open.