ଲଦ୍ଦାଖ : ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବା ସହ କାଶ୍ମୀରଠାରୁ ପୃଥକ ହୋଇଯାଇଛି ଲଦ୍ଦାଖ। କେନ୍ଦ୍ର ଶାସିତ ରାଜ୍ୟ ଭାବେ ଲଦ୍ଦାଖ ପ୍ରଥମ ଥର ୭୩ ତମ ସ୍ୱାଧୀନତା ଦିବସ ପାଳନ କରିଥିବା ବେଳେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ ତଥା ଭାରତୀୟ ସେନାର କର୍ଣ୍ଣେଲ ମହେନ୍ଦ୍ର ସିଂ ଧୋନୀ କାର୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏଥିପାଇଁ ସେ ୧୪ ଅଗଷ୍ଟରେ ଲଦ୍ଦାଖରେ ପହଞ୍ଚିଥିବା ବେଳେ ସେଠାରେ ସେନାପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।
ସ୍ୱାଧୀନତା ଦିବସ ଅବସରରେ ଧୋନୀ ଏଠାକାର ଆର୍ମି ଜେନେରାଲ ହସ୍ପିଟାଲ ଗସ୍ତ କରିଥିବା ବେଳେ ସେଠାରେ ରୋଗୀଙ୍କ ହାଲଚାଲ ପଚାରି ବୁଝିଛନ୍ତି। ଗତ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଇଥିଲେ। ଏହା ସହ ଲଦ୍ଦାଖ ପୃଥକ କେନ୍ଦ୍ର ଶାସିତ ପ୍ରଦେଶରେ ପରିଣତ ହୋଇଛି। ଧୋନୀ ସ୍ୱାଧୀନତା ଦିବସ ଅବସରରେ ତାଙ୍କର ଲଦ୍ଦାଖ ଉପସ୍ଥିତିନେଇ ସୋସାଲ ମିଡିଆରେ କେତେକ ଫଟୋ ମଧ୍ୟ ସେୟାର କରିଛନ୍ତି।
ଏବେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ ଟୁରରେ ଅଛି। ତେବେ ଧୋନୀ କ୍ରିକେଟରୁ ଛୁଟି ନେଇ ଭାରତୀୟ ସେନାରେ ନିଜ ସେବା ପ୍ରଦାନ କରୁଛନ୍ତି। ଏହି ସର୍ଭିସରେ ସେ ସାଧାରଣ ସୈନିକଙ୍କ ପରି ପାଟ୍ରୋଲିଂ, ଗାର୍ଡ ଡ୍ୟୁଟି ଓ ପୋଷ୍ଟ ଡ୍ୟୁଟି ଆଦି କରୁଥିବା ଦେଖାଯାଇଛି। ସେ ୧୦୬ ଟେଲିଟୋରିଆଲ ଆର୍ମିରେ ଏବେ କାର୍ୟ କରୁଛନ୍ତି।
Comments are closed, but trackbacks and pingbacks are open.