ବିଭିନ୍ନ ଦାବି ନେଇ ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚର ଧାରଣା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବ୍ଲକଗ୍ରାଣ୍ଟ ଉଚ୍ଛେଦ ହେଲା ସତ । ହେଲେ ନୂଆ ଆଇନ୍ରେ ନା’ ଚାକିରି ସର୍ତ୍ତାବଳୀ ରହିଲା ନା’ ଅବସରକାଳୀନ ସୁବିଧା ଲାଗୁ ହେଲା । ମାରାଥନ୍ ଆନ୍ଦୋଳନରୁ ବର୍ତ୍ତିବାକୁ ତରବରିଆ ଭାବେ ଏକ ପଙ୍ଗୁ ଆଇନ୍ ହାତରେ ଧରାଇଛନ୍ତି ସରକାର । ଏମିତି ଅଭିଯୋଗରେ ଆଜି ପୁଣି ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ ରାସ୍ତାକୁ ଓହ୍ଲାଇଛନ୍ତି । “ଶିକ୍ଷକ ଦାବି ଦିବସ’ରେ ବିକ୍ଷୋଭ କରି ସରକାରଙ୍କୁ ହକ୍ ମାଗିଛନ୍ତି । ସରକାର ଦାବି ମାନିଲେ ଆଉ ଆନ୍ଦୋଳନର ପ୍ରଶ୍ନ ଉଠୁନି ବୋଲି ହାଲୁକା ଧମକ ବି ଦେଇଛନ୍ତି ।
ଆଜି ଅପରାହ୍ଣ ୧ଟାରେ ଓଡି଼ଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ସଂଘର ମାଷ୍ଟରକ୍ୟାଣ୍ଟିନରୁ ଏକ ବିଶାଳ ରାଲି ବାହାରିଥିଲା । ପ୍ରାୟ ଏକ ହଜାରରୁ ଅଧିକ ଶିକ୍ଷକ ଅଧ୍ୟାପକ ଓ କର୍ମଚାରୀ ଏଥିରେ ସାମିଲ୍ ହୋଇଥିଲେ । ସେମାନେ ନାରାବାଜି ଲଗାଇ ଲୋୟର ପିଏମ୍ଜିରେ ପହଞ୍ଚିବା ପରେ ଧାରଣାରେ ବସିଥିଲେ । ମିଳିତ ମଞ୍ଚର ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ ଓ ପବିତ୍ର ମହାଲାଙ୍କ ନେୃତ୍ୱରରେ ଏକ ପ୍ରତିବାଦ ସଭା ସେଠାରେ ଚାଲିଥିଲା । ସେମାନେ ଅଭିଯୋଗ କରିଥିଲେ, ୧୯୬୯ରୁ ଅଗଷ୍ଟ ୧୬କୁ ଗୁରୁଙ୍କ ଦାବି ଦିବସ ଭାବେ ପାଳୁଛୁ । ଅନେକ ଦାବି ସରକାର ମାନିଛନ୍ତି । ହେଲେ ବ୍ଲକଗ୍ରାଣ୍ଟ ହଟାଇ ଗ୍ରାଣ୍ଟ-ଇନ୍-ଏଡ୍ ବ୍ୟବସ୍ଥାରେ ଶିକ୍ଷକଙ୍କୁ ବୋକା ବନାଇଛନ୍ତି ସରକାର । ଚାକିରି ସର୍ତ୍ତାବଳୀ ନଥିବାରୁ ଶିକ୍ଷକଙ୍କ ଭାଗ୍ୟ ଓ ଭବିଷ୍ୟତ ଏବେ ଅନ୍ଧକାରରେ । ୨୫ ବର୍ଷରୁ ଅଧିକ ଦିନ ଧରି ସ୍ୱଳ୍ପ ବେତନରେ ଖଟିଥିବା ଶିକ୍ଷକଙ୍କ ପାଇଁ ଅନ୍ୟାୟ ହୋଇଛି । ସରକାର ନିର୍ବାଚନ ପୂର୍ବରୁ ମିଠା ମିଠା ପ୍ରତିଶ୍ରୁତି ଦେଇଥିଲେ । ହେଲେ ଶାସନକୁ ଆସିବା ପରେ ନିଜେ ଦେଇଥିବା ପ୍ରତିଶ୍ରୁତିକୁ ଭୁଲି ଯାଇଛନ୍ତି ।
ମିଳିତ ମଞ୍ଚର ଏକ ୧୧ ଜଣିଆ ପ୍ରତିନିଧି ଦଳ ଅପରାହ୍ଣରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ଭେଟିଥିଲେ । ଆଗକୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ମିଶି ଆଲୋଚନା କରିବାକୁ ପ୍ରତିଶ୍ରୁତିି ଦେଇଥିଲେ । ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ୬୬୨ କଲେଜ ଶିକ୍ଷକ ସଂଘ, ୪୮୮ ବର୍ଗ କଲେଜ ଶିକ୍ଷକ ସଂଘ, ନିଖିଳ ଉକ୍ରଳ ନିମ୍ନମାଧ୍ୟମିକ ଶିକ୍ଷକ ସଂଘ, ଓଡିଶା ମାଦ୍ରାସା ଓ ସଂସ୍କୃତ ବିଦ୍ୟାଳୟ ସଂଘର ଶିକ୍ଷକ ଧାରଣାରେ ସାମିଲ ହୋଇଥିଲେ । ସଭାପତି ପ୍ରକାଶ ଚନ୍ଦ୍ର ଜେନା, ଡଃ ଗଗନ ବେଉରା, ଡ. ଅଟଳ ବିହାରୀ ବଳ ପ୍ରମୁଖ ଧାରଣାର ନେତୃତ୍ୱ ନେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons