ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜ୍ୟରେ ଡାକ୍ତର ଅଭାବ ସମସ୍ୟା ଏଡ଼ାଇବାକୁ ସରକାର କଠୋର ନିଷ୍ପତ୍ତି ନେଇଛନ୍ତି । ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବରୁ ଥିବା ସର୍ଭିସ୍ ବଣ୍ଡ ପଲିସିର ସର୍ତ୍ତକୁ ପରିବର୍ତ୍ତନ କରାଯାଇଛି । ଏମ୍ବିବିଏସ୍, ପିଜି ଓ ସୁପର ସ୍ପେଶାଲାଇଜେସନ ପଢୁଥିବା ଛାତ୍ରଛାତ୍ରୀ ରାଜ୍ୟରେ ୨ ବର୍ଷ ପାଇଁ ଚାକିରି କରିବା ବାଧ୍ୟ । ଏହି ସର୍ତ୍ତକୁ ନ ମାନିଲେ ସରକାରଙ୍କୁ ଦେଢ଼ରୁ ୨କୋଟି ଟଙ୍କା ଦେବାକୁ ପଡ଼ିବ । ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସଙ୍କ ସୂଚନା ଅନୁସାରେ, ଚଳିତ ଶିକ୍ଷା ବର୍ଷରୁ ନୂଆ ସର୍ଭିସ ବଣ୍ଡ ପଲିସି ଲାଗୁ ହେବ । ନୂଆ ପଲିସି ମୁତାବକ, ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ମେଡିକାଲ କଲେଜରେ ଏମ୍ବିବିଏସ୍, ପିଜି ଓ ସୁପର ସ୍ପେଶାଲାଇଜେସନ୍ ପାଠ୍ୟକ୍ରମରେ ନାମ ଲେଖାଇବା ସମୟରେ ଛାତ୍ରଛାତ୍ରୀଙ୍କୁ ସର୍ଭିସ ବଣ୍ଡ୍ ରାଜିନାମା କରିବାକୁ ପଡ଼ିବ । ଏଥିରେ ଛାତ୍ରଛାତ୍ରୀଙ୍କ ଦୁଇ ଜଣ ଅଭିଭାବକ ବନ୍ଧକ (ସିଓରିଟିଜ୍) ରହିବେ । ରାଜ୍ୟ ଓ ରାଜ୍ୟ ବାହାରର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହେବ । ବିନା ବଣ୍ଡ୍ରେ କେହି ନାମ ଲେଖାଇ ପାରିବେନି । ଫଳରେ ପଢ଼ା ଶେଷ ପରେ ରାଜ୍ୟରେ ଅତିକମ୍ରେ ଦୁଇ ବର୍ଷ ପାଇଁ ଚାକିରି କରିବାକୁ ପଡ଼ିବ । ଏହାକୁ ବାଧ୍ୟତାମୂଳକ କରାଯିବ । ଯଦି କେହି ଏହି ଚାକିରି କରିବା ସର୍ତ୍ତରେ ରାଜି ନହୁଅନ୍ତି ବା ଏଥିରେ ଖିଲାପ କରନ୍ତି, ସର୍ଭିସ୍ ବଣ୍ଡ ପ୍ରତି ବଦଳରେ ସରକାରଙ୍କୁ କ୍ଷତିପୂରଣ ରାଶି ଦେବାକୁ ହେବ । ଏମ୍ବିବିଏସ୍ ପାସ୍ ପରେ ଚାକିରି ନ କଲେ ୫୦ ଲକ୍ଷ, ପିଜି ପଢ଼ା ପରେ ଦେଢ଼ କୋଟି ଓ ସୁପର ସ୍ପେଶାଲାଇଜେସନଙ୍କୁ ୨ କୋଟି ଟଙ୍କା ଗଣିବାକୁ ପଡ଼ିବ ।
ରାଜ୍ୟରେ ଏମବିବିଏସ୍, ପିଜି ଓ ସୁପର ସ୍ପେଶାଲାଇଜେସନ ପଢ଼ି ସାରିବା ପରେ ଅନେକ ଉଚ୍ଚ ଶିକ୍ଷା ପାଇଁ ରାଜ୍ୟ ବାହାରକୁ ପଳାଉଛନ୍ତି । ଏହି ନୂଆ ପଲିସି ଫଳରେ ଏଣିକି ସେମାନେ ରାଜ୍ୟରେ ରହି ଚାକିରି କରିବେ । ଏହାଦ୍ୱାରା ଲୋକଙ୍କ ପାଖରେ ଡାକ୍ତରୀ ସେବା ପହଞ୍ଚାଇବା ଆହୁରି ବ୍ୟାପକ ହେବ ବୋଲି ମନ୍ତ୍ରୀ ଶ୍ରୀଦାସ କହିଛନ୍ତି ।
Comments are closed, but trackbacks and pingbacks are open.